ଚା ଦୋକାନୀରୁ ସମାଜସେବୀ… ପ୍ରକାଶ ରାଓରୁ ଗୁରୁଜୀ

ଭୁବନେଶ୍ୱର (ତପନ ସ୍ୱାଇଁ): ଇହ ଜଗତରେ ଆଉ ନାହାଁନ୍ତି, ସମାଜସେବୀ ଦେବରାପଲୀ ପ୍ରକାଶ ରାଓ ଓରଫ ଡି.ପ୍ରକାଶ ରାଓ। ତାଙ୍କ ଦେହାନ୍ତ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ କଟକ କାଳିଆବୋଦାରେ ସଂପନ୍ନ ହୋଇଛି। କଟକ ସହରରେ ଏକ ପରିଚିତ ନାଁ ପ୍ରକାଶ ରାଓ।

କଟକ ଗୋପବନ୍ଧୁ ଭବନ ପାଖରେ ଥିବା ତାଙ୍କ ନିରାଡମ୍ବର ଚା’ ଦୋକାନଟି ଥିଲା ତାଙ୍କ ସବୁଦିନିଆ ଠିକଣା। ଜଣେ ଚା ଦୋକାନୀ ଯେ ଲୋକଙ୍କୁ ଏତେ ଆପଣାର କରିପାରେ ତାହା ସହଜରେ ବିଶ୍ୱାସ କରିହୁଏ ନାହିଁ। ଧର୍ମ, ବର୍ଣ୍ଣ, ଜାତି ଓ ରାଜନୈତିକ ଦଳ ନିର୍ବିଶେଷରେ ସମସ୍ତେ ତାଙ୍କୁ ଭଲ ପାଉଥିଲେ।

ନିଜ ପାଇଁ କେବେ କାହାକୁ କିଛି ମାଗିନଥିବା ଡି.ପ୍ରକାଶ ରାଓ ନିଜେ ମଧ୍ୟ କେବେ ଭାବିନଥିଲେ ସେ ଦିନେ ପାଇବେ ସମ୍ମାନଜନକ ପଦ୍ମଶ୍ରୀ ଉପାଧି। ବେଳେବେଳେ ମନକୁ ପ୍ରଶ୍ନ ଆସେ, ପ୍ରକାଶଙ୍କ ପାଖରେ ଏମିତି କି ଯାଦୁ ଥିଲାଯେ, ସମସ୍ତେ ତାଙ୍କୁ ଏତେ ଭଲ ପାଉଥିଲେ? ତାଙ୍କ ସଂପର୍କକେ ଏମିତି ଅନେକ ଅକୁହା କଥା ଅଛି, ଯାହା ହୁଏତ ଆପଣ ଜାଣିନଥିବେ। ବୋଧହୁଏ ସେହିସବୁ ଗୁଣ ତାଙ୍କୁ ଆଜି ଅମର କରି ରଖିଛି।

ପ୍ରକାଶ ରାଓ ହେଉଛନ୍ତି ଆନ୍ଧ୍ରପ୍ରଦେଶ କାକିନାଡ଼ାର ମୂଳ ବାସିନ୍ଦା। ତାଙ୍କ ବାପା କାକିନାଡାରୁ ଆସିଥିଲେ ବାଉନ ବଜାର ତେପନ ଗଳିର ସହର କଟକକୁ। ଅତି ଦୁଃଖ କଷ୍ଟରେ କଟିଥିଲା ପ୍ରକାଶଙ୍କ ପିଲାଦିନ। କହିବାକୁ ଗଲେ ପିଲାଦିନୁ ସେ ଗରିବୀ ସହ ଲଢିଥିଲେ। ସେ ଯେଉଁ ବସ୍ତିରେ ରହୁଥିଲେ, ସେହି ବସ୍ତିର ଅଧିକାଂଶ ଲୋକ ରିକ୍ସା ଟାଣନ୍ତି, ନହେଲେ ଦିନ ମଜୁରିଆ ଭାବେ କାମ କରନ୍ତି।

ପ୍ରକାଶଙ୍କ ବାପା ବକ୍ସିବଜାରରେ ଏକ ଚା ଦୋକାନ କରି ଘର ଚଳାଉଥିଲେ। ହଠାତ୍ ବାପାଙ୍କ ଦେହାନ୍ତ ପରେ ବଦଳିଗଲା ବାଳକ ପ୍ରକାଶଙ୍କ ଜୀବନର ଗତିପଥ। ବାପାଙ୍କୁ ଚା ଦୋକାନରେ ସାହାଯ୍ୟ କରୁଥିବା ପ୍ରକାଶ ରାଓ, ବାପାଙ୍କ ଦେହାନ୍ତ ପରେ ପୂରା ଦୋକାନର ଦାୟିତ୍ୱ ମୁଣ୍ଡକୁ ନେଇଥିଲେ। ତାଙ୍କ ପାଖରେ ଉପାୟ ମଧ୍ୟ କିଛି ନଥିଲା। ନହେଲେ ପରିବାର ଚଳିଥାନ୍ତା କେମିତି?

ଶେଷ ଜୀବନରେ ପ୍ରକାଶଙ୍କ ପାବା ଅଧିକ ଅସୁସ୍ଥ ହୋଇପଡିଥିଲେ। ସେ ସମୟରେ ତାଙ୍କ ପାଇଁ ଦରକାର ପଡ଼ିଥିଲା ବହୁତ ରକ୍ତ। ବାଳକ ପ୍ରକାଶ ଥିଲେ କିଂକର୍ତ୍ତବ ବିମୁଢ଼। ବାପାଙ୍କୁ ବଞ୍ଚାଇ ରଖିବାକୁ କେଉଁଠୁ ଆଣିବେ ଏତେ ରକ୍ତ? ଏଥିପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ ସେ। ଏହା ହିଁ ତାଙ୍କ ଜୀବନରେ ଆଣିଥିଲା ଏକ ବିରାଟ ମୋଡ଼। ପଣ କରିଥିଲେ, ତାଙ୍କ ପରି ଗରିବ ଲୋକଙ୍କର ସେବା କରିବାକୁ ସେ ପାଦ କାଢ଼ିବେ।

ରକ୍ତ ଟିକିଏ ପାଇଁ କେତେକେତେ ଗରିବ ଲୋକ ଦୈନିକ ପ୍ରାଣ ହରାଉଛନ୍ତି ତାହା ପ୍ରକାଶଙ୍କୁ ବ୍ୟଥିତ କରିଥିଲା। ସେ ପଣ କଲେ, ରକ୍ତ ନମିଳିବା କାରଣରୁ ଯେମିତି ଲୋକଙ୍କର ଜୀବନ ନଯାଉ। ସେଇଠୁ ସେ ଆରମ୍ଭ କରିଥିଲେ ରକ୍ତଦାନ ଅଭିଯାନ। ଯେଉଁ ରୋଗୀମାନେ ଚାହୁଁଥିଲେ ସେମାନଙ୍କୁ କଟକ ବଡଡାକ୍ତରଖାନାରେ ନିଜେ ରକ୍ତ ଦେଉଥିଲେ। ଅନ୍ୟମାନଙ୍କୁ ମଧ୍ୟ ରକ୍ତ ଦେବା ପାଇଁ ପ୍ରବର୍ତ୍ତାଉଥିଲେ। ପ୍ରକାଶ ନିଜେ ଦୁଇଶହରୁ ଅଧିକଥର ରକ୍ତ ଦେଇଛନ୍ତି। ରକ୍ତଦାନ ଶିବିରର ଆୟୋଜନ କରି ସଂଗୃହିତ ରକ୍ତ ଡାକ୍ତରଖାନାରେ ଦେଇଛନ୍ତି।

କଟକ ସହରର ବସ୍ତିଲୋକ ବା କେହି ଅଚିହ୍ନା ଗରିବ ଲୋକ ତାଙ୍କ ପାଖରେ ରକ୍ତ ପାଇଁ ପହଞ୍ଚିଲେ, ଖାଲି ହାତରେ ଫେରୁନଥିଲେ। ସେ ନିଜେ ରକ୍ତ ଦେଉଥିଲେ କିମ୍ୱା ଅନ୍ୟ ରକ୍ତଦାତାଙ୍କୁ ନେଇ ରକ୍ତଦାନ କରାଉଥିଲେ। ଏଇଥିରୁ ହିଁ ଆରମ୍ଭ ହୋଇଥିବା ଡି.ପ୍ରକାଶ ରାଓଙ୍କ ସମାଜସେବା। ଧୀରେ ଧୀରେ ଲୋକଙ୍କର ମେଡିକାଲ କାମ ପଡିଲେ, ସେମାନେ ପ୍ରଥମେ ଖୋଜିଲେ ପ୍ରକାଶ ରାଓଙ୍କୁ।

ରକ୍ତଦାନ କରିବା ଭିତରେ ଅନେକ ଡାକ୍ତର ତାଙ୍କର ଚିହ୍ନା ହୋଇଯାଇଥିଲେ। ଏହି ଗରିବ ବସ୍ତି ଲୋକଙ୍କ ଚିକିତ୍ସା ପାଇଁ ଅନେକ ଡାକ୍ତର ତାଙ୍କୁ ସାହାଯ୍ୟ କରିଛନ୍ତି। ପ୍ରକାଶ ଡାକ୍ତରଙ୍କୁ ଅନୁରୋଧ କରି ଫ୍ରି ମେଡିସିନ ବା ସାମ୍ପଲ ମେଡିସିନ ଦେଇଦେଉଥିଲେ। ଯେଉଁଠି ଦରକାର ପଡୁଥିଲା ନିଜ ହାତରୁ ଖର୍ଚ୍ଚ କରୁଥିଲେ। ଚିକିତ୍ସା ପାଇଁ ତାଙ୍କ ଘର ପାଖରେ ବସ୍ତି ଲୋକଙ୍କ ଭିଡ ଜମୁଥିଲା। ତାଙ୍କ ବସ୍ତି ଲୋକଙ୍କ ପାଇଁ ସେ ଦ୍ୱିତୀୟ ଭଗବାନ ପାଲଟି ଯାଇଥିଲେ।

ତା ପରେ ତାଙ୍କ ମୁଣ୍ଡକୁ ପଶିଥିଲା ବସ୍ତି ଲୋକଙ୍କର କେମିତି ବିକାଶ ହେବ। ସ୍ୱାସ୍ଥ୍ୟ ପରେ ସେ ଶିକ୍ଷା କଥା ଭାବିଥିଲେ। ତାଙ୍କ ବସ୍ତିର ଅଧିକାଂଶ ପିଲା ସ୍କୁଲ ଯାଉନଥିଲେ। ତେଣୁ ସେଇ ପିଲାଙ୍କୁ ପାଠ ପଢାଇବା ପାଇଁ ସେ ବସ୍ତିରେ ନିଜ ଉଦ୍ୟମରେ ଖୋଲିଲେ ଗୋଟିଏ ସ୍କୁଲ୍। ତା ନାଁ ରଖିଲେ ଆଶା ଆଶ୍ୱାସନା। ପ୍ରଥମେ ପ୍ରଥମେ ସ୍କୁଲରେ ପାଠ ପଢିବାକୁ  ପିଲାମାନେ ଅମଙ୍ଗ ହେଉଥିଲେ। ତିନି ଚାରିଜଣ ପିଲାରେ ସ୍କୁଲ ଆରମ୍ଭ ହେଲା। ପିଲା କେମିତି ସ୍କୁଲ ଆସିବେ ସେଥିପାଇଁ ସେ ପିଲାମାନଙ୍କୁ ତାଙ୍କ ଚା ଦୋକାନରୁ ଗୋଟିଏ ଗ୍ଲାସ କ୍ଷୀର ଓ ଗୋଟିଏ ବିସ୍କୁଟ ମାଗଣା ଦେଉଥିଲେ। ଏହାପରେ ସ୍କୁଲରେ ପିଲାଙ୍କ ସଂଖ୍ୟା ବଢିଲା। ପିଲା ବଢିଲେ ବି ମାଗଣାରେ କ୍ଷୀର ଓ ବିସ୍କୁଟ ଦେଉଥିଲେ ପ୍ରକାଶ ରାଓ।

ଆହୁରି ମଧ୍ୟ ପଢନ୍ତୁ :

ମୃତ୍ୟୁ ପରେ ଶରୀର ଦାନ କରିବାକୁ ଇଚ୍ଛା ରଖିଥିଲେ ଡି. ପ୍ରକାଶ ରାଓ

ପିଲାଙ୍କୁ ଆକୃଷ୍ଟ କରିବାକୁ ଅନ୍ୟ ଏକ ଉପାୟ ଆପଣାଇଥିଲେ ସେ। ବସ୍ତି ପିଲାମାନେ ଭଲ ଡ୍ରେସ ପିନ୍ଧିବାକୁ ପାଉନଥିଲେ। ତେଣୁ ଡାକ୍ତର ଓ ତାଙ୍କ ପରିଚିତ ଲୋକମାନଙ୍କୁ ସେ ଅନୁରୋଧ କରୁଥିଲେ, ଯଦି ଆପଣଙ୍କ ପିଲାଙ୍କର ଭଲ ଡ୍ରେସ ଛୋଟ ହୋଇଯାଇଛି, ଦୟାକରି ମୋତେ ଦେଇଦିଅନ୍ତୁ, ଆମ ବସ୍ତି ପିଲା ପିନ୍ଧିବେ। ବହୁତ ଲୋକ ପିଲାଙ୍କ ପୁରୁଣା ଡ୍ରେସ ପ୍ରକାଶ ରାଓଙ୍କୁ ଦେଉଥିଲେ। ଏହି ପୁରୁଣା ଡ୍ରେସ ସେ ପିଲାଙ୍କ ମଧ୍ୟରେ ବାଣ୍ଟି ଦେଉଥିଲେ। ଭଲ ଡ୍ରେସ ମିଳିବା ପରେ ସ୍କୁଲକୁ ଯିବାକୁ ପିଲାଙ୍କର ଆଗ୍ରହ ଆହୁରି ବଢି ଯାଉଥିଲା। ପିଲାଙ୍କୁ ପାଠ ପଢାଇବା ପାଇଁ ସେ ଜଣେ ଶିକ୍ଷକଙ୍କୁ ନିଯୋଜିତ କରିଥିଲେ ମଧ୍ୟ ପ୍ରତିଦିନ ନିଜେ ଏକ ଘଣ୍ଟା ସ୍କୁଲରେ ପିଲାଙ୍କ ସହ ବିତାଉଥିଲେ। ସେ ନିଜେ ପିଲାମାନଙ୍କୁ ପାଠପଢ଼ା ସହ ନାଚଗୀତ ଶିଖାଉଥିଲେ। ପିଲାମାନେ ତାଙ୍କୁ ଗୁରୁଜୀ ବୋଲି ଡାକୁଥିଲେ। ତାଙ୍କ ବସ୍ତି ଓ ପିଲାଙ୍କ ମଧ୍ୟରେ ସେ ଥିଲେ ଗୁରୁଜୀ। ତାଙ୍କ ମନରେ ଟିକିଏ ବି ଗର୍ବ ନଥିଲା। ପାଠପଢା ଅପେକ୍ଷା ପିଲାଙ୍କୁ ଶାଳୀନତା ଓ ଭଲ ବ୍ୟବହାର ଶିଖାଇବା ଉପରେ ସେ ଅଧିକ ଗୁରୁତ୍ୱ ଦେଉଥିଲେ। ସମାଜସେବା କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ମିଳିଛି ପଦ୍ମଶ୍ରୀ ଉପାଧି। ତାଙ୍କ ମହକ ପହଞ୍ଚିଛି ଦିଲ୍ଲୀରେ।

You might also like