ଲକ୍‌ଡାଉନ ଯୋଗୁ ଆସିପାରିଲାନି ଆମ୍ବୁଲାନ୍ସ; ୩ କିମି ଚାଲି ଚାଲି ଗଲେ ପ୍ରସୂତି

ବାଲେଶ୍ୱର: ଲକ୍‌ଡାଉନ ଯନ୍ତ୍ରଣା ଦିନକୁ ଦିନ ଦୁର୍ବିସହ ହୋଇ ପଡ଼ୁଛି। କେଉଁଠି ବାପାର ଶେଷ ଦର୍ଶନ କରିପାରୁନି ପୁଅ, କେଉଁଠି ବିଦେଶରେ ଜୀବନ ହରାଇଥିବା ପୁଅର ଶବ ଆସିପାରୁନି ଗାଁକୁ। ହେଲେ ଏହାର ପ୍ରତିକାର କିଛି ନାହିଁ।

ଏବେ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଚାଲିଥିବାବେଳେ ବାଲେଶ୍ୱର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆମ୍ବୁଲାନ୍ସ ଆସି ନ ପାରିବାରୁ ଜଣେ ଗର୍ଭବତୀ ୩ କିମି ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି।

କରୋନା ଭୟରେ ଗାଁ ଗାଁରେ ବାଉଁଶ ଘେରା ହୋଇ ବାଡ ପଡ଼ିଛି। ଏହି ସମୟ ମଧ୍ୟରେ  ମୟୁରଭଞ୍ଜ ଜିଲ୍ଲା ବାଣପୁର ଅଞ୍ଚଳର ଗାୟତ୍ରୀ ରଣା ନାମ୍ନୀ ଜଣେ ମହିଳା ଗତକାଲି ହଠାତ୍ ଗର୍ଭଯନ୍ତ୍ରଣା ଅନୁଭବ କଲେ । ଏହି ଖବର ପାଇବା ପରେ ଗାୟତ୍ରୀଙ୍କ ବାପା ଏକ ଘରୋଇ ଆମ୍ବୁଲାନ୍ସ ଓ ଆଶା କର୍ମୀ ସହ ତାଙ୍କୁ ନିକଟସ୍ଥ ନୀଳଗିରି ହସ୍ପିଟାଲକୁ ନେବାକୁ ଆସିଥିଲେ ।

ତେବେ ଗାୟତ୍ରୀଙ୍କ ଶାଶୁଘର ଗାଁ ରାସ୍ତାରେ କରୋନା ଭୟରେ ବାଉଁଶ ବାଡ଼ ଘେରାଯାଇଥିବାରୁ ଆମ୍ବୁଲାନ୍ସ ଘର ଯାଏଁ ଯାଇପାରିନଥିଲା । ଚାଲି ଚାଲି ଆସିବା ଛଡ଼ା କିଛି ଉପାୟ ନ ଥିଲା। ହେଲେ ଗାୟତ୍ରୀଙ୍କର ଗୋଡ ଫୁଲି ଯାଇଥିବାରୁ ଚାଲିବା ବି ତାଙ୍କ ପକ୍ଷେ କଷ୍ଟକରଥିଲା କିନ୍ତୁ ନିରୂପାୟ ଶାଶୁ ଘର ଲୋକେ ଗର୍ଭବତୀ ଗାୟତ୍ରୀଙ୍କୁ ଚଲାଇ ଚଲାଇ ଆଣି ୩ କିଲୋମିଟର ଦୂର  ଆମ୍ବୁଲାନ୍ସ ପାଖକୁ ଆଣିଥିଲେ । ଏବେ ସେ ନୀଳଗିରି ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ସୂଚନାଥାଉ କି, ପୂର୍ବରୁ ଗାଁ ଗାଁରେ ଲାଗିଥିବା ବ୍ୟାରିକେଡ ବେଆଇନ ବୋଲି କହିଥିଲେ ସ୍ୱତନ୍ତ୍ର ରିଲଫ୍ କମିଶନର ପ୍ରଦୀପ ଜେନା।

You might also like