‘ହସ୍ପିଟାଲରୁ ବାହାରୁଥିବା ବର୍ଜ୍ୟ ବସ୍ତୁ ଗାଇଡ୍ଲାଇନ୍ ଅନୁସାରେ ଡିସପୋଜାଲ ହେବା ଉଚିତ’
ଭୁବନେଶ୍ୱର: ପିପିଇ କିଟ୍ ହେଉ କିମ୍ବା ମାସ୍କ କୋଭିଡ ହସ୍ପିଟାଲରୁ ବାହାରୁଥିବା ବର୍ଜ୍ୟ ବସ୍ତୁକୁ ପରିଚାଳନା ଗାଇଡଲାଇନ ରହିଛି। ୱେଷ୍ଟ ମ୍ୟାନେଜମେଣ୍ଟ ଗାଇଲାଇନ ଅନୁସାରେ ଡିସପୋଜାଲ କରାଯିବ କଥା। ଯଦି ଏସବୁ ସଠିକ୍ ଭାବେ ଡିସପୋଜ କରାଯାଏ, ତେବେ କରୋନା ଭଳି ମହାମାରୀର ସଂକ୍ରମଣକୁ ଆମେ ଏଡ଼ାଇ ଦେଇପାରିବା। ଏହା କହିଛନ୍ତି ଭୁବନେଶ୍ୱର ଏମସର ପୂର୍ବତନ ନିର୍ଦ୍ଦେଶକ ଅଶୋକ ମହାପାତ୍ର।
ରାଜ୍ୟରେ ବିଭିନ୍ନ ସ୍ଥାନରେ ବ୍ୟବହୃତ ପିପିଇ କିଟ୍ ପଡ଼ିଥିବାର ଖବର ଆସୁଛି। ଗତକାଲି ଗଜପତିର ପାରଳାଖେମୁଣ୍ଡି ମହେନ୍ଦ୍ରତନୟା ନଦୀ କୂଳ ସହ ମୁଖ୍ୟରାସ୍ତା କଡ଼ ଓ ଶ୍ମସାନ ନିକଟରେ ବ୍ୟବହୃତ ପିପିଇ କିଟ୍ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଏସବୁକୁ ନଷ୍ଟ କରାଯାଇଥିଲା। ସେହିପରି ନବରଙ୍ଗପୁର ସହରରେ ମଧ୍ୟ ଏଣେତେଣେ ପିପିଇ କିଟ୍ ପଡ଼ିଥିବାର ଦେଖିବାକୁ ମିଳିଥିଲା। ସହରରୁ ରିଜର୍ଭ ବାଟାଲିଅନ୍କୁ ଯାଉଥିବା ରାସ୍ତାକଡ଼ର ଏକ ପୋଲ ନିକଟରେ କିଟ୍ ଗୁଡ଼ିକ ପଡ଼ି ରହିଥିଲା। ଏହାକୁ ନେଇ ସବୁଠି ଉଦବେଗ ପ୍ରକାଶ ପାଇଥିଲା।