ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପହଞ୍ଚିଲେ ରାଷ୍ଟ୍ରପତି

ଭୁବନେଶ୍ୱର: ତିନି ଦିନିଆ ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବାୟୁସେନାର ସ୍ୱତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି। ବିମାନବନ୍ଦରରେ ଦେଶର ପ୍ରଥମ ନାଗରିକଙ୍କୁ ସ୍ୱାଗତ କରିବାକୁ ରାଜ୍ୟପାଳ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବିରୋଧୀ ଦଳ ନେତା, ବିଜେପି ବିଧାୟକ ବିଷ୍ଣୁ ସେଠୀ ଓ ମୋହନ ମାଝୀ ମଧ୍ୟ ଉପସ୍ଥିତ ଅଛନ୍ତି। ଏହାସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଫିସର ଉପସ୍ଥିତ ଅଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୋଲିସ ପକ୍ଷରୁ କଡାକଡ଼ି ହୋଇଛି ସୁରକ୍ଷା ବ୍ୟବସ୍ଥା। ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ରାସ୍ତାରେ ସଶନ୍ତ୍ର ପୋଲିସ ମଧ୍ୟ ମୁତୟନ ହୋଇଛନ୍ତି।

ବିମାନବନ୍ଦରରୁ, ଏୟାରପୋର୍ଟ ଟ୍ରାଫିକ, କ୍ୟାପିଟାଲ ହସ୍ପିଟାଲ ଓ ଏଜି ଛକ ଦେଇ ରାଜଭବନରେ ପହଞ୍ଚିବ କାରକେଡ୍। ଏହି ସମୟରେ ରାଷ୍ଟ୍ରପତିଙ୍କ କାରକେଡ୍ ଯିବାକୁ ଥିବା ରାସ୍ତାରେ ସାଧାରଣ ଲୋକଙ୍କ ଯାତାୟାତ ବନ୍ଦ ରହିବ। ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ବରିଷ୍ଠ ପୋଲିସ୍‌ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ୧୦୦ରୁ ଅଧିକ ଅଫିସର, ୩୦ ପ୍ଲାଟୁନ ଫୋର୍ସ, ହୋମ୍‌ଗାର୍ଡ ମୁତୟନ କରାଯାଇଛି। ଭୁବନେଶ୍ୱର ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ହୋଇଛି। ଏହାସହ ୮ ଜଣ ଅତିରିକ୍ତ ଏସ୍‌ପିଙ୍କ ସମେତ ୧୨ ଜଣ ଏସିପି, ଡିଏସ୍‌ପି ଏବଂ ୧୭ ଜଣ ଆଇଆଇସି ଦାୟିତ୍ୱରେ ରହିଛନ୍ତି। ୨୨ ତାରିଖରେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ମଧ୍ୟ ରହିଛି। ଆସନ୍ତାକାଲି ଶ୍ରୀଜିଉଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି। ଏହାସହ ରାଷ୍ଟ୍ରପତି କୋଣାର୍କ ଗସ୍ତ କରିବାର ମଧ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଛି।

ରାଷ୍ଟ୍ରପତି ଆଜି ରାଜଭବନରେ ରାତ୍ରୀଯାପନ କରିବେ ଓ କାଲି ସକାଳୁ ଭୁବନେଶ୍ୱରରୁ ଝାରସୁଗୁଡ଼ା ଏୟାରପୋର୍ଟ ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ସେଠାରୁ ହେଲିକପ୍ଟରରେ ରାଉରକେଲା ଯିବେ ରାଷ୍ଟ୍ରପତି। ସକାଳ ୧୧ଟାରେ ରାଉରକେଲା NIT ର ଅଷ୍ଟାଦଶ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବେ ଓ ଅପରାହ୍ନରେ ଆଇଜିଏଚ୍ ସୁପର ସ୍ପେସାଲିଟି ହସ୍ପିଟାଲ୍‌ ଉଦ୍‌ଘାଟନ କରିବେ। ସେଠାରୁ ସନ୍ଧ୍ୟାରେ ପୁଣି ରାଜଭବନ ଫେରିବେ। ରାଷ୍ଟ୍ରପତିଙ୍କ ରାଉରକେଲା ଗସ୍ତ ଲାଗି ସେଠାରେ ମଧ୍ୟ କାରକେଡ୍ ଅଭ୍ୟାସ କରାଯାଇଛି ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

You might also like