ଧାରଣାରୁ ଉଠିଲେ ବିଜେପି ବିଧାୟକ

ଭୁବନେଶ୍ୱର: ଧାରଣାରୁ ଉଠିଲେ ବିଜେପି ବିଧାୟକ। ଗାନ୍ଧି ମୂର୍ତ୍ତି ତଳେ ବସିଥିବା ବିଜେପି ବିଧାୟକ ଧାରଣାରୁ ଉଠିଛନ୍ତି। ବିଧାନସଭା ପରିସର ଗାନ୍ଧି ମୂର୍ତ୍ତି ତଳେ କାଲିଠାରୁ ଧାରଣାରେ ବସିଥିଲେ ବିଜେପି ବିଧାୟକ। ବିଜେପି ସହପ୍ରଭାରୀ ବିଜୟପାଲ ସିଂ ତୋମାର ଭେଟିବା ପରେ ଧାରଣାରୁ ଉଠିଲେ ବିଧାୟକ। ଧାରଣାରୁ ଉଠିବା ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ  ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜ୍ୟପାଳଙ୍କୁ ଭେଟି ବିଲ୍ ମଂଜୁର ନକରିବାକୁ ଅନୁରୋଧ କରିବୁ। ବିନା ଆଲୋଚନାରେ ପାରିତ ବିଲକୁ ମଂଜୁରି ନଦେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିବୁ ବୋଲି ପ୍ରଦୀପ୍ତ କହିଛନ୍ତି। 

ତେବେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ବିଜେପିର ଏହି ତିନି ଜଣ ବିଧାୟକଙ୍କୁ ଗତକାଲି ବିଧାନସଭାରୁ ସସ୍‌ପେଣ୍ଡ୍ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଏମାନଙ୍କ ବିରୋଧରେ ଅଭିଯୋଗ ହେଉଛି, ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ୍ ସହ ଡଷ୍ଟବିନ୍, କାଗଜ ଏବଂ ଇୟରଫୋନ୍ ଫିଙ୍ଗିବା।  ସସ୍‌ପେଣ୍ଡ ନେଇ ବାଚସ୍ପତିଙ୍କ ଏହି ନିର୍ଦ୍ଦେଶ ପରେ ଏହାର ପ୍ରତିବାଦ କରି ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ ବିଜେପି ବିଧାୟକ। ସିଧାସଳଖ ବାଚସ୍ପତିଙ୍କୁ ଟାର୍ଗେଟ୍ କରିବା ସହ ବାଚସ୍ପତି ଅଗଣତାନ୍ତ୍ରିକ କାର୍ଯ୍ୟ ସହ ପକ୍ଷପାତିତା କରୁଥିବା, ଅନ୍ୟ କାହାଦ୍ୱାରା ପରିଚାଳିତ ହେଉଥିବା ଅଭିଯୋଗ ଆଣିଥିଲେ। ଏପରିକି ମୋହନ ମାଝୀ ବାଚସ୍ପତିଙ୍କ ଉପରକୁ କିଛି ବି ଫିଙ୍ଗି ନଥିବା କହିଛନ୍ତି।

ଖଣି ବ୍ୟବସାୟ ନିୟନ୍ତ୍ରଣ କରୁଛି ରାଜ୍ୟ ରାଜନୀତି ଶୀର୍ଷକରେ ଆଜି ଗୃହରେ ପ୍ରଥମେ ମୁଲତବୀ ପ୍ରସ୍ତାବ ଆଣିଥିଲା କଂଗ୍ରେସ। କିନ୍ତୁ ବାଚସ୍ପତି ଏହାକୁ ଗ୍ରହଣ କରିନଥିଲେ। ଏପରିକି ଧାନକିଣା ପ୍ରସଙ୍ଗକୁ ବିରୋଧୀ ଉଠାଇବାକୁ ଚାହୁଁଥିଲେ ବି ଆଲୋଚନା ହୋଇପାରିନଥିଲା। ଯାହାକୁ ନେଇ ଗୃହରେ ଏପରି ତୁମୁଳକାଣ୍ଡ ହୋଇଥିଲା।

ଏହି ଘଟଣାକୁ ନେଇ ପ୍ରତିକ୍ରିୟା ମଧ୍ୟ ରଖିଥିଲେ ବିଧାୟକ ଜୟନାରାୟଣ ମିଶ୍ର । ସେ କହିଛନ୍ତି ଏହି ଘଟଣା କାହିଁକି ଘଟିଲା ତାହା ଉପରେ ବିଚାର କରିବା ଦରକାର। ବାଚସ୍ପତି ନିଜ ମନଇଚ୍ଛାରେ ଗୃହ ଚଳାଇବାକୁ ଚାହୁଁଛନ୍ତି, ସମ୍ବିଧାନକୁ ମାନୁନାହାନ୍ତି। ତେଣୁ ସେଥିପାଇଁ ଏମିତି ପ୍ରତିବାଦର ସ୍ୱର ଆସିଲା ବୋଲି ଜୟନାରାୟଣ କହିଛନ୍ତି। ନିୟମ ଅନୁସାରେ ଯେତେବେଳେ କୌଣସି ବିଲ ଗୃହରେ ପାସ ହୁଏ ସେହି ସମୟରେ ବିଧାୟକମାନେ ନିଜ ମତ ରଖିପାରିବେ। କିନ୍ତୁ ବିରୋଧୀ ଦଳ ନେତା ଛିଡ଼ା ହେଲେ କହିବାକୁ କିନ୍ତୁ ତାଙ୍କୁ ବି ସୁଯୋଗ ଦିଆଗଲା ନାହିଁ। ଯଦି ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କଲେ ସସ୍‌ପେଣ୍ଡ ହେବାକୁ ପଡ଼ିବ। ତେବେ ଏପରି ସସପେଣ୍ଡକୁ ମୁଁ ସ୍ୱାଗତ କରୁଛି ବୋଲି ଜୟନାରାୟଣ ଗତକାଲି କହିଥିଲେ। ସେହିପରି ମୋହନ ମାଝୀ ମଧ୍ୟ ପ୍ରତିକ୍ରିୟା ରଖିଥିଲେ।

You might also like