ଜଳ ଦେଉଛି ଯନ୍ତ୍ରଣା, ଭେଳାରେ ସ୍କୁଲ ଯାଉଛନ୍ତି ପିଲା

ସହରରେ ବି ଜଳବନ୍ଦୀର ଯନ୍ତ୍ରଣା

ଭୁବନେଶ୍ୱର: ମନ ଭିତରେ ସ୍କୁଲ୍ ଯାଇ ପାଠପଢ଼ିବାର ଝୁଙ୍କ୍। ହେଲେ ପ୍ରତିବନ୍ଧକ ସାଜୁଛି ପାଣି। ପାଣି ତ ନୁହେଁ, କୃତ୍ରିମ ବନ୍ୟା ପାଣି। ତେଣୁ ଟ୍ୟୁବ୍‌ରେ ଭେଳା କରି ପିଲାମାନଙ୍କୁ ପାର କରାଉଛନ୍ତି ସମ୍ପର୍କୀୟ। ଘଟଣା ସାମ୍ନାକୁ ଆସିଛି ପର୍ଯ୍ୟଟନ ସହର ତଥା ଅାଇକନ୍ ସିଟି ପୁରୀରେ। ମାସେ ହେଲାଣି ଏଭଳି ଅବସ୍ଥା ଭୋଗୁଛନ୍ତି ମାଟିତୋଟା ଅଞ୍ଚଳବାସୀ। ରଥଯାତ୍ରା ସମୟରେ ଲଗାଣ ବର୍ଷା ଯୋଗୁ ଜଳାର୍ଣ୍ଣବ ହୋଇଥିଲା ଏହି ଇଲାକା। ସେହିଦିନଠାରୁ ଜଳନିଷ୍କାସନ ହୋଇନପାରିବାରୁ ଜଳବନ୍ଦୀ ଜୀବନ ଜୀଉଁଛନ୍ତି ମାଟିତୋଟା ଲୋକେ।

ଜାତୀୟ ରାଜପଥ ହେବା ଦିନଠାରୁ ମାଟିତୋଟା ଅଞ୍ଚଳରେ ଏଭଳି ସମସ୍ୟା ଦେଖାଦେଇଥିବା ଅଭିଯୋଗ ହୋଇଛି। ପାଣି ବାହାର କରିବା ପାଇଁ ମାତ୍ର ୨ଟି ପମ୍ପ ଲଗାଯାଇଥିଲେ ବି, ସମାଧାନ ହୋଇପାରୁନି। ତେବେ ଏ ସମ୍ପର୍କରେ ଜାତୀୟ ରାଜପଥ ପ୍ରାଧିକରଣକୁ ଚିଠିକୁ ଲେଖାଯାଇଛି ବୋଲି କହିଛନ୍ତି ପୁରୀ ପୌର କର୍ତ୍ତୃପକ୍ଷ ସେପଟେ ପାରାଦୀପ ଗଡ଼ ପଞ୍ଚାୟତର ଅବସ୍ଥା ବି ପୁରୀ ସହର ଭଳି। ଏଠି ବି ସମାନ ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ। ଘର ଭିତରେ ପାଣି, ବାହାରେ ପାଣି, ରାସ୍ତାଘାଟ ସବୁଠି ପାଣି ଅାଉ ପାଣି। କିଏ ଇଟା ପକାଇ ଯାଅାସ କରୁଛନ୍ତି ତ ଅାଉ କିଏ ଘରର ଅାସବାବପତ୍ରକୁ ସମ୍ଭାଳିବାରେ ବ୍ୟସ୍ତ। ଏଭଳି ଅବସ୍ଥା ଯୋଗୁ ଅଧିକାଂଶଙ୍କ ଘରେ ଚୁଳି ଜଳୁନି।

ପିଲାଙ୍କ ସ୍କୁଲ ଯିବାବି ସମ୍ଭବ ହୋଇପାରୁନି। ନୂଅାଗଡ଼ ପଞ୍ଚାୟତର ମୂଷାଢ଼ିହା ଗାଁରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଏସାର କମ୍ପାନୀର ଡ୍ରେନେଜ୍‌ ପାଣି ପଶି ଏଭଳି ଦୁର୍ଦ୍ଦଶା ସୃଷ୍ଟି ହୋଇଥିବାବେଳେ ଡ୍ରେନେଜ୍ ଏବଂ ଜଳ ନିଷ୍କାସନ ବ୍ୟବସ୍ଥା ଠିକ୍ ନଥିବାରୁ ସମସ୍ୟା ଗମ୍ଭୀର ରହିଥିବା ଅଭିଯୋଗ ହୋଇଛି। ତେବେ ଏନେଇ ଏସାର୍ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।

You might also like