ସ୍ୱାଭିମାନ ଅଂଚଳର ଉନ୍ନତି ପାଇଁ ଅଣ୍ଟା ଭିଡିଲେ ଗ୍ରାମବାସୀ

ଚିତ୍ରକୋଣ୍ଡା : ସ୍ୱାଭିମାନ ଅଞ୍ଚଳରେ ଜନଆନ୍ଦୋଳନର ପଦଧ୍ୱନୀ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ମୁଣ୍ଡ ଟେକୁଛି ବଡ଼ଧରଣର ବିଦ୍ରୋହ। ମୌଳିକ ସୁବିଧାରୁ ବଞ୍ଚିତ କରାଯାଇଥିବା ଅଭିଯୋଗ କରି ଏକାଠି ହୋଇଛନ୍ତି ୫ଟି ପଞ୍ଚାୟତ ବାସିନ୍ଦା ।

ଆସନ୍ତାକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ୪ଟି ଲଞ୍ଚ ସହ ଦେଶୀ ଡଙ୍ଗାରେ ପାରି ହୋଇ ମାଲକାନଗିରି ଅଭିମୁଖେ ବାହାରିଛନ୍ତି ସ୍ୱାଭିମାନ ଅଞ୍ଚଳ ବାସିନ୍ଦା।

ଆଜି ଚିତ୍ରକୋଣ୍ଡାରେ ରାତ୍ରୀଯାପନ କରି ଆସନ୍ତାକାଲି ସକାଳେ ମାଲକାନଗିରିରେ ପହଞ୍ଚିବେ । ଯନ୍ତ୍ରି, ପଣସପୁଟ, ଯୋଡାମ୍ବ, ଅଣ୍ଡରାପାଲି ଏବଂ ଗାଜଲବାଡ଼ିର ପାଖାପାଖି ୧୫ ଶହ ଲୋକ ମାଲକାନଗିରି ଅଭିମୁଖେ ବାହାରିଛନ୍ତି। ସେମାନଙ୍କ ଅଭିଯୋଗ, ବର୍ଷ ବର୍ଷ ଧରି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଜୁଳି ଏବଂ ଗମନାଗମନ ଆଦି ମୌଳିକ ସୁବିଧାରୁ ବଞ୍ଚିତ କରାଯାଉଛି। ତାସହ ବର୍ଷ ତମାମ ମାଓବାଦୀଙ୍କ ନାଲି ଆଖି ଭିତରେ ଭୟ ଆଉ ଆତଙ୍କରେ ବଞ୍ଚୁଛନ୍ତି।

ଗତ ଜୁନ୍ ୫ ତାରିଖରେ ବିକାଶ ଆଉ ଅଧିକାର ଦାବିରେ ସ୍ୱର ଉତ୍ତୋଳନ ପାଇଁ ଏକଜୁଟ୍ ହୋଇଥିଲେ ସମସ୍ତେ । ସେହି ସମୟରେ ସରକାର ଏବଂ ପ୍ରଶାସନ ବିରୋଧରେ ଆର୍‌ପାର୍ ଲଢ଼େଇ ପାଇଁ ଚେତାବନୀ ବି ଦେଇଥିଲେ। ଏହାସତ୍ୱେ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ କରି ଆସନ୍ତାକାଲି ମାଲକାନଗିରିରେ ବିରାଟ ଆନ୍ଦୋଳନ କରିବାକୁ ଅଣ୍ଟା ଭିଡ଼ିଛନ୍ତି।

ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଖସଡ଼ା ତିଆରି କରି ଗୁରୁପ୍ରିୟା ସେତୁ ନିର୍ମାଣ କରିବା ସହ ଶହେ କୋଟିର ଅନୁଦାନ ଘୋଷଣା କରିଛନ୍ତି। ହେଲେ ବିକାଶରେ ବାଧକ ସାଜୁଥିବା ମାଓବାଦୀ କିନ୍ତୁ ଚାଲେଞ୍ଜ ଦେଇ ଆସୁଛନ୍ତି।

ଆହୁରି ପଢ଼ନ୍ତୁ

You might also like