ଜେଲରେ ଆଇନଜୀବୀଙ୍କୁ ଭେଟିପାରିବେ ପ୍ରଦୀପ ପାଣିଗ୍ରାହୀ

ଜେଲରେ ଓକିଲଙ୍କୁ ଭେଟିପାରିବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।

ଭୁବନେଶ୍ୱର: ଜେଲରେ ଓକିଲଙ୍କୁ ଭେଟିପାରିବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବିଧାୟକ ପ୍ରଦୀପ ପାଣିଗ୍ରାହୀ ମାମଲାରେ ରିଟ୍ ଆବେଦନର ବିଚାର କରି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।ଜେଲରେ ଓକିଲଙ୍କ ସହ ପ୍ରଦୀପଙ୍କର ଆଲୋଚନା ହୋଇପାରିବ। ପୂର୍ବରୁ କୋଭିଡ୍ ଗାଇଡ୍ଲାଇନ୍ ଦର୍ଶାଇ ଜେଲରେ ପ୍ରଦୀପଙ୍କୁ ଓକିଲଙ୍କ ସହ ଆଲୋଚନା କରିବାର ସୁଯୋଗ ମିଳୁନଥିଲା। ସମ୍ବିଧାନ ଓ ପ୍ରିଜନ ରୁଲର ଉଲ୍ଲଘଂନ ଦର୍ଶାଇ ହାଇକୋର୍ଟ ଯାଇଥିଲେ ପ୍ରଦୀପ ପାଣିଗ୍ରାହୀ।

ତେବେ ପୂର୍ବରୁ ରିମାଣ୍ଡରେ ଯାଇଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।  ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ ଏସଆଇଟି। ଏଥିପାଇଁ ଅନୁମତି ବି ଦେଇଥିଲେ ଭୁବନେଶ୍ୱର SDJM କୋର୍ଟ।

ଟାଟା ନାଁରେ ଚାକିରି କରାଇଦେବାକୁ କହି ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ସହ ଠକେଇ କରିଥିବା ଅଭିଯୋଗ ରହିଛି ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ । ଏହି ଠକେଇ ମାମଲାର ଅଧିକ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ SIT।

ସୂଚନାଥାଉ କି, ଆକାଶ ପାଠକ ଲିଙ୍କରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଗତ ୩ ତାରିଖ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ଭୁବନେଶ୍ୱର SDJM କୋର୍ଟରେ ହାଜର କରିଥିଲା କ୍ରାଇମ୍‌ବ୍ରାଞ୍ଚ। ଟାଟା କମ୍ପାନୀରେ ଚାକିରି କରାଇ ଦେବା ପାଇଁ ଆକାଶ ପାଠକଙ୍କ ନାଁରେ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା ପ୍ରମାଣ ଥିବା ଦର୍ଶାଇ ପ୍ରଦୀପଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା।

ତାଙ୍କ ବିରୋଧରେ ଆଇଟି ଆକ୍ଟର ସଙ୍ଗୀନ ଦଫା ଲଗାଯାଇଛି। ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧରେ ତାଙ୍କୁ ଗିରଫ କରାଯାଇଥିଲା।

ପ୍ରଦୀପଙ୍କ ଆକାଉଣ୍ଟକୁ ଅଢେଇ କୋଟି ଟଙ୍କା ଆସିଥିଲା। ଏହାଛଡ଼ା ତାଙ୍କ ଆକାଉଣ୍ଟରୁ ଭାବି ଜ୍ୱାଇଁ ଆକାଶ ପାଠକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍‌ ହୋଇଥିଲା ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା। ଏହି ସବୁ ଟଙ୍କା କେଉଁଠୁ ଆସିଲା? ଏ ସମ୍ପର୍କରେ ଯାଞ୍ଚ କରୁଛି ଇଡି।

 

You might also like