୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର: ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ସନ୍ଧ୍ୟା ୬ଟାରେ ରାଷ୍ଟ୍ରପତି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ସିଧା ରାଜଭବନ ଯିବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କମିଶନରେଟ୍ ପୋଲିସ ପକ୍ଷରୁ ଆଜି କାରକେଡ୍ ରିହର୍ସଲ କରାଯାଇଛି। କାରକେଡ୍‌ରେ ସାମିଲ ହେବାକୁ ଥିବା ସମସ୍ତ ଗାଡ଼ିକୁ ନେଇ ଏହି ଅଭ୍ୟାସ କରାଯାଇଥିଲା। କିଭଳି ଭାବରେ ରାଷ୍ଟ୍ରପତିଙ୍କୁ ବିମାବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ପାଛୋଟି ନିଆଯିବ, ସେସବୁର ରିହର୍ସଲ କରାଯାଇଛି।

ବିମାନବନ୍ଦରରୁ, ଏୟାରପୋର୍ଟ ଟ୍ରାଫିକ, କ୍ୟାପିଟାଲ ହସ୍ପିଟାଲ ଓ ଏଜି ଛକ ଦେଇ ରାଜଭବନରେ ପହଞ୍ଚିବ କାରକେଡ୍। ଏହି ସମୟରେ ରାଷ୍ଟ୍ରପତିଙ୍କ କାରକେଡ୍ ଯିବାକୁ ଥିବା ରାସ୍ତାରେ ସାଧାରଣ ଲୋକଙ୍କ ଯାତାୟାତ ବନ୍ଦ ରହିବ। ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ବରିଷ୍ଠ ପୋଲିସ୍‌ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ୧୦୦ରୁ ଅଧିକ ଅଫିସର, ୩୦ ପ୍ଲାଟୁନ ଫୋର୍ସ, ହୋମ୍‌ଗାର୍ଡ ମୁତୟନ କରାଯାଇଛି। ଭୁବନେଶ୍ୱର ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ହେବ। ଏହାସହ ୮ ଜଣ ଅତିରିକ୍ତ ଏସ୍‌ପିଙ୍କ ସମେତ ୧୨ ଜଣ ଏସିପି, ଡିଏସ୍‌ପି ଏବଂ ୧୭ ଜଣ ଆଇଆଇସି ଦାୟିତ୍ୱରେ ରହିବେ। ୨୨ ତାରିଖରେ ରାଷ୍ଟ୍ରପତି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ରାଷ୍ଟ୍ରପତି କୋଣାର୍କ ଗସ୍ତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

ରାଷ୍ଟ୍ରପତି ଆଜି ରାଜଭବନରେ ରାତ୍ରୀଯାପନ କରିବେ ଓ କାଲି ସକାଳୁ ଭୁବନେଶ୍ୱରରୁ ଝାରସୁଗୁଡ଼ା ଏୟାରପୋର୍ଟ ଯିବେ। ସେଠାରୁ ହେଲିକପ୍ଟରରେ ରାଉରକେଲା ଯିବେ ରାଷ୍ଟ୍ରପତି। ସକାଳ ୧୧ଟାରେ ରାଉରକେଲା NIT ର ଅଷ୍ଟାଦଶ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବେ ଓ ଅପରାହ୍ନରେ ଆଇଜିଏଚ୍ ସୁପର ସ୍ପେସାଲିଟି ହସ୍ପିଟାଲ୍‌ ଉଦ୍‌ଘାଟନ କରିବେ। ସେଠାରୁ ସନ୍ଧ୍ୟାରେ ପୁଣି ରାଜଭବନ ଫେରିବେ। ରାଷ୍ଟ୍ରପତିଙ୍କ ରାଉରକେଲା ଗସ୍ତ ଲାଗି ସେଠାରେ ମଧ୍ୟ କାରକେଡ୍ ଅଭ୍ୟାସ କରାଯାଇଛି।

You might also like