ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କ ପହିଲି ରଜ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ପହିଲି ରଜ। ଓଡ଼ିଶାର ଏହି ଗଣପର୍ବକୁ ଉଲ୍ଲାସର ପାଳୁଛନ୍ତି ରାଜ୍ୟବାସୀ। ନୂଆ ପୋଷାକ ପିନ୍ଧି, ପାଦରେ ଅଳତା, ହାତରେ ମେହେନ୍ଦି ଏବଂ ମୁଣ୍ଡରେ କୁଙ୍କୁମ ଲଗାଇ ସଜ ହୋଇଛନ୍ତି କୁଆଁରୀ କନ୍ୟା। ତା’ସହ ଘରେ ଘରେ ପିଠାପଣାର ମହକ। ଆଉ ଏହି ଅବସରରେ ଓଡ଼ିଶାବାସୀଙ୍କୁ ପହିଲି ରଜର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ମୋଦି ଶୁଭେଚ୍ଛା ଜଣାଇବା ସହିତ ରାଜ୍ୟବାସୀଙ୍କ ସୁସ୍ଥତା କାମନା ମଧ୍ୟ କରିଛନ୍ତି।

ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଏନେଇ ସେ ଟ୍ୱିଟ୍‌ କରି ଲେଖିଛନ୍ତି “ବିଶେଷ ଉତ୍ସବ ‘ରଜ ପର୍ବ’ ଅବସରରେ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା । ଏହି ଅବସର ଆମ ସମାଜରେ ଆନନ୍ଦ ଓ ଭାତୃତ୍ୱକୁ ଆହୁରି ଦୃଢ଼ କରୁ। ରାଜ୍ୟବାସୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତୋରତ୍ତର ଉନ୍ନତି କାମନା କରୁଛି।”

କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପହିଲି ରଜର ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି “ଓଡ଼ିଶାର ଗଣ ପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରକୃତି, ଧରିତ୍ରୀ ଓ ନାରୀକୁ ପୂଜିବାର ବା ସମ୍ମାନ ଜଣାଇବାର ଏହା ହେଉଛି ଆମର ଅନନ୍ୟ ପରମ୍ପରା। ଆସନ୍ତୁ, କୋଭିଡ-୧୯ର ସମସ୍ତ ନିୟମକୁ ମାନି ଘରେ ରହି ଏଥର ରଜ ପର୍ବକୁ ସ୍ୱତନ୍ତ୍ର କରିବା।”

ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ପହିଲି ରଜର ଶୁଭେଚ୍ଛା ଜଣାଇଛନ୍ତି।

ରାଜ୍ୟରେ କରୋନା କଟକଣା ପାଇଁ ପୂର୍ବବର୍ଷ ଭଳି ଏଥର କିନ୍ତୁ ଉତ୍ସାହ ଉଦ୍ଦୀପନା ନାହିଁ। କେବଳ ଯାହା ଘର ଭିତରେ ରହି ପର୍ବ ପାଳିବାକୁ ସଜବାଜ ହୋଇଛନ୍ତି ସମସ୍ତେ। ଏଥର ଦୋଳି, ପୁଚି, ତାସ୍ ଭଳି କୌଣସି ପାରମ୍ପରିକ ଖେଳର ଆସର ଆଉ ଜମୁନି। ସେହିପରି କରୋନା ମୁକାବିଲା ପାଇଁ ଆଜି ରାଜ୍ୟର ୧୧ ଜିଲ୍ଲାରେ ଲାଗୁ ହୋଇଛି ଶଟ୍‌ଡାଉନ୍। ତେଣୁ ଦୋକାନ ବଜାର ବନ୍ଦ ସହ ଲୋକେ ଘରୁ ବାହାରିବା ଉପରେ କଟକଣା ରହିଛି।

You might also like