ଓଟିଭି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣା: ବିଭିନ୍ନ ମହଲରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ
ଭୁବନେଶ୍ୱର: ଓଟିଭି ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବ ଦୁର୍ବ୍ୟବହାରକୁ ନେଇ ସାରା ରାଜ୍ୟରେ ପ୍ରତିବାଦ ଜାରି ରହିଛି। ଏ ନେଇ ଆଜି କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିରେ ବ୍ଲକ୍ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ନାରାବାଜି କରାଯାଇଛି। କ୍ରୀଡ଼ା ସଚିବ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ଦଳ।
ସେହିପରି କେନ୍ଦୁଝର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଘଟଣାର ପ୍ରତିବାଦ କରାଯାଇଛି। ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଅନ୍ୟପଟେ କୋରାପୁଟ ଜିଲ୍ଲା ଜୟପୁରରେ ମଧ୍ୟ କାର୍ଯ୍ୟରତ ସାମ୍ବାଦିକମାନେ କ୍ରୀଡ଼ା ସଚିବ ଓଟିଭି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବାକୁ ନେଇ ପ୍ରତିବାଦ ଜଣାଇଛନ୍ତି।
ସାମ୍ବାଦିକଙ୍କ ପ୍ରତି ଏପରି ଘଟଣା ବାରମ୍ବାର ହେଉଥିଲେ ବି ସରକାର କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ସାମ୍ବାଦିକମାନେ ଅଭିଯୋଗ କରିଛନ୍ତି। ଏ ନେଇ ସେମାନେ କ୍ଷୋଭ ପ୍ରକାଶ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।