ଏଇଟା ଛୋଟିଆ କଥା, ଗୃହରେ ଏହାକୁ ଉଠାଇବା ଠିକ୍ ନୁହେଁ: ପ୍ରମିଳା
ମୁହଁ ଖୋଲିଲେ ପ୍ରମିଳା
ଭୁବନେଶ୍ୱର: ଜଣେ ପୋଲିସ ଅଫିସରଙ୍କୁ ଚାନ୍ଦବାଲି ବିଧାୟକଙ୍କ ଧମକ ଅଡ଼ିଓ ପ୍ରସଙ୍ଗରେ ମୁହଁ ଖୋଲିଲେ ବିଜେଡିର ବିଧାୟିକା ତଥା ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। କହିଲେ, ଏଇଟା ଗୋଟେ ଛୋଟିଆ କଥା। ଏହାକୁ ଗୃହରେ ଉଠାଇବା ଠିକ୍ କଥା ନୁହେଁ। କେଉଁଠି ବିଧାୟକମାନେ ଅଫିସରଙ୍କ ସହ କଣ ଟିକେ କଥା ହୋଇଗଲେ ତାହାକୁ ବିରୋଧୀମାନେ ଗୃହରେ ଉଠାଇବା ମୋ ମତରେ ଉଚିତ୍ ନୁହେଁ ବୋଲି ପ୍ରମିଳା କହିଛନ୍ତି।
ଜଣେ ପୋଲିସ ଅଫିସରଙ୍କୁ ଚାନ୍ଦବାଲି ବିଧାୟକଙ୍କ ଧମକ ଅଡ଼ିଓ ପ୍ରସଙ୍ଗ। ଏଇଟା ଗୋଟେ ଛୋଟିଆ କଥା ବୋଲି କହିଲେ ପ୍ରମିଳା ମଲ୍ଲିକ। ଏଇଟା ଛୋଟିଆ କଥା, ଏହାକୁ ଗୃହରେ ଉଠାଇବା ଠିକ୍ କଥା ନୁହେଁ। #Odisha #BJD #OdishaAssembly #PramilaMalik pic.twitter.com/hvVovVPvzN
— ଓଟିଭି (@otvkhabar) March 24, 2021
ତେବେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ପୋଲିସକୁ ଧମକ ଦେଉଥିବା ଅଡ଼ିଓ ଭାଇରାଲ ହେଉଛି। ଭଦ୍ରକ ବାଂଶଡ଼ା ଥାନା ଏଏସ୍ଆଇ ଗୁରୁଚରଣ ବେହେରାଙ୍କୁ ବିଧାୟକ ବ୍ୟୋମକେଶ ରାୟ ଫୋନ୍ ଯୋଗେ ଧମକ ଦେଉଥିବା ଅଡ଼ିଓ ଏବେ ମୋବାଇଲ୍ରୁ ମୋବାଇଲ୍କୁ ଘୁରି ବୁଲୁଛି। ଡିଜିଙ୍କୁ କହି ମୋଟୁ ଅଞ୍ଚଳକୁ ଫୋପାଡ଼ି ଦେବି ବୋଲି ସେ ଧମକ ଦେଉଥିବା ଶୁଣିବାକୁ ମିଳିଛି। ତେବେ ଏହି ବାର୍ତ୍ତାଳପକୁ ବିଧାୟକ ବ୍ୟୋମକେଶ ରାୟ ସ୍ୱୀକାର କରିଥିଲେ ମଧ୍ୟ କ୍ୟାମେରା ଆଗରେ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।
ତେବେ ଏନେଇ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ସେ କହିଛନ୍ତି ଯେ, ଜଣେ ନିର୍ବାଚିତ ଜନପ୍ରତିନିଧୀ ଜଣେ ASIଙ୍କୁ ଏମିତି ଭାବରେ ଧମକାଇବା କେତେ ଦୂର ଠିକ୍? ଏହା ସୋସିଆଲ ମିଡ଼ିଆଠାରୁ ଆରମ୍ଭ କରି ଟିଭିରେ ମଧ୍ୟ ପ୍ରସାରିତ ହେଉଛି। ବିଧାୟକ କହୁଛନ୍ତି ଆମ କଥା ନମାନିଲେ ତୁମକୁ ମୋଟୁକୁ ପଠାଇଦେବୁ। ଏମିତି କରିବା ଠିକ୍ ନୁହେଁ। କୌଣସି ଅଫିସରଙ୍କୁ ନିର୍ବାଚିତ ଜନପ୍ରତିନିଧୀ ଡରାଇବା ଠିକ୍ ନୁହେଁ। ଲୋକଙ୍କ ସୁବିଧା ଲାଗି ଆମେ ନିର୍ବାଚିତ ହୋଇଛନ୍ତି କିନ୍ତୁ ସେମାନଙ୍କୁ ଆମେ ଡରେଇବା କାହିଁକି? ସେମାନେ କଣ ଏଇଥି ଲାଗି ଆମକୁ ଭୋଟ୍ ଦେଇଛନ୍ତି ବୋଲି ପ୍ରଦୀପ୍ତ ପ୍ରଶ୍ନ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ଅଫିସର ଜଣକ ବିଧାୟକଙ୍କର କଥା ଡରିନାହାନ୍ତି। ଓଲଟି କହିଛନ୍ତି ଯେ, ମତେ ଯେଉଁଠିକି ଦେଲେ ବି ମୁଁ ଯିବି। କାରଣ ସେ ଭୁଲ କରିନାହାନ୍ତି। ସେମିତି ଅଫିସରଙ୍କୁ ମୁଁ ଧନ୍ୟବାଦ ଦେଉଛି ବୋଲି ପ୍ରଦୀପ୍ତ କହିଛନ୍ତି। ତେବେ ଗତକାଲିଠାରୁ ଏହି ଭିଡ଼ିଓ ବେଶ ଭାଇରାଲ ହେବାରେ ଲାଗିଛି