ବଣ୍ଡାଘାଟିର ବିକଳ ଚିତ୍ର: ପାଣି ପିଇବ ତ ପାହାଡ଼ ଚଢ଼

ମାଲକାନଗିରି: ଦୁର୍ବିସହ ଜୀବନ ଜିଉଁଛନ୍ତି ମାଲକାନଗିରି ବଣ୍ଡା ଘାଟିର ଲୋକେ। ରାତି ପାହୁ ପାହୁ ମୁନ୍ଦିଏ ପାଣି ପାଇଁ ସଂଘର୍ଷ କରନ୍ତି। ନିତି ଡହଳ ବିକଳ ଅବସ୍ଥା। ଆବଡ଼ା ଖାବଡ଼ା ପଥୁରିଆ ରାସ୍ତାରେ ୨ କିଲୋମିଟର ଦୂର ଯିବାକୁ ପଡ଼େ। ଭରସା କେବଳ ପାହାଡ଼ୀ ଝରଣା। ସେଇଠି ହାତ ଗୋଡ଼ ଧୁଆ, ବାସନ ମଜା, କପଡ଼ା ସଫା। ଆଉ ସମସ୍ତେ ସେହି ପାଣିକୁ ଧରି ଘରକୁ ଫେରୁଛନ୍ତି। ଅନ୍ୟ ଉପାୟ ବି ନାହିଁ। ବର୍ଷା ଦିନେ ତ ଅବସ୍ଥା ଆହୁରି ଖରାପ। ଗୋଳିଆ ପାଣି ପିଇବାକୁ ପଡ଼େ।

କେବଳ ବଣ୍ଡାଘାଟିରେ ଯେ ଏ ସମସ୍ୟା ତା ନୁହେଁ, ଉପକୂଳିଆ ଜିଲ୍ଲା ବାଲେଶ୍ୱରର ସୋର ଅଞ୍ଚଳରେ ବି ସେଇ ସମସ୍ୟା। ସାଉଡ଼ ପଞ୍ଚାୟତ ଥାଲସଢ଼ାର ଲୋକେ ଗାଡ଼ିଆ ପୋଖରୀର ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ୨୦୧୦ରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ହୋଇଥିଲେ ମଧ୍ୟ ୩ ବର୍ଷ ହେଲାଣି ତାହା ଅଚଳ। ଷ୍ଟାଣ୍ଡ ପୋଷ୍ଟ ଭାଙ୍ଗିରୁଜି ଗଲାଣି।

ସେପଟେ ବିଶ୍ୱ ଜଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଷା ଜଳର ସଂରକ୍ଷଣ ପାଇଁ ଜଳ ଶକ୍ତି ଅଭିଯାନ ”କ୍ୟାଚ୍ ଦି ରେନ୍‌”ର ଶୁଭାରମ୍ଭ କରିଛନ୍ତି। ଜଳ ନିରାପତ୍ତା ପାଇଁ ଯେତେବେଳେ ଯେଉଁଠି ବି ବର୍ଷା ହେଉଛି ତାକୁ ସଂରକ୍ଷଣ କରି ଦେଶର କୋଣ ଅନୁକୋଣରେ ପହଞ୍ଚାଇବା ଏହି ଅଭିଯାନର ଲକ୍ଷ୍ୟ। ଏହି ଅବସରରେ କେନ୍ ଓ ବେଟଓ୍ୱା ନଦୀର ସଂଯୋଗୀକରଣ ପାଇଁ ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶ ମଧ୍ୟରେ ଏକ ଐତିହାସିକ ଚୁକ୍ତି ହୋଇଛି।

ଜଳ ନାହିଁ ତ ଜୀବନ ନାହିଁ। ବିଶୁଦ୍ଧ ପାନୀୟ ଜଳ ଏବେ ମଧ୍ୟ ବିଶ୍ୱର ୨୦୦ କୋଟି ଲୋକଙ୍କୁ ମିଳୁନି।  ୨୦୫୦ ବେଳକୁ ସାଢ଼େ ୫ ଶହ କୋଟିରୁ ଅଧିକ ଲୋକ ଜଳାଭାବର ଶିକାର ହେବେ ବୋଲି ଆଶଙ୍କା କରାଯାଉଛି। ଦିନକୁ ଦିନ ମଧୁର ଜଳ ପରିମାଣ କମିବା ସହ ଓ ସ୍ରୋତ ଶୁଖି ଯାଉଥିବାରୁ ଏହାର ସଂରକ୍ଷଣ ନେଇ ଲୋକଙ୍କୁ ସଚେତନା କରିବାକୁ ମିଳିତ ଜାତିସଂଘ ତରଫରୁ ୧୯୯୩ରୁ ମାର୍ଚ୍ଚ ୨୨କୁ ବିଶ୍ୱ ଜଳ ଦିବସ ରୂପେ ପାଳନ କରାଯାଉଛି। ଏ ବର୍ଷର ଥିମ୍ ଥିଲା ଜଳର ମହତ୍ତ୍ୱ।

ରିପୋର୍ଟ: ଜିତେନ୍ଦ୍ର ବେଉରା ଓ ଶଶିକାନ୍ତ ବେହେରା
You might also like