ଗର୍ଭବତୀଙ୍କୁ ଖଟିଆରେ ୭ କିମି ବୋହି ଆଣି ପହଞ୍ଚିବା ବେଳକୁ ଅମ୍ବୁଲାନ୍ସ ଛୁ…
ରାୟଗଡ଼ା(ମନୋଜ ପାତ୍ର): ଉପାନ୍ତ ଅଞ୍ଚଳରେ ଜନନୀ ଯନ୍ତ୍ରଣାର କରୁଣ ଚିତ୍ର। ଫୋନ ପାଇ ଗର୍ଭବତୀଙ୍କୁ ନେବା ପାଇଁ ଆସିଥିଲା ଆମ୍ୱୁଲାନ୍ସ। ହେଲେ ଗାଁକୁ ରାସ୍ତା ନଥିବାରୁ ଅଧା ବାଟରେ ଅଟକି ରହିଲା ଗାଡ଼ି। ପରିବାର ଲୋକେ ଯନ୍ତ୍ରଣାରେ ଛଟପଟ ହେଉଥିବା ଗର୍ଭବତୀଙ୍କୁ ଖଟିଆରେ ବୋହି ଆଣିଥିଲେ। ହେଲେ ସେତେବେଳକୁ ଆମ୍ୱୁଲାନ୍ସ ଅପେକ୍ଷା କରି ପଳାଇ ଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲାରୁ।
ସେପଟେ ଆମ୍ୱୁଲାନ୍ସ ଯାଇପାରିବନି ଖବର ପାଇଁ ସବିତା ତାଡ଼ିଙ୍ଗିଙ୍କ ପରିବାର ଲୋକଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। କିଛି ଉପାୟ ନପାଇ ଯନ୍ତ୍ରଣାରେ ଛଟପଟ ହେଉଥିବା ସବିତାଙ୍କୁ ଗାଁ ଲୋକେ ଖଟିଆରେ ବୋହି ନେଇଥିଲେ। ସେତେବେଳକୁ ଆମ୍ୱୁଲାନ୍ସ ଫେରି ଯାଇଥିଲେ। ଶେଷରେ ଗାଁ ଲୋକେ ଗର୍ଭବତୀଙ୍କୁ ଏକ ଘରୋଇ ଗାଡ଼ିରେ ନେଇ କୋଲନରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ଏବେ ମାଆ ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି।
ଲୋକଙ୍କୁ ଡିଜିଟାଲ୍ର ସ୍ୱପ୍ନ ଦେଖାଯାଉଛି। ହାତ ପାହାନ୍ତାରେ ସବୁକିଛି ଯୋଗାଇବାର ପ୍ରତିଶ୍ରୁତି ମଧ୍ୟ ଦିଆଯାଉଛି। ହେଲେ ଦୁଃଖର ବିଷୟ ଦେଶ ସ୍ୱାଧୀନ ହେବାକୁ ୭୦ ବର୍ଷ ବିତି ଯାଇଥିଲେ ସୁଦ୍ଧା ଗାଁକୁ ଆଜି ପର୍ଯ୍ୟନ୍ତ ରାସ୍ତା ତିଆରି ହୋଇପାରିନି। ପଶୁ ପକ୍ଷୀଙ୍କ ପରି ଲୋକମାନେ ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଜୀବନ ଅତିବାହିତ କରୁଛନ୍ତି। ଯେଉଁଥିପାଇଁ ଗର୍ଜ ଯନ୍ତ୍ରଣା ପାଉଥିବା ଜଣେ ଗର୍ଭବତୀଙ୍କୁ ଆଣିବାକୁ ଯାଇପାରିଲାନି ଆମ୍ୱୁଲାନ୍ସ।