ଘରୋଇ ହସ୍ପିଟାଲଗୁଡ଼ିକୁ ନିର୍ଦ୍ଧାରିତ ଦରରେ ଟିକାକରଣ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଏଣିକି ଘରୋଇ ହସ୍ପିଟାଲଗୁଡ଼ିକ ମଧ୍ୟ କରିପାରିବେ ଟିକାକରଣ । ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦର ଅନୁସାରେ ହେବ ଟିକାକରଣ । ଏନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ଜଣାଇଛନ୍ତି । ଚିଠିରେ ସେ ସିଧାସଳଖ ଲେଖିଛନ୍ତି ଯେ, ସବୁ ଘରୋଇ ହସ୍ପିଟାଲଗୁଡ଼ିକ ଟିକାକରଣ ପାଇଁ ଭିତ୍ତିଭୂମି ସଜାଡ଼ିବା ସହ ପ୍ରସ୍ତୁତ ହୋଇ ରୁହନ୍ତୁ । ନିଜେ ଟିକା କିଣି ଲୋକଙ୍କୁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦରରେ ଟିକା ଦିଅନ୍ତୁ ।

ତେବେ କୌଣସି ଘରୋଇ ହସ୍ପିଟାଲରେ ଅଫ୍-ଲାଇନ ଟିକାକରଣ କରିବାକୁ ଚିଠିରେ ସିଧାସଳଖ ମନା କରାଯାଇଛି । ଟିକାକରଣ ପୂର୍ବରୁ ଟିକାର ଦର କୋଓ୍ୱିନ୍ ଆପ ଜରିଆରେ ଜଣାଇବା ପାଇଁ ଘରୋଇ ହସ୍ପିଟାଲଗୁଡ଼ିକୁ କଡ଼ା ନିର୍ଦ୍ଦେଶ ରହିଛି । ଅନ୍ୟପଟେ ୩ଟି ଘରୋଇ ହସ୍ପିଟାଲ ୧୨ ହଜାର ଲେଖାଏଁ ଟିକା ପାଇଁ ଅର୍ଡର କରିଥିବା ସୂଚନା ରହିଛି ।

ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ଆରମ୍ଭ ହୋଇଥିବା ଡ୍ରାଇଭ୍ ଇନ ଓ ଡୋରଷ୍ଟେପ୍ ଟିକାକରଣକୁ ସମ୍ପୂର୍ଣ୍ଣ ମନା କରିଛନ୍ତି । ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି । ସେ କହିଛନ୍ତି ଡୋରଷ୍ଟେପ୍ ଟିକାକରଣ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନରେ କିଛି ବି ଉଲ୍ଲେଖ ନାହିଁ । ତେଣୁ ଏହାକୁ ତୁରନ୍ତ ବନ୍ଦ କରାଯାଉ । ଡୋରଷ୍ଟେପରେ ଟିକାକରଣ ବ୍ୟବସ୍ଥା ଦ୍ୱାରା ଅଧିକ ଟିକା ଅପଚୟ ହେବାର ମଧ୍ୟ ସମ୍ଭାବନା ରହିଛି ।

ଖାଲି ସେତିକି ନୁହେଁ ଯଥେଷ୍ଟ ୱେଟିଂ ଏରିଆ ଓ ପର୍ଯ୍ୟବେକ୍ଷଣ ଗୃହ ଥିବା ଜାଗାରେ ଟିକା ଦେବାକୁ ନିୟମ ରହିଛି । ଟିକା ନେବା ପରେ ଗ୍ରହୀତାଙ୍କୁ ୩୦ ମିନିଟ ଅବଜରଭେସନରେ ରଖା ଯିବାର ମଧ୍ୟ ନିୟମ ରହିଛି । ଡ୍ରାଇଭ୍ ଇନ୍ ଓ ଡୋର୍ ଷ୍ଟେପରେ ଏସବୁ ନିୟମ ପାଳନ କରିବା ସହଜ ନୁହେଁ । ତେଣୁ ଏସବୁ ବ୍ୟବସ୍ଥା ବନ୍ଦ କରିବାକୁ କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ACS ।

ସୂଚନାଯୋଗ୍ୟ ଗତ ସୋମବାରଠାରୁ ଭୁବନେଶ୍ୱର ମହାନଗର ନିଗମ ଓ ବ୍ରହ୍ମପୁର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା ଡୋରଷ୍ଟେପ୍ ଟିକାକରଣ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବୟସ୍କଙ୍କୁ ଘରୁ ଆଣି ଟିକାକରଣ କରି ପୁଣି ଘରେ ଛାଡ଼ିବାର ବ୍ୟବସ୍ଥା କରାଯାଇଥିବା ବେଳେ ଫୋନ କଲେ ମେଡିକାଲ ଟିମ୍ ଘରକୁ ଯାଇ କରୋନା ଟେଷ୍ଟ ପାଇଁ ନମୁନା ସଂଗ୍ରହ କରିବାର ବ୍ୟବସ୍ଥା କରାଯାଇଥିଲା । ଖାଲି ସେତିକି ନୁହେଁ ଗର୍ଭବତୀ ଓ ଦିବ୍ୟାଙ୍ଗଙ୍କ ପାଇଁ ମଧ୍ୟ ଡୋରଷ୍ଟେପ୍ ବ୍ୟବସ୍ଥା ରହିଥିଲା । କେବଳ ଭୁବନେଶ୍ୱର ମହାନଗର ନିଗମ ନୁହେଁ ବ୍ରହ୍ମପୁର ପ୍ରଶାସନ ପକ୍ଷରୁ ମଧ୍ୟ ବୟସ୍କଙ୍କ ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିଲା ।

You might also like