୧୧୦ କିମି ଦୂରରେ ରହିଛି ବାତ୍ୟା ୟାସ୍

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ମାଡ଼ି ଆସୁଛି ବାତ୍ୟା ୟାସ୍। ଏବେ ପାରାଦୀପରୁ ୧୧୦, ଧାମରାରୁ ୧୧୦ ଓ ବାଲେଶ୍ୱରରୁ କିମି ଦୂରରେ ବାତ୍ୟା ରହିଛି। ଘଣ୍ଟା ପ୍ରତି ୧୨ କିମି ଗତିରେ ସ୍ଥଳଭାଗ ମୁହାଁ ହେଉଛି ୟାସ୍। ସମୁଦ୍ରରେ ଏବେ ୧୩୦ରୁ ୧୪୦ କିମି ମଧ୍ୟରେ ପବନ ବହୁଛି। ୟାସ୍ କ୍ରମେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଭୋର୍ ୫ଟା ୩୦ ସୁଦ୍ଧା ଧାମରା ଠାରୁ ୩୦ କିମି ଦୂରରେ ରହିବ। ଭୋରରେ ଧାମରା ଉପକୂଳରୁ ୩୦ କିମି ଦୂରରେ ସମୁଦ୍ରରେ ରହିବ ବାତ୍ୟା। ଆଜି ଦ୍ୱିପ୍ରହର ବେଳେ ଧାମରା-ବାଲେଶ୍ୱର ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ମଧ୍ୟରାତ୍ରରୁ ପ୍ରଭାବ ବଢ଼ିବ।

ଏବେ ପୂର୍ବୋକ୍ତ ଜିଲ୍ଲାମାନଙ୍କରେ ୬୦ରୁ ୯୦ କିମି ବେଗରେ ପବନ ବହୁଛି। ମଧ୍ୟରାତ୍ର ପରେ ପବନ ୯୦ରୁ ୧୦୦ କିମି ମଧ୍ୟରେ ବଢିଥିଲା। କାଲି ସକାଳୁ ପବନ ବେଗ ବଢ଼ି ୧୫୫ରୁ ୧୬୫ ଯାଏ ରହିବ। ପବନ ଏହି ବେଗରେ ଦ୍ୱିପ୍ରହର ପର୍ଯ୍ୟନ୍ତ ଚାଲୁ ରହିବ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ରାତି ୧୨ଟା ପରେ ପବନ ସହ ବର୍ଷା ବି ବଢ଼ିବ। ୨୬ ତାରିଖ ଦିନ ତମାମ ପ୍ରବଳ ବର୍ଷା ଲାଗି ରହିବ।

ଦ୍ୱିପ୍ରହର ବେଳେ ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳେ ଜୁଆର ଉଠିବ। ବାଲେଶ୍ୱର ଓ ଭଦ୍ରକରେ ୪ ମିଟର ପର୍ଯ୍ୟନ୍ତ ଜୁଆର ଉଠିବା ସମ୍ଭାବନା ରହିଛି। ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ୨/୩ ମିଟର ଜୁଆର ଉଠିବ। କାଲି ପୂର୍ଣ୍ଣିମା ଯୋଗୁଁ ଜୁଆର ଅଧିକ ଉଚ୍ଚ ଉଠିବା ସମ୍ଭାବନା ରହିଛି।

ସେହିପରି ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ କାଲି ଦିନ ୧୨ଟା ଯାଏ ପ୍ରଭାବ ରହିବ। ଜଗତସିଂହପୁର, କେନ୍ଦ୍ରାପଡ଼ାରେ ପୂର୍ବାହ୍ନରେ ବେଶି ପ୍ରଭାବ ରହିବ। ଭଦ୍ରକରେ ଅପରାହ୍ନ ଓ ବାଲେଶ୍ୱରରେ ସଂଧ୍ୟା ଯାଏ ପ୍ରଭାବ ରହିବ। କାଲି ସଂଧ୍ୟା ଯାଏ ଉପକୂଳବର୍ତ୍ତୀ ଜିଲ୍ଲାପାଇଁ ବିପଦ ରହିଛି। ୨୭ ତାରିଖ ସକାଳ ପର୍ଯ୍ୟନ୍ତ ଓଡ଼ିଶା ଉପରେ ପବନର ବିପଦ ରହିଛି ବୋଲି ଡିଜି କହିଛନ୍ତି। 

You might also like