ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଣିର ଗାର !

ମାଲକାନଗିରି: ମାଲକାନଗିରିରେ ଜାପାନୀ ଜ୍ୱରରେ ୧୦୩ ପିଲାଙ୍କ ମୃତ୍ୟୁ ଘଟଣାକୁ ୨ ବର୍ଷ ବିତିଲା, ହେଲେ ଏଯାଏ ମୃତକଙ୍କ ପରିବାରକୁ ପକ୍କା ଘର ଖଣ୍ଡିଏ ମିଳି ପାରିନି। ଘଟଣାକୁ ଗମ୍ଭୀରତାର ସହ ନେଇ ସେତେବେଳେ ମୁଖ୍ୟମନ୍ତ୍ରୀ ଜିଲ୍ଲାକୁ ଯାଇ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହ ପକ୍କା ଘର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଟଙ୍କା ତ ମିଳିଲା କିନ୍ତୁ ଘର ଖଣ୍ଡିଏ ମିଳିଲା ନାହିଁ।

ମାଲକାନଗିରିର ସେହି ପରିବାର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଣିର ଗାର ହୋଇଛି। କେବଳ କ୍ଷତିପୂରଣ ବାବଦକୁ ୩ ଲକ୍ଷ ଟଙ୍କା ମିଳିଥିବା ବେଳେ ଏଯାଏ ପକ୍କା ଘରର ଦେଖା ନାହିଁ। ଏମିତିକି ଘର ଖଣ୍ଡିଏ ଲାଗି ପ୍ରଶାସନ ନିକଟକୁ ଦୌଡ଼ି ଦୌଡ଼ି ଲୋକେ ନୟାନ୍ତ ହୋଇ ଗଲେଣି। କିଏ ଆବେଦନ କରି ଆଶା ଛାଡ଼ି ଦେଇଥିବା ବେଳେ ଆଉ କିଏ ଘର ନ ପାଇ ନିରାଶ ହୋଇ ପଡ଼ିଛନ୍ତି।

ଜଣେ କି ଦୁଇ ଜଣ ନୁହେଁ, ଜିଲ୍ଲାର ୧୦୩ ଜଣଙ୍କର ଅବସ୍ଥା ଏମିତି। ଏଯାଏ ପିଲା ମୃତ୍ୟୁର ଦୁଃଖ ପାସୋରି ନଥିବା ବେଳେ ଘରର ଆଶା ସମସ୍ତଙ୍କୁ ଆହୁରି ନିରାଶ କରିଛି।

ଅନ୍ୟପଟେ ଅଭିଯୋଗକୁ ସ୍ୱୀକାର କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଅଯୋଧ୍ୟାକାନ୍ତ ଶତପଥୀ। ଏ ନେଇ ସରକାରଙ୍କୁ ପୁଣି ଥରେ ଅବଗତ କରାଯିବା ସହ ଖୁବ୍‌ଶୀଘ୍ର ସେମାନଙ୍କୁ ଘର ବାବଦକୁ ଟଙ୍କା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ପ୍ରକାଶ ଥାଉକି, ଦୁଇ ବର୍ଷ ତଳେ ମାଲକାନଗିରି ଜିଲ୍ଲାରେ ସରକାରୀ ଭାବରେ ଜାପାନୀ ଜ୍ୱରରେ ୧୦୩ ଜଣଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ବେସରକାରୀ ହିସାବରେ ମୃତ୍ୟୁ ସଂଖ୍ୟା ଥିଲା ୨ଶହରୁ ଅଧିକ।

 

You might also like