ଘରୋଇ ସ୍କୁଲ୍‌ ଫି’ ଛାଡ୍‌ ମାମଲା: ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ରାଜ୍ୟ ଅଭିଭାବକ ମହାସଂଘ

ଭୁବନେଶ୍ୱର: ଘରୋଇ ସ୍କୁଲ୍‌ ଫି’ ଛାଡ୍‌ ମାମଲାରେ ସରକାର ତୁରନ୍ତ ହସ୍ତକ୍ଷେପ କରି ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରନ୍ତୁ। ଗତକାଲି ଏକ ପ୍ରେସ୍‌ମିଟ୍‌ରେ ରାଜ୍ୟ ଅଭିଭାବକ ମହାସଂଘ ଏହି ଦାବି କରିଛି। ମହାମାରୀ କରୋନା ବେଳେ ଘରୋଇ ସ୍କୁଲ୍‌ର ଫି’ ଆଦାୟ ନେଇ ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥିବା ଏମ୍ଓୟୁର କାର୍ଯ୍ୟକାରୀ ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଥିଲେ, ଯେଉଁ ଅଭିଯୋଗକାରୀ ସ୍କୁଲ୍‌ ମାନଙ୍କର ଏମ୍ଓୟୁ ଉପରେ ଅଭିଯୋଗ ରହିଛି ସେମାନେ ରାଜ୍ୟ ସରକାରଙ୍କ ପାଖରେ ସାତ ଦିନ ଭିତରେ ଲିଖିତ ଆକାରରେ ଅଭିଯୋଗ ଦାଖଲ କରିପାରିବେ। ଗତ ୧୮ ତାରିଖରେ ସୁପ୍ରିମକୋର୍ଟ ଏହା କହିବା ପରେ ଅଭିଭାବକ ସଂଘ ପ୍ରେସ୍‌ମିଟ୍‌ରେ କୋର୍ଟଙ୍କ ରାୟକୁ ସ୍ୱାଗତ କରିଛି।

ଆବେଦନକାରୀ ସ୍କୁଲ୍‌ ଗୁଡ଼ିକ ମିଥ୍ୟା ତଥ୍ୟ ଦେଇ କୋର୍ଟର ଅବମାନନା କରିଥିବାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜିି ମହାସଂଘ, ପ୍ରମୁଖ ଶାସନ ସଚିବଙ୍କୁ ଭେଟି ଦାବି କରିବ। ଏଥିସହ ସରକାର ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି ନ କଲେ ବଡ଼ ଆନ୍ଦୋଳନ ହେବ ବୋଲି ସଂଘ ଧମକ ଦେଇଛି। ଅନ୍ୟପକ୍ଷେ, ଘରୋଇ ସ୍କୁଲ୍ଲ‌ ସଂଘ କହିଛି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଯେଉଁ ସ୍କୁଲ ଏମ୍ଓୟୁରେ ଦସ୍ତଖତ କରି ନାହାନ୍ତି ସେମାନେ ପୁରୁଣା ଷ୍ଟ୍ରକ୍ଚରରେ ଫି’ ଆଦାୟ କରିପାରିବେ।

ଆହୁରି ପଢନ୍ତୁ : ଓଡିଶା ଷ୍ଟାଫ ସିଲେକସନ ପିଇଟି ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି

You might also like