ପ୍ରଶାନ୍ତଙ୍କ ଦୃଢ଼ ଇଛାଶକ୍ତି ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା

ଭୁବନେଶ୍ୱର: ଗୋଡ଼ ସଂପୂର୍ଣ୍ଣ ନାହିଁ କି ହାତ ବି ସଂପୂର୍ଣ୍ଣ ନାହିଁ। କିନ୍ତୁ ଷ୍ଟେଜକୁ ଚଢ଼ିଲେ ଆଉ ମ୍ୟୁଜିକ୍ ବାଜିଲେ, ଅଥୟ ହୋଇପଡ଼ନ୍ତି ସିଏ। ଏତେ ଚମତ୍କାର ଯେ, ବେଳେବେଳେ ସାରା ଷ୍ଟେଜ୍ ମଧ୍ୟ ନିଅଣ୍ଟ ପଡ଼ିଯାଏ। ଆମେ କହୁଛୁ ବାଲେଶ୍ୱର ଜିଲ୍ଲା କୁଳିଗୁଡ଼ିର ପ୍ରଶାନ୍ତ ରାଉତଙ୍କ କଥା।

ଦିନେ ପ୍ରଶାନ୍ତଙ୍କ ଜନ୍ମକୁ ନେଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ ବାପା ମାଆ। ଆଜି ସେଇ ପୁଅକୁ ନେଇ ଗର୍ବ କରୁଛନ୍ତି। ପ୍ରଶାନ୍ତଙ୍କୁ ବୋଝ ବୋଲି ଭାବୁଥିଲେ, ଆଜି ପୁଅ ସେମାନଙ୍କୁ ପୋଷୁଛି। ତାଙ୍କ ନାଁ ରଖିଛି।

ପିଲାଟି ଦିନରୁ ଦିବ୍ୟାଙ୍ଗ ପ୍ରଶାନ୍ତଙ୍କର ଇଚ୍ଛା ଥିଲା ସେ ହେବେ ବଡ ଡ୍ୟାନ୍ସର। ହାତ ଗୋଡ଼ ନଥିବା ଜଣେ ପିଲାର ଏ ସ୍ୱପ୍ନ କଥା ଯିଏ ଶୁଣେ ସେ ହସୁଥିଲା। କିନ୍ତୁ ଏଥିରେ ଭାଙ୍ଗି ପଡ଼ିନଥିଲେ ପ୍ରଶାନ୍ତ। ତାଙ୍କର ନିଜ ଉପରେ ଥିଲା ଅଖଣ୍ଡ ବିଶ୍ୱାସ। ଧୀରେ ଧୀରେ ସେ ନୃତ୍ୟ ଶିଖିବା ସହ, ବିଭିନ୍ନ ଟିଭି ପ୍ରୋଗ୍ରାମର ପ୍ରତିଯୋଗିତାରେ କମାଲ କରି ଦେଖାଇଲେ। ପ୍ରଶଂସିତ ମଧ୍ୟ ହେଲେ। ଏବେ ସେ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମାଲ ମହୁ ଜୀବନ ମାଟି’ରେ ଅଭିନେତା ସବ୍ୟସାଚୀଙ୍କ ସହ ଅଭିନୟ କରିବାର ସୁଯୋଗ ପାଇଛନ୍ତି। କେବଳ ସେତିକି ନୁହେଁ, ନିଜ ଗାଁର ପିଲାଙ୍କୁ ମଧ୍ୟ ସେ ନୃତ୍ୟ ଶିକ୍ଷା ଦେଉଛନ୍ତି।

ପ୍ରଶାନ୍ତଙ୍କ ପରିବାର କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇଛନ୍ତି। ଆଉ ଏହି ଘର  ଭିତରେ ସେ ଦେଉଛନ୍ତି ନୃତ୍ୟଶିକ୍ଷା। ଦିବ୍ୟାଙ୍ଗ ହୋଇଥିବା ସତ୍ତ୍ୱେ ନିଜର ଏହି ଦକ୍ଷତା ଓ ସଫଳତା ପାଇଁ ପ୍ରଶାନ୍ତଙ୍କୁ ଓଡ଼ିଶାର ରାଜ୍ୟପାଳ ମଧ୍ୟ ସମ୍ବର୍ଦ୍ଧିତ କରିଛନ୍ତି।

You might also like