କିଡ୍‌ନୀ ଦଲାଲ୍ ହିଂମାଶୁର ସମ୍ପତ୍ତି ହୋଇପାରେ ସିଜ୍

ଭୁବନେଶ୍ୱର: ଖୋଲିବ କିଡନୀ ଦଲାଲ୍ ହିଂମାଶୁ ଭୂଷଣ ନନ୍ଦର ନେଟୱର୍କ। ହିଂମାଶୁଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ୍। ଆଜି ଝାରପଡ଼ା ଜେଲ୍‌ରୁ ଆଣି ନୟାପଲ୍ଲୀ ଥାନାରେ ଆଣି ପଚରାଉଚରା ଆରମ୍ଭ କରିଛି ପୋଲିସ୍। କିଡ୍‌ନୀ ଦେବା ନାଁରେ ଲୋକଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ଚୁନା ଲଗାଇଛି ହିଂମାଶୁ। ତେଣୁ ଏହି ଠକେଇ ପଛରେ କିଏ କିଏ ସାମିଲ ତାକୁ ନେଇ ତଦନ୍ତ ହେବ। ହସ୍ପିଟାଲ, ଡାକ୍ତର ଓ କିଡ୍‌ନୀ ଡୋନର୍‌ଙ୍କ ଲିଙ୍କ୍ ସମ୍ପର୍କରେ ରିମାଣ୍ଡ ସମୟରେ ପଚରାଉଚରା କରାଯାଇପାରେ।

ତାସହ ହିଂମାଶୁଙ୍କ ସମ୍ପର୍ତ୍ତି ସମ୍ପର୍କରେ ବି ତଥ୍ୟ ଯୋଗାଡ଼ କରିଛି ପୋଲିସ୍। ସେ ଦିଗକୁ ତଦନ୍ତ ପରିସର ଆଣିବା ସହ ଆବଶ୍ୟକ ହେଲେ ସମ୍ପତ୍ତି ସିଜ୍ ବି କରାଯାଇପାରେ। ହିଂମାଶୁ କିଡନୀ ଦେବା ନାଁରେ ୩୦ ଲକ୍ଷରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗରେ ୩ଟି ମାମଲା ରୁଜୁ ହୋଇଛି। ଗିରଫ ହେବା ପରେ ରିମାଣ୍ଡ ପାଇଁ ଗତକାଲି ଅନୁମତି ଦେଇଥିଲେ ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ।

ନକଲି, ଜାଲି , ପୁରା ୪୨୦। ଲୋକଙ୍କ ଦୁର୍ଦ୍ଦିନର ସୁଯୋଗ ନେଇ ସେମାନଙ୍କୁ ଚୁନ ଲଗାଇବା ଲାଗି ସୁଚିନ୍ତିତ ବ୍ଲୁପ୍ରିଣ୍ଟ କିଡନୀ ଯୋଗାଣ ଆଳରେ ରୋଗୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ମାଷ୍ଟରମାଇଣ୍ଡକୁ ବାନ୍ଧିଥିଲା କମିଶନରେଟ ପୋଲିସ। ଅଭିଯୁକ୍ତ ହେଲା ଭୁବନେଶ୍ୱର ଉତ୍ତରା ଅଞ୍ଚଳରେ ରହୁଥିବା ପଟାମୁଣ୍ଡାଇର ହିମାଂଶୁ ନନ୍ଦ। କିଡନୀ ପ୍ରତିରୋପଣ ଲାଗି ଆବଶ୍ୟକ ହେଉଥିବା ସବୁ  ଡକ୍ୟୁମେଣ୍ଟ ଉପରେ ଦେଖିବାକୁ ସିନା ଅସଲି, ହେଲେ ପ୍ରକୃତରେ ପୁରା ନକଲି। ଆଉ ଏଭଳି ନକଲି କାଗଜପତ୍ର ଜରିଆରେ ଲୋକଙ୍କୁ  ଠକିବାର ଜାଲ ବିଛାଇଥିଲା ହିମାଂଶୁ।

କିଡନୀ ଯୋଗାଇ ଦେବାକୁ ସେ ବାଲେଶ୍ୱର ରୁପସା ଅଞ୍ଚଳର ପ୍ରତାପ ମିଶ୍ରଙ୍କଠୁ ୫ ଲକ୍ଷ ୫୦ ହଜାର ଟଙ୍କା ନେଇଥିବା ବେଳେ ଭୁବନେଶ୍ୱର ଲକ୍ଷ୍ମୀସାଗରର ତରୁଲତା ମିଶ୍ରଙ୍କୁ ଠକିଛିି ୩ଲକ୍ଷ ୧୯ହଜାର। ତେବେ କିଡନୀ ଆଶାୟୀ ହସ୍ପିଟାଲରେ ପହଞ୍ଚି ଡକ୍ୟୁମେଣ୍ଟ ଯାଞ୍ଚ କରାଇବା ପରେ ହିମାଂଶୁର କାରସାଦି ଧରାପଡିଛି।

ପ୍ରତାପ ଓ ତରୁଲତାଙ୍କ ଅଭିଯୋଗ ପରେ କମିଶନରେଟ୍ ପୋଲିସ ହିମାଂଶୁକୁ ଗିରଫ କରିିଥିଲା। ତେବେ ସେ କିଭଳି କିଡନୀ ଆଶାୟୀଙ୍କ ସଂପର୍କରେ ଆସୁଥିଲା ଓ ସେମାନଙ୍କ ବିଶ୍ୱାସ ଜିତି ଲକ୍ଷ ଲକ୍ଷ ଟଙ୍କା ଖସେଇ ନେବାରେ ସଫଳ ବି ହେଉଥିଲା ତାହାକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି। ପୋଲିସର ସୂଚନା ଅନୁଯାୟୀ ହିମାଂଶୁ ନିଜର ଜଣେ ସହଯୋଗୀ ସମୀର ସୁବୁଦ୍ଧିକୁ ଏଥିପାଇଁ ବ୍ୟବହାର କରୁଥିଲା। ସମୀର କିଡନୀ ଦେବ ବୋଲି କହି ତାକୁ ରୋଗୀଙ୍କ ସହିତ ଆବଶ୍ୟକ ପରୀକ୍ଷଣ ଲାଗି କୋଲକତା ବି ପଠାଇଥିଲା।

You might also like