କୋଟିଆବାସୀଙ୍କୁ ଆକୃଷ୍ଟ କରିବା ଲାଗି ଆନ୍ଧ୍ର-ଓଡ଼ିଶାର ପୋଷ୍ଟର୍ ଓ୍ୱାର୍

କୋରାପୁଟ: ସୀମାନ୍ତବର୍ତ୍ତୀ କୋଟିଆ ଗାଁକୁ କଳେବଳେ କୌଶଳେ ହାତେଇବାକୁ ଚେଷ୍ଟା କରୁଛି ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ।

କେତେବେଳେ ସରକାରୀ ଯୋଜନାର ଲୋଭ ଦେଖାଇ ତ ଆଉ କେତେବେଳେ ସହାୟତା ବାଣ୍ଟି କୋଟିଆ ଦଖଲ ଲାଗି ଉଦ୍ୟମ ଜାରି ରଖିଛି ଆନ୍ଧ୍ର। ଏଭଳି ସ୍ଥିତିରେ ରାଜ୍ୟ ସରକାର କେବଳ ସରକାରୀ ଯୋଜନାର ଓଡ଼ିଆ ପୋଷ୍ଟର୍ ମାରି ଚୁପ୍ ବିସିଛନ୍ତି।

ଭାଷାଗତ ସମସ୍ୟା ଯୋଗୁ ଲୋକେ ନା ବୁଝିପାରୁଛନ୍ତି ସେହି ଓଡ଼ିଆ ପୋଷ୍ଟରକୁ ନା ଜାଣିପାରୁଛନ୍ତି ଓଡ଼ିଶା ସରକାରଙ୍କ ଆଭିମୁଖ୍ୟକୁ। ଏହା ଏବେ ରାଜ୍ୟ ସରକାରଙ୍କ ତତ୍ପରତା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି।

ସୀମାନ୍ତବର୍ତ୍ତୀ କୋଟିଆ ଅଞ୍ଚଳରେ ଛାଇଯାଇଛି କାଳିଆ ଯୋଜନାର ପୋଷ୍ଟର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ସହ ଯୋଜନାର ଉଦ୍ଦେଶ୍ୟ ସମ୍ପର୍କରେ ଓଡ଼ିଆରେ ବାର୍ତ୍ତା ବି ଦିଆଯାଇଛି। ହେଲେ ସେହି ପୋଷ୍ଟର୍ ସହ ଆନ୍ଧ୍ର ସରକାରଙ୍କ ବି ଲାଗିଛି ପୋଷ୍ଟର୍। ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ତେଲୁଗୁ ଭାଷାରେ ଉଲ୍ଲେଖ କରାଯାଉଛି।

ଆଉ ଏକ ବିବାଦୀୟ ଗାଁ ନାରେଡିବାଲାସାର ଦୃଶ୍ୟ ମଧ୍ୟ ସମାନ। ଓଡ଼ିଆ ଓ ତେଲୁଗୁ ଭାଷାର ପୋଷ୍ଟର୍ ତଳେ ଆନ୍ଧ୍ର ସରକାରଙ୍କ ଜନ୍ମଭୂମି କାର୍ଯ୍ୟକ୍ରମ ଜରିଆରେ ବଣ୍ଟାଯାଉଛି ସରକାରୀ ଭତ୍ତା ସହ ରାସନ କାର୍ଡ, ଚାଉଳ, ଡାଲି, ତେଲ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟା ଯାଉଛି। ଆଧାର କାର୍ଡ ତିଆରି ସହ ମାଗଣା ସ୍ୱାସ୍ଥ୍ୟ ଶିବିର ମଧ୍ୟ କରାଯାଉଛି।

କେବଳ ନାରେଡିବାଲାସା ନୁହେଁ, କୋଟିଆ ପଞ୍ଚାୟତର ଅନେକ ଗାଁରେ ଏବେ ଦେଖିବାକୁ ମିଳିଛି ଏଭଳି ପୋଷ୍ଟର ୱାର। କାଳିଆ ଯୋଜନା ଆରମ୍ଭ ହେବା ପରଠୁ ରାଜ୍ୟ ସରକାରଙ୍କ ପକ୍ଷରୁ  ହିତାଧିକାରୀ ଚୟନ ସହ ପୋଷ୍ଟର ମରାଯାଉଛି। ଆଉ ଏହାକୁ ଦେଖି ଆନ୍ଧ୍ର ସରକାର ମଧ୍ୟ ତତ୍ପରତା ପ୍ରକାଶ କରିବା ସହ କୋଟିଆ ପଞ୍ଚାୟତର ୨୧ଟି ଗାଁ ଓ ସାତଟି ପଡ଼ାରେ ବିଭିନ୍ନ ସରକାରୀ ଯୋଜନାରେ ସୁବିଧା ଉପଲବ୍ଧ କରାଉଛି। ତେବେ କାଳିଆ ଯୋଜନାର ସୁବିଧା କେବେ ମିଳିବ ତାହା ତ ଦୂରର କଥା, ପୋଷ୍ଟର୍ ଗୁଡ଼ିକ ଓଡ଼ିଆ ଭାଷାରେ ଥିବାରୁ ସ୍ଥାନୀୟ ଲୋକେ ବୁଝିପାରୁନାହାଁନ୍ତି। ତେବେ କାଳିଆ ଯୋଜନା କାର୍ଯ୍ୟକ୍ରମ ପାଇଁ କୋଟିଆ ପଞ୍ଚାୟତର ଆଭ୍ୟନ୍ତରୀଣ ଇଲାକାକୁ ପ୍ରଶାସନିକ ଅଧିକାରୀମାନେ ଯାଇଥିବାରୁ କାହାର କୌଣସି ପ୍ରତିକ୍ରିୟା ମିଳିପାରିନି।

ତେବେ କୋଟିଆ ଅଞ୍ଚଳର ଲୋକଙ୍କ ମନ ଜିଣିବା ପାଇଁ ପ୍ରତିବର୍ଷ ଜାନୁୟାରୀ ୨ରୁ ୧୦ ତାରିଖ ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶ ପକ୍ଷରୁ ଜନ୍ମଭୂମି କାର୍ଯ୍ୟକ୍ରମ କରାଯାଉଥିବାବେଳେ ରାଜ୍ୟ ସରକାର କାହିଁକି ତତ୍ପର ହେଉନାହାଁନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି।

You might also like