ଶହ ଶହ ଜମାକାରୀଙ୍କ ଖାତାରୁ ଟଙ୍କା ଗାଏବ ଅଭିଯୋଗ

ମାଲକାନଗିରି ଜିଲ୍ଲାର ୩ ପୋଷ୍ଟ ଅଫିସରୁ ଆସିଛି ଅଭିଯୋଗ

ମାଲକାନଗିରି(ଜିତେନ୍ଦ୍ର ବେଉରା) : ସଞ୍ଚୟ ପାଇଁ ସବୁଠାରୁ ଭରସା ଯୋଗ୍ୟ ସଂସ୍ଥା ପୋଷ୍ଟ ଅଫିସ । ଏଥିପାଇଁ ଗ୍ରାମାଞ୍ଚଳ ଲୋକେ ପୋଷ୍ଟ ଅଫିସ ଉପରେ ବେଶୀ ନିର୍ଭରଶୀଳ । ଏଭଳି କ୍ଷେତ୍ରରେ ବର୍ଷ ବର୍ଷ ଧରି ଟଙ୍କା ଜମା କରିଥିବା ଜମାକାରୀଙ୍କ ଖାତାରୁ ଗାଏବ ହୋଇଯାଇଛି ଟଙ୍କା । ଏଭଳି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାର ୩ଟି ପୋଷ୍ଟ ଅଫିସରୁ । ଗ୍ରାମାଞ୍ଚଳରେ କିଏ ମୂଲ ଲାଗି ତ ଆଉ କିଏ ଛୋଟ ବ୍ୟବସାୟ କରି ଭବିଷ୍ୟତ ପାଇଁ ଟଂକା ସଂଚୟ କରି ରଖିଥିଲେ  ।ହେଲେ ସେହି ଟଙ୍କା ହଡପ ହୋଇଥିବା ଜାଣିବା ପରେ ମୁଣ୍ଡର ହାତ ଦେଇ ବସିଛନ୍ତି ଜମାକାରୀ । ଜମାକାରୀଙ୍କ ଖାତାରେ ଟଂକା ଜମା ହୋଇଥିବା ଲେଖା ହୋଇଛି କିନ୍ତୁ ପୋଷ୍ଟ ଅଫିସ ଆକାଉଣ୍ଟରେ ଟଙ୍କା ନାହିଁ ।

ମାଲକାନଗିରି ଜିଲ୍ଲା ଭେଜଙ୍ଗବାଡା ଗାଁର ସରୋଜିନୀ ପ୍ରଧାନ । ଗାଁରେ ଛୋଟ ଦୋକାନ କରି ପରିବାରର ଗୁଜରାଣ ମେଣ୍ଟାଉଛନ୍ତି । ଭବିଷ୍ୟତ ପାଇଁ ପ୍ରତି ମାସରେ ୫ ଶହ ଟଙ୍କା ପୋଷ୍ଟାଲରେ ଜମାକରି ଆସୁଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ମୋଟ ୩୫ ହଜାର ୫ ଶହ ଟଂକା ସଂଚୟ କରିଥିଲେ । ହେଲେ ପୋଷ୍ଟ ଅଫିସ ଯାଇ ପଚାରିବାରୁ ଜମା ଖାତାରେ ଟଙ୍କା ନଥିବା ଜଣାପଡ଼ିଛି । ଏହା ଶୁଣି ବୃଦ୍ଧ ମହିଳାଙ୍କ ମୁଣ୍ଡରେ ପଡିଛି ଚଡକ । କଷ୍ଟ ଅର୍ଜିତ ଧନକୁ କିଏ ଚଳୁ କରିସାରିଛି ।

ସେହିପରି ଏହି ଗାଁର ସଂଗୀତା ଗାଇନ, ଦୁଇ ବର୍ଷ ତଳେ ବାପା ମରିଗଲା ପରେ ଏଲଆଇସିରୁ ମିଳିଥିବା ତିନି ଲକ୍ଷ ଟଂକାକୁ ତାଙ୍କ ମାଆ ସଲକ ଗାଇନଙ୍କ ନାଁରେ ପୋଷ୍ଟ ଅଫିସରେ ଜମା କରିଥିଲେ । ହେଲେ ପୋଷ୍ଟ ଅଫିସରେ ଯାଇ ବୁଝିବା ବେଳକୁ ଜମା ଖାତାରେ ନାହିଁ ଟଙ୍କା । କେବଳ ଏହି ଦୁଇ ଜଣଙ୍କର ନୁହେଁ, ଜିଲ୍ଲାରେ ଶହ ଶହ ଜମାକାରୀଙ୍କ ଖାତାରୁ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି । ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ସତ୍ତ୍ୱେ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିବା କହିଛନ୍ତି ଜମାକାରୀ ।

ତେବେ ଗୋଟିଏ ପୋଷ୍ଟ ଅଫିସ ନୁହଁ, ମାଲକାନଗିରି କଲୋନୀ ପୋଷ୍ଟ ଅଫିସ, ଲଛିପେଟା ଓ ଭେଜଙ୍ଗବାଡା ପୋଷ୍ଟ ଅଫିସରେ ଘୋଟାଲା ହୋଇଥିବା ଅଭିଯୋଗ ଆସିଛି । ଜମାକାରୀ ବାରମ୍ବାର ପୋଷ୍ଟ ଅଫିସ ଯାଇ ବୁଝୁଥିବା ବେଳେ ବର୍ତ୍ତମାନର ପୋଷ୍ଟ ମାଷ୍ଟରଙ୍କ କହିବା କଥା ଏହା ପୂର୍ବରୁ ହୋଇଛି, ଏନେଇ ତଦନ୍ତ ଚାଲିଛି । ତେବେ ଜମାକାରୀ କେବେ ସେମାନଙ୍କ ଟଙ୍କା ଫେରି ପାଉଛନ୍ତି, ତାହାକୁ ହିଁ ଅପେକ୍ଷା ।

 

You might also like