ପ୍ରିନ୍ସିପାଲଙ୍କ ଚ୍ୟାମ୍ବର୍ ପାଲଟିଲା ରେସ୍ଲିଂ ରିଙ୍ଗ୍, ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ

ଆକାଉଣ୍ଟାଣ୍ଟ୍ ଓ ଛାତ୍ରଙ୍କ ମଧ୍ୟରେ ଯୁକ୍ତିତର୍କ, ହାତାହାତି ଓ ଠେଲାପେଲା

ଉଦଳା( ମାନସ ପାଣି) : ପ୍ରିନ୍ସିପାଲଙ୍କ ଚ୍ୟାମ୍ବର୍ ପାଲଟିଲା ରେସ୍ଲିଂ ରିଙ୍ଗ୍।  ଆକାଉଣ୍ଟାଣ୍ଟ୍ ଓ ଛାତ୍ରଙ୍କ ମଧ୍ୟରେ ଯୁକ୍ତିତର୍କ, ହାତାହାତି ଓ ଠେଲାପେଲାରୁ କଥା ପୁରାପୁରି ମାରପିଟ୍ ଯାଏଁ ଗଲା । ଶେଷରେ ପ୍ରିନ୍ସିପାଲ୍ ବି ଏଥିରେ ସାମିଲ ହୋଇ ଛାତ୍ରଙ୍କ ମୋବାଇଲ୍ ଛଡ଼ାଇ ଆଣି ତଳେ ଫୋପାଡ଼ି ଭାଙ୍ଗି ପକାଇଲେ।

ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍ ପୁରୁଣା କଟକ ଡ଼ିଗ୍ରୀ କଲେଜର ପ୍ରିନ୍ସିପାଲଙ୍କ ଚ୍ୟାମ୍ବର୍‌ରେ ଗତକାଲି ଘଟିଥିବା ଏ ତମାମ୍ ଘଟଣାର ଦୃଶ୍ୟ କଏଦ ହୋଇଛି ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ।

କଏଦ ହୋଇଛି ଛାତ୍ରଙ୍କ ଉପରେ କଲେଜ ପ୍ରିନ୍ସିପାଲ୍ ଓ ଆକାଉଣ୍ଟାଣ୍ଟଙ୍କ ଦାଦାଗିରିର ପୁରା ଦୃଶ୍ୟ।  ଅଭିଯୋଗ ଅନୁସାରେ, ଯୁକ୍ତି ୩ ଦ୍ୱିତୀୟ ବର୍ଷର ଛାତ୍ର ଦେବାଶିଷ ମହାନ୍ତ କଲେଜରୁ ସିଏଲ୍‌ସି ନେବା ପାଇଁ ଆବେଦନ କରିଥିଲେ। ପୂର୍ବରୁ ନିଜେ ପ୍ରିନ୍ସିପାଲ୍ ଏଥିପାଇଁ ୫ ହଜାର ଟଙ୍କା ମାଗିଥିବା ବେଳେ, ଗତକାଲି ସାଢ଼େ ୭ ହଜାର ଟଙ୍କା ଦାବି କରିଥିଲେ। କିନ୍ତୁ ଛାତ୍ର ଜଣକ ଏହା ଦେବାକୁ ମନା କରିବାରୁ ଆକାଉଣ୍ଟାଣ୍ଟ୍ ଓ ପ୍ରିନ୍ସିପାଲଙ୍କ ସହ ଯୁକ୍ତିତର୍କ ହୋଇଥିଲା।

ଏହାପରେ ପ୍ରଥମେ ଆକାଉଣ୍ଟାଣ୍ଟ୍ ଛାତ୍ରଙ୍କୁ ଠେଲା ପେଲା କରିବା ପରେ ଉଭୟଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲା ଏବଂ ଶେଷରେ ପ୍ରିନ୍ସିପାଲ୍ ନିଜ ଚ୍ୟାମ୍ବର୍‌ର କବାଟ ବନ୍ଦ କରି ଛାତ୍ରଙ୍କୁ ଅଟକ ରଖିବା ସହ ତାଙ୍କ ମୋବାଇଲ୍ ଛଡ଼ାଇ ଆଣି ତଳେ ଫୋପାଡ଼ି ଭାଙ୍ଗି ଦେଇଥିଲେ।  ଏଥିରେ କଲେଜର ଅନ୍ୟ ଜଣେ କର୍ମଚାରୀ ମଧ୍ୟ ସହଯୋଗ କରିଥିଲେ।  ତେବେ ଏନେଇ ପଚାରିବାରୁ ପ୍ରିନ୍ସିପାଲ୍ କହିଛନ୍ତି ଯେ, ଛାତ୍ର ଜଣକ ତାଙ୍କ ଚ୍ୟାମ୍ବରକୁ ଆସି ବଦମାସୀ କରୁଥିଲେ।

 

You might also like