୩ କିଲୋମିଟର ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

ନାରାୟଣପାଟଣା : ଗାଁକୁ ନାହିଁ ରାସ୍ତା । ଆସିପାରିଲାନି ଆମ୍ବୁଲାନ୍ସ।  ୩ କିଲୋମିଟର ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ ଉପର ଗଡିତ ଗାଁରେ ।

ସୂଚନା ମୁତାବକ, ଆଜି ସକାଳୁ ଗାଁର ସୋନିଆ ଜାନୀଙ୍କ ପତ୍ନୀ ମିଣିଙ୍ଗ ଜାନୀଙ୍କ ପ୍ରସବ ବେଦନା ହେବାରୁ ମେଡିକାଲକୁ ନେବାକୁ ବାହାରିଥିଲେ ଘର ଲୋକ।   ଏଥିପାଇଁ ୧୦୨ ଆମ୍ବୁଲାନ୍ସକୁ ମଧ୍ୟ ଫୋନ୍ କରିଥିଲେ । ହେଲେ ଗାଁକୁ ରାସ୍ତା ନ ଥିବାରୁ ୩ କିଲୋମିଟର ଦୂରରେ ଆମ୍ବୁଲାନ୍ସ ରହିଯାଇଥିଲା । ଫଳରେ ମିଣିଙ୍ଗ ଜାନୀଙ୍କୁ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନିଆଯାଇଥିଲା।

ପରିବାର ଲୋକେ ପାହାଡିଆ ରାସ୍ତାରେ ନାଲକୋ ମାଇନସ ଅଞ୍ଚଳ ପର୍ଯ୍ୟନ୍ତ ବୋହିନେଇଥିଲେ । ତା ପରେ ସେଠାରୁ ମହିଳାଙ୍କୁ ୧୮ କି.ମି ଦୂର ମାତାଲପୁଟ ମେଡିକାଲରେ ଭର୍ତ୍ତି କରାଯିବା ପରେ ସେ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି।

ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି । ବିଜାଘାଟି ପଞ୍ଚାୟତର ତଳ ଗଡତି, ଉପର ଗଡତି ଓ ମୁଣ୍ଡଗଡତି ଗାଁକୁ ରାସ୍ତା ନଥିବାରୁ ଏଠାକାର ବାସିନ୍ଦା ବହୁତ ହଇରାଣ ହେଉଛନ୍ତି ।

ସେହିଭଳି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଗୌରମାଲ ପଂଚୟତର କୁତୁରାଡେରା ରାସ୍ତା ଖରାପ ଯୋଗୁଁ  ବାଟରେ ଅଟକିଥିଲା ଆମ୍ବୁଲାନ୍ସ । ପ୍ରାୟ ୫କିମି ଦୂରରେ ଥିବା ବଡ଼ଜୂବ ଗାଁକୁ ଆମ୍ବୁଲାନ୍ସ ଯାଇନପାରି ଅଟକି ରହିଥିବାରୁ ବୃଦ୍ଧଙ୍କୁ ବାଇକରେ ୫ କି.ମି ଆଣି ଅଟକି ରହିଥିବା ଆମ୍ବୁଲାନ୍ସରେ ବସାଇ ଡାକ୍ତରଖାନାକୁ ନେଇଥିଲେ। ଖରାପ ଯୋଗୁଁ ଏପରି ପରିସ୍ଥିତି ଆଜି ଦେଖାଦେଇଛି।

You might also like