ଆସି ପାରିଲାନି ଆମ୍ବୁଲାନ୍ସ; ବନ୍ୟା ପାଣିରେ ୩ କିମି ଚାଲି ଚାଲି ଆସିଲେ ଗର୍ଭବତୀ

ବାଲେଶ୍ୱର: ବନ୍ୟା ପରିସ୍ଥିତି ବାଲେଶ୍ୱର ଜିଲ୍ଲାରେ ଭୟଙ୍କର ରୂପ ନେଇଛି। ଦୁର୍ଦ୍ଦଶା ଭିତରେ ରହିଛନ୍ତି ଲୋକେ। ଏହି ଦୁର୍ଦ୍ଦଶା ମଧ୍ୟରେ ସବୁଠାରୁ ସଙ୍ଗୀନ ସ୍ଥିତି ହୋଇଛି ଗାଁ ଗହଳିରେ ଥିବା ଲୋକଙ୍କର ।  ବାଲେଶ୍ୱର ସଦର ବ୍ଲକ ସାରେଙ୍ଗା ଗାଁରେ ଜଣେ ଆସନ୍ନ ପ୍ରସବାଙ୍କ ଗର୍ଭ ଯନ୍ତ୍ରଣା ଅସହ୍ୟ ହୋଇଥିଲା। ହେଲେ ବର୍ଷା ଓ ବନ୍ୟା ଯୋଗୁ ଆମ୍ବୁଲାନ୍ସ ଆସି ପାରିଲାନି। ଫଳରେ ଗାଁ ଲୋକେ ମହିଳାଙ୍କୁ ବନ୍ୟାପାଣି ସୁଅରେ ଚଲାଇ ଚଲାଇ ନେଇଥିଲେ । ଏହି ଖବର ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ବାଲେଶ୍ୱର ସଦର ବ୍ଲକ ସାରେଙ୍ଗା ଗାଁର ଜଣେ ମହିଳା ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେବାକୁ ଚାହିଁଲେ। ଆମ୍ବୁଲାନ୍ସକୁ ଖବର ଦେଲେ। ହେଲେ ରାସ୍ତା ଉପରେ ପାଣି ଚାଲୁଥିବାରୁ ଗର୍ଭବତୀଙ୍କ ପାଖରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ।

ଗାଁଠାରୁ ତିନି କିମି ଦୂରରେ ଥିଲା ଅପେକ୍ଷା କରିଥିଲା ଆମ୍ବୁଲାନ୍ସ। ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବନ୍ୟା ପାଣି ।  ବାଧ୍ୟ ହୋଇ ମହିଳାଙ୍କୁ ଚଲାଇ ଚଲାଇ ଆଣିଲେ ଗ୍ରାମବାସୀ।  ଉଭୟ ପଟୁ ଗର୍ଭବତୀଙ୍କୁ ଧରିଥିଲେ କିଛି ଲୋକ।  ବନ୍ୟା ପାଣିର ସୁଅ ଏତେ ଅଧିକା ଥିଲା ଯେ ରାସ୍ତାରେ ଚାଲିବା କଷ୍ଟଦାୟକ ଥିଲା ବୋଲି କହିଛନ୍ତି ପରିବାରଲୋକେ। ତଥାପି ବାଡି ସାହାଯ୍ୟରେ ପାଣିରେ ବାଟ କାଢି ୩ କିଲୋମିଟର୍ ଦୂର ଉଚ୍ଚ ସ୍ଥାନକୁ ଆସିବା ପରେ  ଆମ୍ବୁଲାନ୍ସ ପାଇଥିଲେ। ସେଠାରୁ ତାଙ୍କୁ ଡାକ୍ତରଖାନାକୁୁ ନିଆଯାଇଛି।

You might also like