ମଉଳିବାକୁ ବସିଛି ରାଉରକେଲାବାସୀଙ୍କ ମେଡିକାଲ୍ କଲେଜ ସ୍ୱପ୍ନ

ରାଉରକେଲା  : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ହଁ , କିନ୍ତୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନା। ଏହି ଦୁଇ ମନ୍ତ୍ରାଳୟର ନିୟମ ଜାଲରେ ଛନ୍ଦି ହୋଇ ମଉଳି ଯାଇଛି ରାଉରକେଲା NITରେ ମେଡିକାଲ୍ କଲେଜ ପ୍ରତିଷ୍ଠା ସ୍ୱପ୍ନ। ଗତ ଏପ୍ରିଲ୍‌ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ NIT ନିର୍ଦ୍ଦେଶକଙ୍କୁ ଲେଖିଥିଲା ଚିଠି। ଯେଉଁଥିରେ ମେଡିକାଲ୍ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଅାବଶ୍ୟକ ଅନୁମତି ନେବାକୁ ଜୁନ୍‌ ୧୫ରୁ ଜୁଲାଇ ୭ ମଧ୍ୟରେ MCI ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଅାବେଦନ କରିବାକୁ ଉଲ୍ଲେଖ ରହିଛି।

କିନ୍ତୁ ନିର୍ଦ୍ଧାରିତ ତାରିଖ ଗଡ଼ିଯାଇଥିଲେ ବି ହୋଇପାରିନି ଅାବେଦନ। ମେଡିକାଲ୍ କଲେଜ ଲାଗି ଅାବଶ୍ୟକୀୟ ଭିତ୍ତିଭୂମି ନଥିବା ଦର୍ଶାଇ NIT କର୍ତ୍ତୃପକ୍ଷ ଓ ବୋର୍ଡ ଅଫ୍ ଗଭର୍ଣ୍ଣର୍ସ ଅାବେଦନ କରିନାହାନ୍ତି।  ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, NITର ମେଡିକାଲ୍ ଡିଗ୍ରୀ ଦେବାର ଅଧିକାର ନାହିଁ ବୋଲି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ସ୍ପଷ୍ଟ କରିଥିବା NIT କୁଳସଚିବ କହିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ଅନୁସାରେ, ଯଦି NITର ମେଡିକାଲ୍ ଡିଗ୍ରୀ ଦେବାର ଅଧିକାର ନାହିଁ,  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମେଡିକାଲ୍ କଲେଜ ପାଇଁ ଅାବେଦନ କରିବାକୁ NIT ନିର୍ଦ୍ଦେଶକଙ୍କୁ ଚିଠି ଲେଖୁଥିଲେ କିପରି? ଉଭୟ ମନ୍ତ୍ରାଳୟର ନିୟମକାନୁନରେ ତାଳମେଳ ନାହିଁ, ନା ଲୋକଙ୍କୁ କେବଳ ଭୂଆଁ ବୁଲାଇବାକୁ ପ୍ରୟାସ ? ଏହା କେନ୍ଦ୍ର ସରକାରଙ୍କ ଲଲିପପ୍ ଦେଲା ଭଳି କାର୍ଯ୍ୟ ବୋଲି ବିରୋଧୀ କହିଥିବା ବେଳେ NIT କର୍ତ୍ତୃପକ୍ଷଙ୍କ ଉପରେ ଦୋଷ ଲଦିଛନ୍ତି ବିଜେପି ନେତା।

ଅାଇଜିଏଚ୍‌ରେ ମେଡିକାଲ୍ କଲେଜ ପ୍ରତିଷ୍ଠା ପ୍ରସ୍ତାବ NITକୁ ସ୍ଥାନାନ୍ତର ହେବା ପରେ ସେଠାରେ ସୁପର ସ୍ପେଶାଲିଟି ହସ୍ପିଟାଲ ସ୍ଥାପନ ହେବାର ଯୋଜନା ଥିଲା। କିନ୍ତୁ ଏବେ ତାହା ମଧ୍ୟ ଶୀତଳଭଣ୍ଡାରରେ।

ଆହୁରି ପଢ଼ନ୍ତୁ

You might also like