ମହାବଳ ବାଘର ମୃତ୍ୟୁକୁ ନେଇ ଖୁଲାସା ହେଲା ଏମିତି କିଛି

ଭୁବନେଶ୍ୱର: ସାତକୋଶିଆରେ ମୃତ ମହାବଳ ବାଘର ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ଆପତ୍ତି ଉଠିଛି। କୌଣସି ଧାରୁଆ ଅସ୍ତ୍ରରେ ବାଘ ବେକରେ କ୍ଷତ ଯୋଗୁଁ  ହିଁ ମୃତ୍ୟୁ ଘଟିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ଦର୍ଶାଯିବା ପରେ ଏବେ ପ୍ରଶ୍ନ କ୍ଷତ ହେଲା କେମିତି ? ଏ ନେଇ ଖୋଳତାଡ଼ରେ ବନ ବିଭାଗର ଆନ୍ତରିକତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଶବ ବ୍ୟବଚ୍ଛେଦ ଠିକ୍ ଭାବେ ହୋଇ ନ ଥିବା ବିଶେଷଜ୍ଞ ଅଭିଯୋଗ କରୁଥିବା ବେଳେ ମହାବଳ ବାଘର ମୃତ୍ୟୁର ପର୍ଦ୍ଦାଫାଶ ହେବ ନା ରହସ୍ୟ ଘେରରେ ରହିବ ତାକୁ ନେଇ ଆଶା ଓ ଆଶଙ୍କା ସୃଷ୍ଟି ହୋଇଛି ।

କୌଣସି ଧାରୁଆ ଅସ୍ତ୍ରରେ ବାଘର ବେକ କଟିଛି। ସାତକୋଶିଆରେ ମୃତ ମହାବଳ ବାଘର ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ବେକ କଟିବା ଫଳରେ ଉକ୍ତ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ଯାହାକି ପରେ ପୋକ ହୋଇ ଶରୀରର ବିଭିନ୍ନ ଅଙ୍ଗକୁ ବ୍ୟାପି ଯାଇଥିଲା। ଫଳରେ ବିଭିନ୍ନ ଅଙ୍ଗ ଅକାମି ହେବାରୁ ବାଘର ମୃତ୍ୟୁ ଘଟିଥିଲା।

ରିପୋର୍ଟରେ ଏହି ଖୁଲାସା ପରେ ଏବେ ପ୍ରଶ୍ନ, ମହାବଳ ବେକରେ କ୍ଷତ ହେଲା କେମିତି ? ଫାଶରେ ଫଶି ଯାଇଥିଲା ନା ତୀରରେ ଆକ୍ରମଣ ହୋଇଥିଲା ? ବନ ବିଭାଗ ମହାବଳ ବାଘ ମୃତ୍ୟୁକୁ ନେଇ ନାନା କଥା କହୁଥିଲେ ବି କ୍ଷତ ନେଇ ଚୁପ୍ ରହିଛି। ସେପଟେ ଶବ ବ୍ୟବଚ୍ଛେଦ ସମୟରେ ବାଘ ଶରୀରର ବାହ୍ୟ ଓ ଆଭ୍ୟନ୍ତରୀଣ ଅଙ୍ଗ କିଭଳି ଥିଲା, ସେ କଥା ବି ସ୍ପଷ୍ଟ କରାଯାଇ ନାହିଁ।

ବନ ବିଭାଗର ହାବ ଭାବକୁ ଦେଖିଲେ ମହାବଳ ବାଘର ମୃତ୍ୟୁକୁ ନେଇ ଏତେଟା ବିଚଳିତ ନଥିବା ଭଳି ଲାଗୁଛି। କାରଣ ଘଟଣାର ତଦନ୍ତ ନ ହେଉଣୁ ସାତକୋଶିଆ ଫିଲ୍ଡ ଡିରେକ୍ଟର ଉଭୟ ବନ ବିଭାଗ ଓ ଅଞ୍ଚଳବାସୀଙ୍କୁ କ୍ଲିନ୍ ଚିଟ୍ ଦେଇ ସାରିଲେଣି। ଯାହାକୁ ନେଇ ବାଘର ମୃତଦେହ ଓ ଘଟଣାସ୍ଥଳ ପରିଦର୍ଶନ କରିଥିବା ଏନ୍‌ଟିସିଏ ସଦସ୍ୟ ମଧ୍ୟ ବନ ବିଭାଗର ତଦନ୍ତ ଉପରେ ଆଶଙ୍କା ପ୍ରକାଶ କରିଛନ୍ତି। ଏନ୍‌ଟିସିଏ ଗାଇଡ୍‌ଲାଇନ୍‌ ଅନୁଯାୟୀ ଜଙ୍ଗଲରେ ବାଘ ମଲେ ଶିକାରୀଙ୍କ ପ୍ରାଦୁର୍ଭାବ ନେଇ ତଦନ୍ତ ହେବା କଥା। କିନ୍ତୁ ସାତକୋଶିଆରେ ସେଭଳି କିଛି ହୋଇ ନାହିଁ।

ଗୋଟିଏ ପଟେ ବାଘ ବଂଶବୃଦ୍ଧି ପାଇଁ ଯୋଜନା। ଅନ୍ୟପଟେ ମହାବଳ ବାଘ ମୃତ୍ୟୁର ସଠିକ୍ କାରଣ ଖୋଜିବାକୁ ବନ ବିଭାଗର ପଛଘୁଞ୍ଚା। ଯାହାକି ଯୋଜନାର କାର୍ଯ୍ୟକାରିତା ଦିଗରେ ଆନ୍ତରିକତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

You might also like