’ଓଡ଼ିଶାର ଚାଷୀଙ୍କୁ ବିଭ୍ରାନ୍ତ କରି ରାଜନୀତି କରିବା ବନ୍ଦ କର’

ରାଜ୍ୟସଭାରେ ସ୍ୱାମୀନାଥନ କମିଟି ରିପୋର୍ଟ ପ୍ରସଙ୍ଗରେ ବିଜେଡିକୁ ବିଜେପିର ଟାର୍ଗେଟ୍

ଭୁବନେଶ୍ୱର : ରାଜ୍ୟସଭାରେ ସ୍ୱାମୀନାଥନ କମିଟି ରିପୋର୍ଟ ପ୍ରସଙ୍ଗରେ ବିଜେଡିକୁ ବିଜେପିର ଟାର୍ଗେଟ୍। ପାର୍ଲିଆମେଣ୍ଟରେ ବିଜେଡ଼ି ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରୁଥିବା ବିଜେପି ଅଭିଯୋଗ କରିଛି। ସାଂସଦ ସସ୍ମିତ ପାତ୍ରଙ୍କ ମନ୍ତବ୍ୟ ପାର୍ଲିଆମେଣ୍ଟରେ ଏକ କଳୁଷିତ ଅଧ୍ୟାୟ ସୃଷ୍ଟି କରିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦକ  ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। କଷ୍ଟ ଅଫ ପ୍ରଡ଼କ୍ସନକୁ ନେଇ ସସ୍ମିତ ପାତ୍ର ଦ୍ୱନ୍ଦ ଉଠାଇଥିଲେ, ତେବେ ଏଥିପାଇଁ ଆନ୍ତଃମନ୍ତ୍ରୀ ସ୍ତରୀୟ କମିଟି ଓ ସିଏସିପିର ରିପୋର୍ଟକୁ ସେ ଭଲ ଭାବେ ପଢନ୍ତୁ ବୋଲି କହିଛନ୍ତି।

ହଳ କରିବା, ସାର ଓ ବିହନ ଏସବୁକୁ ନେଇ A-2 ମାନ ର୍ନିଦ୍ଧାରିତ କରାଯାଇଛି। ପରିବାରର ସମସ୍ତ ସଦସ୍ୟଙ୍କ ପାରିଶ୍ରମିକକୁ ନେଇ କଷ୍ଟ ଅଫ ପ୍ରଡକ୍ସନ ଧାର୍ଯ୍ୟ କରାଯାଇଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ ଗୁଣା କରାଯାଇଛି। ଜମିରେ ରେଣ୍ଟାଲ ଭାଲ୍ୟୁ ପ୍ରସଙ୍ଗ ଉଠାଇ ବିଜେଡି ଦ୍ୱନ୍ଦ ସୃଷ୍ଟି କରୁଥିବା ସେ କହିଛନ୍ତି। ଏନେଇ ଖୋଲା ବିତର୍କ ପାଇଁ  ଆହ୍ୱାନ ଦେବା ସହ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ୧୦୦ ଟଙ୍କା ବୋନସ୍ ଏଯାଏଁ କେତେ ଜଣଙ୍କୁ ଦେଇଛନ୍ତି। କେତେ କ୍ୱିଣ୍ଟାଲ ଧାନ ଉପରେ ଚାଷୀମାନେ ବୋନସ୍ ପାଇଛନ୍ତି। ସେ ସମ୍ପର୍କରେ ଏକ ବିସ୍ତୃତ ବିବରଣୀ ଦିଆଯାଉ ତଥା ସ୍ପଷ୍ଟ ଚିତ୍ର ଦିଆଯାଉ ବୋଲି ପ୍ରଶ୍ନ କରିଛନ୍ତି ।

 

ବିକାଶକୁ ରୋକିବା ପାଇଁ ବିଜେଡି ଷଡ଼ଯନ୍ତ୍ର କରୁଛି।  ଓଡ଼ିଶାର ଚାଷୀଙ୍କୁ ଜାଣିଶୁଣି ବିଭ୍ରାନ୍ତ କରି ରାଜନୀତି କରାଯାଉଛି। ଯାହା ବନ୍ଦ ହେବା ଉଚିତ୍।  ଓଡ଼ିଶାର ଚାଷୀ କିପରି ଭଲ ଦୁଇ ପଇସା ରୋଜଗାର କରିବେ, ସେ ଦିଗରେ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର। ଏପଟେ ରାଜ୍ୟର ଶାସନ କଳ ଅଯଥାରେ ବିଭ୍ରାନ୍ତିକର ତଥ୍ୟ ଦେବା ଅତ୍ୟନ୍ତ ନିନ୍ଦନୀୟ। ଓଡ଼ିଶାର ଚାଷୀଙ୍କ ପାଇଁ ମୋଦି ସରକାର ପ୍ରତିବଦ୍ଧ। କୌଣସି ଜିନିଷରେ ମୋଦି ନାଁ ଲାଗିଲେ କିମ୍ବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନଙ୍କ ନାଁ ଆସିଲେ ରାଜ୍ୟ ସରକାର  ଶଙ୍କିତ ହୋଇଯାଉଛନ୍ତି।

ବାସ୍ତବ କଥା ହେଲା ବର୍ତ୍ତମାନ  ମିଥ୍ୟା ଜାଲରେ ଛନ୍ଦି ହୋଇ ରହିଛନ୍ତି ନବୀନ ସରକାର। ନିଜେ ଛନ୍ଦିହେବା ସହ ଚାଷୀଙ୍କୁ ଏହି ଜାଲରେ ଛନ୍ଦିବାକୁ ଚାହୁଁଛନ୍ତି। ବର୍ତ୍ତମାନ ବି ଚାଷୀଙ୍କ ପାଖରେ ଟୋକନ୍ ପହଞ୍ଚି ପାରୁନି। ମିଲର ଧାନ ଉଠାଉନି, ଶୀତ କାକରରେ ମଣ୍ଡି ଜଗି ଜଗି ଚାଷୀ ନାହିଁନଥିବା ହଇରାଣ ହରକତ ହେଉଛନ୍ତି। ୨୦ ବର୍ଷ ଶାସନରେ ମଧ୍ୟ ଚାଷୀ ମାନେ ଠିକଣା ସମୟରେ ବିହନ କିଭିଳି ପାଇବ, ସେଦିଗରେ କିଛି ବିହିତ ପଦକ୍ଷେପ ନିଆଯାଇ ନାହିଁ। ଜଳସେଚନ କରିବା କଥା ନକହିବା ଭଲ। କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣରେ ଅର୍ଥରାଶି ଯୋଗାଉଥିଲେ ହେଁ ରାଜ୍ୟ ସରକାର ଏ ଦିଗରେ ଖର୍ଚ୍ଚ କରିପାରୁ ନାହାନ୍ତି।

ନବୀନ ସରକାରଙ୍କର ଚାଷୀଙ୍କ ପାଇଁ ଆନ୍ତରିକତା ନାହିଁ କି ସହୃଦୟତା ନାହିଁ। ପ୍ରଧାନମନ୍ତ୍ରୀ ଚାଷୀଙ୍କ ପାଇଁ କିଷାନ ମାନ ଧନ ଯୋଜନା ଘୋଷଣା କରିଛନ୍ତି। ଚାଷୀମାନେ ବି ଯେପରି ପେନସନ ପାଇବେ ସେଥିପାଇଁ ବ୍ୟବସ୍ଥା ହୋଇଛି। ହେଲେ ଦୁର୍ଭାଗ୍ୟର ବିଷୟ ରାଜ୍ୟ ସରକାର ଏହାଏଁ ସୁଯୋଗ୍ୟ ଚାଷୀଙ୍କ ତାଲିକା ପ୍ରସ୍ତୁତ କରିପାରୁନାହାନ୍ତି। ଆଗକୁ କରିପାରିବେ ବୋଲି ମଧ୍ୟ କୌଣସି ଆଶା ଦେଖାଯାଉନି। କେନ୍ଦ୍ର ସରକାର ଭାରତ ବର୍ଷ ତଥା ଓଡ଼ିଶାର ଚାଷୀଙ୍କ ପାଇଁ ଚିନ୍ତା କରୁଥିବା ବେଳେ ରାଜ୍ୟ ସରକାର ସତରେ କରୁଛନ୍ତି କ’ଣ ବୋଲି କଟାକ୍ଷ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ?

You might also like