ବରଗଡ଼ ଧନୁଯାତ୍ରା ପାଇଁ ଜୋରଦାର୍‌ ପ୍ରସ୍ତୁତି

ବରଗଡ଼: ପାଖେଇ ଆସିଲାଣି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଆଉ ଦିନ କେଇଟା ପରେ ଧନୁଯାତ୍ରାକୁ ନେଇ ବରଗଡ଼ରେ ଲୋକଙ୍କ ଭିଡ଼ ଜମିବ। ଅନ୍ୟପଟେ, ଧନୁଯାତ୍ରା ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଧନୁଯାତ୍ରାରେ ବରଗଡ଼ ସହର ପାଲଟିବ ମଥୁରାନଗରୀ। ଏଥିପାଇଁ ଜୋର୍‌ସୋର୍‌ରେ ସଜବାଜ ଚାଲିଛି।

ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବାକୁ ସମସ୍ତେ ଲାଗିପଡ଼ିଛନ୍ତି।

ବରଗଡ଼ କଲ୍ୟାଣ ମଣ୍ଡପ ପାଲଟିଛି ଆଖଡ଼ାଶାଳ। ଅଭିନୟକୁ ଉନ୍ନତତର କରିବାକୁ କଳାକାରମାନେ ପ୍ରସ୍ତୁତ ହେଉଛନ୍ତି।

ଅନ୍ୟପଟେ, ଧନୁଯାତ୍ରାରେ ଅଭିୟନ କରୁଥିବା କଳାକାରଙ୍କ ପାଇଁ ଚାଲିଛି ନୂଆ ପୋଷାକ ତିଆରି। ଝଙ୍କାର ଚିତ୍ରାଳୟ ମୁଖ୍ୟ ଦେବାନନ୍ଦ ସାହୁଙ୍କ ପରିବାର ଦୀର୍ଘ ୬୯ ବର୍ଷ ଧରି ଏହି ପୋଷାକ ପ୍ରସ୍ତୁତ କରୁଛନ୍ତି। କଳାକାରଙ୍କ ପାଇଁ ମୁକୁଟ, ପଗଡ଼ି ପ୍ରସ୍ତୁତି ଚାଲିଛି। ଧନୁଯାତ୍ରାର ମୁଖ୍ୟ ଆକର୍ଷଣ କଂସ ମହାରାଜଙ୍କ ପୋଷାକ ପ୍ରତି ଅଧିକ ଧ୍ୟାନ ଦିଆଯାଉଛି।

ଜାନୁଆରୀ ୧୧ରୁ ଆରମ୍ଭ ହେବ ବରଗଡ଼ର ବିଶ୍ୱପ୍ରସିଦ୍ଧ ଯନୁଯାତ୍ରା। ମଝିରେ ଆଉ ମାତ୍ର ୧୫ ଦିନ ଥିବାରୁ ପ୍ରଶାସନ ତତ୍ପର ହୋଇ ପଡ଼ିଛି। ସହର ଭିତରେ ଓ ବାହାର ଅଞ୍ଚଳରେ ଶୋଭା ପାଇବ ରଙ୍ଗୀନ ତୋରଣ। ଚଳିତ ବର୍ଷ ସହର ମଧ୍ୟରେ ୨୦ଟି ରଙ୍ଗୀନ ତୋରଣ ଲାଗିବ। ପ୍ରତି ତୋରଣର ଉଚ୍ଚ ୪୦ ଫୁଟ୍‌ ରହିବ।

ଏଥି ପାଇଁ ଖର୍ଚ୍ଚ ହେବ ପ୍ରାୟ ୮ ଲକ୍ଷ ଟଙ୍କା। ଧନୁଯାତ୍ରା ମହୋତ୍ସବ କମିଟି ମୁଖ୍ୟ ତଥା ବରଗଡ଼ ଜିଲ୍ଲାପାଳ ସହରର ସଜବାଜ ନେଇ ନିଜେ ସମୀକ୍ଷା କରିଛନ୍ତି।

ଜାନୁଆରୀ ୧୧ରେ ଆରମ୍ଭ ହୋଇ ୧୧ ଦିନ ଧରି ଜାନୁଆରୀ ୨୮ରେ ଶେଷ ହେବ ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା।

(ବରଗଡ଼ରୁ ଦୀପକ ଶର୍ମାଙ୍କ ରିପୋର୍ଟ)

You might also like