ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

 

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କଲେ ରାଷ୍ଟ୍ରପତି
ରାଷ୍ଟ୍ରପତିଙ୍କ ପତ୍ନୀ, ରାଜ୍ୟପାଳ ଓ ଧର୍ମେନ୍ଦ୍ର ବି ଦର୍ଶନ କଲେ

ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ସହ ତାଙ୍କ ପତ୍ନୀ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସକାଳ ପ୍ରାୟ ୯ଟାରେ ରାଷ୍ଟ୍ରପତିଙ୍କୁ, ଗଜପତି ମହାରାଜ ସିଂହଦ୍ୱାର ନିକଟରେ ସ୍ୱାଗତ କରିଥିଲେ । ଏହାପରେ ରାଷ୍ଟ୍ରପତିଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ଆଜି ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତେବେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

ତେବେ ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ସାରି କୋଣାର୍କ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସକାଳ ପ୍ରାୟ ୧୦ଟା ୪୫ରେ ରାଷ୍ଟ୍ରପତି କୋଣାର୍କରେ ପହଞ୍ଚିବେ। ସେଠାରେ ପ୍ରାୟ ଅଧଘଂଟା ଧରି ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିରର କଳାକୃତି ଦେଖିବେ । ଏହାପରେ ସାଢେ ୧୧ଟାରୁ ୧୨ ଟା ଯାଏଁ ଇଣ୍ଡିଆନ୍ ଅଏଲ ଫାଉଣ୍ଡେସନ ଟ୍ରଷ୍ଟ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିବେ । ମଧ୍ୟାହ୍ନ ୧୨ଟାରୁ ୪ଟା ଯାଏଁ ଓଟିଡିସିର ଯାତ୍ରୀ ନିବାସରେ ବିଶ୍ରାମ ନେବା ପରେ ଅପରାହ୍ଣ ୪ଟା ୪୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବେ । ସେଠାରୁ ସ୍ୱତନ୍ତ୍ର ବିମାନରେ ପ୍ରାୟ ୭ଟା ୧୫ରେ ରାଷ୍ଟ୍ରପତି ଦିଲ୍ଲୀରେ ପହଁଚିବା କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ ଗତକାଲି ରାଉରକେଲାର ୧୮ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ରାମନାଥ । ତେବେ ସେଠାରେ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ଏହାସହ NITରେ ୩ ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯାଇଥିଲା ।

You might also like