ରାଉରକେଲାରେ ପହଞ୍ଚି NITର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

NITରେ ରାଷ୍ଟ୍ରପତି

ରାଉରକେଲା(ପୱାନ ତିୱାରୀ): ରାଉରକେଲାରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏନଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ଲାଗି ରାଉରକେଲା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି। ନିର୍ଦ୍ଧାରିତ ସମୟରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଇସ୍ପାତ ରାଜ୍ୟ ମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ସେଲ ଅଧକ୍ଷ୍ୟା ସୋମା ମଣ୍ଡଳ ଓ ଅନ୍ୟ ବରିଷ୍ଟ ଅଧିକାରୀ ଉପସ୍ଥିତ ଥିବା ନେଇ ସୂଚନା ମିଳିଛି ।

ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ପରେ ବିମାନ ବନ୍ଦରରୁ ରାଷ୍ଟ୍ରପତି ସିଧାସଳଖ ଏନଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି l ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୂର୍ଵାହ୍ନ ୧୧ଟା ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏନଆଇଟିରେ ରହିବାର କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି। ପରେ ୧୨ଟାରୁ ୩ଟା ଯାଏଁ ରାଉରକେଲା ହାଉସରେ ବିଶ୍ରାମ ନେବେ। ଏହାପରେ ଅପରାହ୍ଣ ୩ଟା ୪୫ ମିନିଟରେ ସେ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଲୋକାର୍ପଣ କରିବେ।

ରାଷ୍ଟ୍ରପତି ଡକ୍ଟର ରାମନାଥ କୋବିନ୍ଦଙ୍କ ପୂର୍ବରୁ ୨୦୦୩ରେ ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ୍ କଲାମ୍ ଷ୍ଟିଲସିଟି ଆସିଥିଲେ। NIT ରାଉରକେଲା ପ୍ରତିଷ୍ଠା ପରଠାରୁ କୌଣସି ରାଷ୍ଟ୍ରପତି ପ୍ରଥମ ଥର ପାଇଁ ଏଠାକୁ ଆସୁଥିବାରୁ ଛାତ୍ରଛାତ୍ରୀ, ଅଧିକାରୀ ବେଶ୍ ଉତ୍ସାହିତ ଥିବା ଦେଖାଯାଇଛି।

୩ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମର ଅନ୍ତିମ ଦିନ ଅର୍ଥାତ ଆସନ୍ତାକାଲି, ରାଷ୍ଟ୍ରପତି ଶ୍ରୀଜୀଉଙ୍କ ଦର୍ଶନ ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଭ୍ରମଣ କରିବେ। ଏଥିପାଇଁ ଉଭୟ ଶ୍ରୀକ୍ଷେତ୍ର ଓ ଅର୍କକ୍ଷେତ୍ରରେ କାରକେଡ୍ ରିହର୍ସାଲ ହୋଇଛି । ସୋମବାର ଦିନ ପ୍ରାୟ ୧୧ଟା ବେଳେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିବେ ଡ କୋବିନ୍ଦ। ଏହାପୂର୍ବରୁ ୨୦୧୮ରେ ମଧ୍ୟ ସେ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଶ୍ରୀଜୀଉଙ୍କ ଦର୍ଶନ ପରେ କୋଣାର୍କ ଅଭିମୁଖେ ବାହାରିବେ ରାଷ୍ଟ୍ରପତି। ଅପରାହ୍ଣ ୪ଟାରେ ସୂର୍ଯ୍ୟ ମନ୍ଦିର ନିକଟରେ ଇଣ୍ଡିଆନ ଅଏଲ୍ ଫାଉଣ୍ଡେସନ୍ ଦ୍ୱାରା ନିର୍ମିତ ବାଖ୍ୟାନ କେନ୍ଦ୍ର ବୁଲି ଦେଖିବେ। ଏହାପରେ ବ୍ଳାକ୍ ପଗୋଡ଼ା-କୋଣାର୍କରେ ଦେଖିବେ କଳିଙ୍ଗ କଳାଭାସ୍କର୍ଯ୍ୟର ଅନନ୍ୟ ନିଦର୍ଶନ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଗତକାଲି ଆକାଶ ମାର୍ଗରୁ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ବାୟୁସେନା ଅଧିକାରୀ। କୋଣାର୍କ କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ଭୁବନେଶ୍ୱର ଫେରି ଆସନ୍ତାକାଲି ସଂଧ୍ୟାରେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଏହି ଗସ୍ତ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସବୁ ସ୍ଥାନରେ କୋଭିଡ୍ ନିୟମାବଳୀ ପାଳନ କରାଯିବ। ରାଷ୍ଟ୍ରପତିଙ୍କୁ ସ୍ୱାଗତ ଓ ବିଦାୟ ସମ୍ବର୍ଦ୍ଧନା ବେଳେ କମ୍ ସଂଖ୍ୟକ ଅତିଥି ଉପସ୍ଥିତ ରହିବେ ବୋଲି ଜଣାଯାଇଛି। ସେହିଭଳି କୌଣସି ସ୍ଥାନରେ ଫୁଲ, ଉପହାର କିମ୍ବା ସ୍ମୃତିଫଳକ ଦିଆଯାଇପାରିବ ନାହିଁ ବୋଲି ସୂଚନା ମିଳିଛି।

You might also like