ଶ୍ରୀମନ୍ଦିର ବୁଲିଲେ, ଦରମାରୁ ଲକ୍ଷେ ଟଙ୍କା ଦାନ କଲେ ରାଷ୍ଟ୍ରପତି

ପୁରୀ : ଶ୍ରୀଜିଉଙ୍କ ଦର୍ଶନ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିର ବିକାଶ ଅଭିଯାନରେ ସାମିଲ ହୋଇ ୧ ଲକ୍ଷ ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନକୁ ନିଜ ଦରମାରୁ ରାଷ୍ଟ୍ରପତି ଏହି ସମର୍ପଣ ନିଧି ଅର୍ପଣ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ତାଙ୍କ ଠାରୁ ଏହା ଗ୍ରହଣ କରିଥିଲେ । ରାଷ୍ଟ୍ରପତିଙ୍କ ଏହି ସମର୍ପଣ ନିଧି ଅର୍ପଣ ବିଶ୍ୱର ଓଡିଆ ଓ ହିନ୍ଦୁ ସମାଜକୁ ଏଥିପାଇଁ ଆଗେଇ ଆସିବାକୁ ପ୍ରେରିତ କରିଥିବାରୁ ରାଷ୍ଟ୍ରପତିଙ୍କୁ ଆନ୍ତରିକ କୃତଜ୍ଞତା ଓ ସାଧୁବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଦରମାରୁ ୧ଲକ୍ଷ ଟଙ୍କା ଶ୍ରୀମନ୍ଦିର ପାଣ୍ଠିକୁ ପ୍ରଦାନ କରିଥିଲେ । ତାସହିତ ଶ୍ରୀମନ୍ଦିର ବିକାଶ ପାଇଁ ବିଶାଳ ସମର୍ପଣ ନିଧି ସଂଗ୍ରହକୁ ସ୍ୱେଚ୍ଛାକୃତ ଜନ ଆନ୍ଦୋଳନରେ ପରିଣତ କରିବାକୁ କିଛି ଦିନ ତଳେ ସେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିଥିଲେ  । ସେହିପରି ଗତ ୧୪ ତାରିଖରେ ବିଶ୍ୱ ଓଡ଼ିଆ ସମୁଦାୟଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ । ଗଜପତି ମହାରାଜା ଓ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିରର ବିକାଶ ପାଇଁ ସାମୁହିକ ପ୍ରଚେଷ୍ଟା କରିବା ଦିଗରେ ହୋଇଥିବା । ଏହି ଆଲୋଚନାରେ ଆମେରିକା, ସ୍ୱିଡେନ୍, ଜାପାନ, ମିଆଁମାର, ଚୀନ୍ ଭଳି ୩୦ରୁ ଉର୍ଦ୍ଧ୍ୱ ଦେଶରେ ରହୁଥିବା ଓଡ଼ିଆ ଯୋଗଦେଇଥିଲେ ।

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ସହ ତାଙ୍କ ପତ୍ନୀ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସକାଳ ପ୍ରାୟ ୯ଟାରେ ରାଷ୍ଟ୍ରପତିଙ୍କୁ, ଗଜପତି ମହାରାଜ ସିଂହଦ୍ୱାର ନିକଟରେ ସ୍ୱାଗତ କରିଥିଲେ । ଏହାପରେ ରାଷ୍ଟ୍ରପତିଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ ।

ତେବେ ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ସାରି କୋଣାର୍କ ଯାଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସକାଳ ପ୍ରାୟ ୧୦ଟା ୪୫ରେ ରାଷ୍ଟ୍ରପତି କୋଣାର୍କରେ ପହଞ୍ଚିଥିଲେ । ସେଠାରେ ପ୍ରାୟ ଅଧଘଂଟା ଧରି ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିରର କଳାକୃତି ଦେଖିଥିଲେ । ଏହାପରେ ସାଢେ ୧୧ଟାରୁ ୧୨ ଟା ଯାଏଁ ଇଣ୍ଡିଆନ୍ ଅଏଲ ଫାଉଣ୍ଡେସନ ଟ୍ରଷ୍ଟ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିଛନ୍ତି । ମଧ୍ୟାହ୍ନ ୧୨ଟାରୁ ୪ଟା ଯାଏଁ ଓଟିଡିସିର ଯାତ୍ରୀ ନିବାସରେ ବିଶ୍ରାମ ନେବା ପରେ ଅପରାହ୍ଣ ୪ଟା ୪୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବେ । ସେଠାରୁ ସ୍ୱତନ୍ତ୍ର ବିମାନରେ ପ୍ରାୟ ୭ଟା ୧୫ରେ ରାଷ୍ଟ୍ରପତି ଦିଲ୍ଲୀରେ ପହଁଚିବା କାର୍ଯ୍ୟକ୍ରମ ରହିଛି ।

You might also like