ନୂଆଣିଆ ଆଜବେଷ୍ଟସ୍ ଘରେ ପାଠପଢା

କେନ୍ଦୁଝରରେ ବିପର୍ଯ୍ୟସ୍ତ ଶିକ୍ଷାଦାନ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ରେ ରହିଛି ତଳଇରିଡ଼ା ପ୍ରାଥମିକ ସ୍କୁଲ। ସ୍କୁଲର ଅବସ୍ଥା ଦେଖିଲେ ପାଠପଢା କିଭଳି ଚାଲିଥିବ ତାହା ସହଜରେ ଅନୁମେୟ ହୁଏ। ଗାଁଲୋକଙ୍କ ଚେଷ୍ଟାରେ ନିର୍ମାଣ ହୋଇଛି ଝାଟିମାଟିରେ ତିଆରି ନୂଆଣିଆ ଆଜବେଷ୍ଟସ୍ ପକ୍କା ସ୍କୁଲଘର।

ତାରି ଭିତରେ ବସି ପାଠ ପଢୁଛନ୍ତି ଛୋଟଛୋଟ ପିଲା । ପୁଣି ରୋଷେଇ କରିବା ପାଇଁ ନିର୍ମାଣ କରାଯାଇଥିବା ଛାତଘର ବି ବେଳେବେଳେ ପାଲଟୁଛି ଶ୍ରେଣୀଗୃହ । ଫଳରେ ରୋଷେଇ ହେଉଛି ବାରଣ୍ଡାରେ । ତେଣୁ ଛୋଟଛୋଟ ପିଲାଙ୍କ ଭବିଷ୍ୟତ ଏଠାରେ କେତେ ଉଜ୍ଜ୍ୱଳ ତାହା ଜଳଜଳ ଦିଶୁଛି।

ସେପଟେ ଉପରଇରିଡ଼ା ଗାଁରେ ପ୍ରାଥମିକ ସ୍କୁଲର ବି ଶୋଚନୀୟ ଅବସ୍ଥା । ୭ ବର୍ଷ ହେଲା ସ୍କୁଲ ଘର ନିର୍ମାଣ କାମ ଅଧପନ୍ତରିଆ ହୋଇ ପଡିରହିଛି । ଫଳରେ ବାହାରେ ବସି ପିଲାଏ ପାଠ ପଢୁଛନ୍ତି । ଅନ୍ୟପଟେ ତେଲକୋଇ ବ୍ଲକର କାକୁଡିଅମ୍ବା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବି ସମାନ ଦୂରବସ୍ଥା ।

ଶ୍ରେଣୀଘର ଅଭାବ ଯୋଗୁ ଗୋଟିଏ ଗୋଟିଏ କକ୍ଷରେ ୪ଟି ଶ୍ରେଣୀର ପିଲା ପାଠପଢୁଛନ୍ତି । ଏପରିକି ବେଳେ ବେଳେ ବାରଣ୍ଡାରେ ବି ଦିଆଯାଉଛି ଶିକ୍ଷାଦାନ । ଫଳରେ ଏଠାରେ ବିପର୍ଯ୍ୟସ୍ତ ହୋଇପଡିଛି ଶିକ୍ଷାଦାନ। ତେବେ ଏସବୁ ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଛି । ଛୋଟ ଛୋଟ ପିଲାଙ୍କ ଭବିଷ୍ୟତକୁ ନଜରରେ ରଖି ସମସ୍ୟା ଗୁଡିକର ସମାଧାନ ଶୀଘ୍ର କରିବାକୁ ଦାବି ହୋଇଛି ।

You might also like