ଜେଲରୁ ମୁକୁଳି ପାରିବେ ନାହିଁ ପ୍ରଦୀପ ସେଠୀ

ଜେଲରୁ ଏବେ ବାହାରି ପାରିବେନି ଚିଟଫଣ୍ଡ ଦୁର୍ନୀତିର ଦୋଷୀ ସାବ୍ୟସ୍ତ ପ୍ରଦୀପ ସେଠୀ

ଭୁବନେଶ୍ୱର: ଜେଲରୁ ଏବେ ବାହାରି ପାରିବେନି ଚିଟଫଣ୍ଡ ଦୁର୍ନୀତିର ଦୋଷୀ ସାବ୍ୟସ୍ତ ପ୍ରଦୀପ ସେଠୀ। ୭ବର୍ଷ ଜେଲରେ କଟାଇଥିବାରୁ ତାଙ୍କୁ ମୁକ୍ତ କରିବାକୁ ଆବେଦନ କରି ପ୍ରଦୀପ ସେଠୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟର ଦୁଇଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଆବେଦନକୁ ଖାରଜ କରି ଦେଇଛନ୍ତି।

ତାଙ୍କ ଆବେଦନର ବିଚାର କରି ହାଇକୋର୍ଟ କହିଛନ୍ତି, ପ୍ରତ୍ୟେକ ମାମଲାର ଅଲଗା ଅଲଗା ବିଚାର ହେବ ଏବଂ ଅଲଗା ଅଲଗା ଭାବେ ଦଣ୍ଡ ମିଳିବ। ଏହା ଦ୍ୱାରା ବର୍ତ୍ତମାନ ପାଇଁ ପ୍ରଦୀପ ସେଠୀ ଜେଲରୁ ମୁକୁଳିବା ବାଟ ବନ୍ଦ ହୋଇଯାଇଛି। AT ଚିଟଫଣ୍ଡ ଠକେଇ ଅଭିଯୋଗରେ ସିବିଆଇ କୋର୍ଟ ପ୍ରଦୀପ ସେଠୀଙ୍କୁ ୭ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ। ଏହା ସହିତ ପ୍ରଦୀପଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତି ମଧ୍ୟ କରାଯାଇଥିବା ନେଇ ସୂଚନା ରହିଛି।

ତେବେ ପୂର୍ବରୁ ଜେଲରେ ରହିବା ମଧ୍ୟରେ ଚିଟ୍‌ଫଣ୍ଡ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିବା ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡର ମୁଖ୍ୟ ପ୍ରଦୀପ ସେଠୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଜେଲ୍‌ରେ ଥିବା ଟଏଲେଟ୍‌ ଭିତରେ ବେକରେ ଇନଭର୍ଟର ତାର ଗୁଡ଼ାଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି।

ଜେଲ୍‌ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ରାତି ପ୍ରାୟ ୨ଟା ୧୫ରେ ଜେଲ୍‌ ଭିତରେ ଥିବା ୱେଲ୍‌ଫେୟାର ଅଫିସକୁ କୌଣସି କାମ ପାଇଁ ପ୍ରଦୀପ ଯାଇଥିଲେ।  ସେହି ସମୟରେ ଅଫିସ ପିଅନ୍ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହାପରେ ୱେଲ୍‌ଫେୟାର ଅଫିସ ଟଏଲେଟ୍‌ ଭିତରେ ପଶି ଭିତରୁ ପଟୁ ସେ କବାଟ ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ଏହା ଜାଣି ପାରିବା ପରେ କବାଟ ଭାଙ୍ଗି ଜେଲ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ କଟକ ଏସ୍‌ସିବି ସ୍ଥାନାନ୍ତର ମଧ୍ୟ କରାଯାଇଥିଲା। ପରେ ପ୍ରଦୀପଙ୍କୁ SCB ମାନସିକ ରୋଗ ବିଭାଗକୁ ପଠାଇ ଦିଆଯାଇଥିଲା।

ମୋଟରେ ପ୍ରଦୀପ ୩ ଥର ଆତ୍ମହତ୍ୟା ଉଦ୍ୟମ କଲେଣି। ପୂର୍ବରୁ ମଧ୍ୟ ପ୍ରଦୀପ ଜେଲ୍‌ ମଧ୍ୟରେ ଥରେ ହାତକାଟି ଏବଂ ଆଉଥରେ ମୁଣ୍ଡ ଫଟାଇବା ସହ ଅଧିକ ମାତ୍ରାରେ ମେଡିସିନ୍ ଖାଇ ଦେଇଥିଲେ।

ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରେ ପ୍ରଦୀପଙ୍କୁ ୭ ବର୍ଷ ଜେଲ୍‌ ସଜା ହୋଇଛି। ଅନ୍ୟପକ୍ଷରେ ପ୍ରଦୀପଙ୍କ ବାରମ୍ବାର ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ନେଇ ଜେଲ୍‌ର ସୁରକ୍ଷା ବଢାଇ ଦିଆଯାଇଛି।

ଜେଲ୍‌ରେ ଥାଇ ସେ(ପ୍ରଦୀପ) ଆତ୍ମହତ୍ୟା ଉଦ୍ୟମ କରିଥିବାରୁ ଜେଲ୍‌ରେ ଥିବା ଅନ୍ୟ କଏଦୀଙ୍କ ସୁରକ୍ଷା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

You might also like