କିଏ ସେ ଦେଇଛି ଏମିତି ସଜା ? ମଣିଷ ହୋଇ ବି ଛଡ଼ାଇ ନେଇଛି ମଣିଷ ଭଳି ବଞ୍ଚିବାର ଇଚ୍ଛା

ଭୁବନେଶ୍ୱର: ରାଜ୍ୟରେ ଛୋଟ ମୋଟ କଥାରେ ଆଇନକୁ ହାତକୁ ନେଇ ନିଜେ କରୁଛନ୍ତି ଫୈସଲା କରୁଛନ୍ତି ଲୋକେ। ନା ସେମାନଙ୍କର ପୋଲିସକୁ ଭୟ ଅଛି ନା ସେମାନେ ଆଇନ୍ ବ୍ୟବସ୍ଥାକୁ ଖାତିର କରୁଛନ୍ତି। ୟୁପି, ବିହାର ଢାଞ୍ଚାରେ ଖାପ୍ ପଞ୍ଚାୟତ ଭଳି ଦଣ୍ଡ ନିର୍ଦ୍ଧାରଣ କରୁଛନ୍ତି ଗାଁ ଲୋକେ। ଆଜି ଆମେ ଆପଣଙ୍କୁ ବାଲେଶ୍ୱର ଏବଂ ବଲାଙ୍ଗିର ଜିଲ୍ଲାର ୨ଟି ଅମାନବୀୟ ଘଟଣା ସମ୍ପର୍କରେ କହିବୁ ଯାହାକୁ ଜାଣିଲେ ଆପଣଙ୍କ ମନରେ ବି ପ୍ରଶ୍ନ ଉଠିବ, ବାସ୍ତବରେ ରାଜ୍ୟରେ ଚାଲିଛି କଣ?

ଏକବିଂଶ ଶତାବ୍ଦୀରେ ବି ବିଡ଼ମ୍ବନାର ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ। ଏଠି ମଣିଷ ଭଳି ଜିଇଁବାର ହକ୍ ଛଡ଼ାଇ ନିଆଯାଉଛି।, ପାପ ନ କରି ବି ପଶୁ ଭଳି ବଞ୍ଚିବାକୁ କୁହାଯାଉଛି। ଏଭଳି  ନିର୍ଯାତନାର ଶିକାର ହୋଇଛନ୍ତି ବାଲେଶ୍ୱର ବାଲିଆପାଳ ଅଞ୍ଚଳର ଶ୍ରୀରାମ ପଞ୍ଚାୟତ ରହୁଥିବା ଏକ ପରିବାର।

ହାଡ଼ଥରା ଜାଡ଼ର ଯନ୍ତ୍ରଣା ସତ୍ତ୍ୱେ ପୂରା ପରିବାର ହ୍ୟୁମ ପାଇପରେ ଆଶ୍ରୟ ନେଉଛି। ପରିବାରଯାକ ଦୋଷ ନକରି ସଜା ଭୋଗୁଛନ୍ତି। ଏମାନଙ୍କ ପାଖରେ ନା ଖାଇବାକୁ ଅଛି, ନା ପିନ୍ଧିବାକୁ। ହେଲେ ଏମାନେ ବେସାହାରା ନୁହଁନ୍ତି। ଏମାନଙ୍କ ପାଖରେ ଘର ଅଛି, ଗାଁ ଅଛି, ଆତ୍ମୀୟ ସ୍ୱଜନ ବି ଅଛନ୍ତି। ହେଲେ  କାହିଁକି ଏମାନେ ଏମିତି ଦୟନୀୟ ଦଶା ଭୋଗୁଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ଘଟଣା ଅନୁସାରେ ହ୍ୟୁମ୍ ପାଇପ୍‌ରେ ଜୀବନ କାଟୁଥିବା ଏହି ପରିବାର ଅନ୍ଧବିଶ୍ୱାସର ଶିକାର ହୋଇଛନ୍ତି। ବଡ଼ ଭାଇର ୨ ପୁଅ ଅସୁସ୍ଥ ହୋଇ ପ୍ରାଣ ହରାଇବା ପରେ ଗୁଣିଗାରେଡ଼ି କରିଥିବା ଆଶଙ୍କା କରି ସେହି ପରିବାରର ସାନଭାଇ, ବୋହୂ ଏବଂ ଖୁଡ଼ୀଙ୍କୁ ଗାଁ ଲୋକେ ଏଭଳି ସଜ୍ଜା  ଦେଇଛନ୍ତି।ମାରଧର କରି ଗାଁରୁ ତଡ଼ିଦେବା ପରଠୁ ଏଭଳି ହ୍ୟୁମ୍ ପାଇପ୍‌ରେ ରହିବାକୁ ପଡ଼ୁଛି ଏମାନଙ୍କୁ।

ଏହି ଘଟଣା ସମ୍ପର୍କରେ ବାଲିଆପାଳ ଅତିରିକ୍ତ ତହସିଲଦାର ସୁବ୍ରତ କୁମାର ପାତ୍ରଙ୍କୁ ଜାଣାଇବା ପରେ ସେ କହିଛନ୍ତି ଯେ ଏହି ସମ୍ପର୍କରେ ତଦନ୍ତ ପାଇଁ କୁହାଯାଇଛି। ତଦନ୍ତ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ତହସିଲଦାର କହିଛନ୍ତି।

ବଲାଙ୍ଗିର ଜିଲ୍ଲା କାଳୀଝରଣ ଗାଁରେ ବି ସେମିତି ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ହେଲେ ଏଠି କିନ୍ତୁ ଅନ୍ଧବିଶ୍ୱାସରୁ ନୁହେଁ, ବରଂ ହତ୍ୟା ଆଶଙ୍କାକୁ ନେଇ ଶୈତାନର ଦଣ୍ଡ ଭୋଗୁଛନ୍ତି ଏମାନେ। ନା ପୋଲିସ ନା ନ୍ୟାୟାଳୟ କାହାରିକୁ ଭୟ ନାହିଁ କି ଖାତିର ବି ନାହିଁ। କଙ୍ଗାରୁ କୋର୍ଟରେ ଫଇସଲା କରି ଏହି ପରିବାରକୁ ଭିଟାମାଟିରୁ ବିଦା କରି ଦେଇଛନ୍ତି ଗାଁ ଲୋକେ। ସେତିକିରେ ବି ମନ ଶାନ୍ତି ହୋଇନଥିଲା ଗାଁ ଲୋକଙ୍କର। ଆକ୍ରୋଶର ନିଆଁରେ ସେମାନଙ୍କ ଘରଦ୍ୱାର ଜାଳିପୋଡ଼ି ପାଉଁଶ କରିଦେଇଛନ୍ତି ଗାଁ ଲୋକେ।

୨୦୨୦ ଜୁନ ୧ ତାରିଖରେ କାଳୀଝରଣର ଗାଁର ଧୀରଜ ସୁନାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ପତ୍ନୀ ଓ ପୁଅ, ଝିଅଙ୍କ ସହିତ ବିବାଦ ଯୋଗୁ ବର୍ଷେ ଧରି ଅଲଗା ରହୁଥିବା ଧୀରଜଙ୍କୁ ତାଙ୍କ ପତ୍ନୀ ହିଁ ଜଣେ ପେଶାଦାର ଅପରାଧୀକୁ ଲଗାଇ ହତ୍ୟା କରିଥିବା ନେଇ ଅଭିଯୋଗ ଉଠିଥିଲା। ଏନେଇ ଗାଁ ଲୋକେ ଥାନାରେ ଏତଲା ମଧ୍ୟ ଦେଇଥିଲେ।

ପୋଲିସ କିନ୍ତୁ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ କଙ୍ଗାରୁ କୋର୍ଟ ବସାଇ ଏହି ପରିବାରକୁ ଗାଁରୁ ତଡ଼ି ଦେଇଛନ୍ତି ଗାଁ ଲୋକେ। ଫଳରେ ମୃତ ଧୀରଜଙ୍କ ପତ୍ନୀ ସୁରୁଚୀ ସୁନା ଦୁଇ ସନ୍ତାନ ସହିତ ବାପ ଘରେ ରହୁଛନ୍ତି।

ଘଟଣାକୁ ପର୍ଷେ ପୂରିଯାଇଥିଲେ ବି ଗାଁ ଲୋକଙ୍କ ରାଗ ଶାନ୍ତ ହୋଇନି। ଘଟଣା ସମ୍ପର୍କରେ ପଚାରିଲା ବେଳକୁ କାଳୀଝରଣ ଗାଁ ବାସିନ୍ଦା ସଦାନନ୍ଦ ସୁନା କହିଛନ୍ତି ଯେ ମୃତ ଧୀରଜଙ୍କ ପତ୍ନୀ ସୁରୁଚୀ ସୁନା କୁଆଡ଼େ ଜଣେ ଅତ୍ୟଚାରୀ ଲୋକେ। ପୋଲିସ ଆସିଲେ ବି ତାଙ୍କୁ ଗାଁ ଲୋକେ ରଖେଇ ଦେବୁ ନାହିଁ। ପଡ଼ା ଲୋକ ମାରିପକାଇବେ ବୋଲି ସେ କହିଛନ୍ତି।

ଅନ୍ୟପଟେ ସୁରୁଚି କହିଛନ୍ତି ଯେ ସେ ତାଙ୍କ ସ୍ୱାମୀକୁ ମାରି ନାହାନ୍ତି। ତାଙ୍କର ଦୁଇଟି ପିଲା ଅଛନ୍ତି ସେମାନଙ୍କର ଭବିଷ୍ୟତ ଅଛି ତେଣୁ ତାଙ୍କ ସ୍ୱାମୀକୁ କାହିଁକି ମାରିବେ ବୋଲି କହିଛନ୍ତି ସୁରୁଛି। ସେ ଘରକୁ ଯାଇପାରୁ ନାହାନ୍ତି, ଗାଁ ଲୋକେ ଘରକୁ ଛାଡ଼ୁ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ତେବେ ପ୍ରଶ୍ନ ଉଠୁଛି କାହିଁକି ଆଇନକୁ ହାତକୁ ନେଇ ଏଭଳି ଦଣ୍ଡବିଧାନ କରୁଛନ୍ତି ଲୋକେ ?
ପୋଲିସ ଉପରୁ ଲୋକଙ୍କ ତୁଟିଯାଉଛି କି ଭରସା?

You might also like