ସବୁଠି ଚର୍ଚ୍ଚାରେ ଏବେ କଟକର ବାବୁଲା ସାହୁଙ୍କ ଦହିବରା ଆଳୁଦମ୍

କଟକ : କଟକର ପ୍ରସିଦ୍ଧ ଦହିବରା ଆଳୁଦମ୍ ଏବେ ଖାଲି କଟକ କି ଓଡ଼ିଶା ନୁହେଁ, ସାରା ଦେଶରେ ଖ୍ୟାତି ଅର୍ଜନ କରିଛି । କାହିଁକି ଜାଣିଛନ୍ତି ? ବିଭିନ୍ନ ରାଜ୍ୟର ଷ୍ଟ୍ରିଟ୍‌ଫୁଡ୍‌କୁ ନେଇ ଦିଲ୍ଲୀରେ ଆୟୋଜିତ ଜାତୀୟ ସ୍ତରର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛି ଆମ ସଭିଙ୍କ ପ୍ରିୟ ଦହିବରା ଆଳୁଦମ । କଟକର ଦହିବରା ବ୍ୟବସାୟୀ ବାବୁଲା ସାହୁ ଏହି ଫୁଡ୍ ଫେଷ୍ଟିଭାଲ୍‌ରେ ଭାଗ ନେଇ ସମସ୍ତଙ୍କୁ ପଛରେ ପକାଇବା ପରେ ଏବେ ସବୁଠି ତାଙ୍କରି ଚର୍ଚ୍ଚା।

ପ୍ରଦୀପ୍ତଙ୍କୁ ଯିଏ ଜାଣୁ କି ନଜାଣୁ, ବାବୁଲା ଦହିବରା କହିଲେ ସାରା କଟକରେ ନାଁ ଡାକ । କଟକ ସେଲଟର ଛକରେ ବାବୁଲା ସାହୁଙ୍କ ଠେଲାଗାଡ଼ି ହାଜର ହେଉ ହେଉ, ମାତ୍ର ଘଣ୍ଟାକ ଭିତରେ ଖତମ୍ ହୋଇଯାଏ ସବୁତକ ଦହିବରା ଆଳୁଦମ । ଏବେ କିନ୍ତୁ ଖାଲି ସୁଆଦ ନୁହେଁ, ଦହିବରାକୁ ନେଇ ଗର୍ବ କରୁଥିବା କଟକିଆଙ୍କୁ ସମ୍ମାନ ବି ପରଶିଛନ୍ତି ବାବୁଲା । ଦିଲ୍ଲୀରେ ଆୟୋଜିତ ଜାତୀୟ ସ୍ତରର ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲ୍‌ରେ ୨୯ଟି ରାଜ୍ୟକୁ ପଛରେ ପକାଇ ତାଙ୍କ ହାତ ତିଆରି ଦହିବରା ଆଳୁଦମ ପ୍ରଥମ ସ୍ଥାନ ଅଧିକାର କରିବା ପରେ, ଖାଲି କଟକ କାହିଁକି, ସାରା ଓଡ଼ିଶାବାସୀଙ୍କ ଛାତି କୁଣ୍ଢେମୋଟ ।

ପିଆଜ କଟା ମସଲା ବଟା ତ ସମସ୍ତେ ଜାଣନ୍ତି , କିନ୍ତୁ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ବାବୁଲା ଓରଫ୍ ପ୍ରଦୀପ୍ତ ସାହୁଙ୍କ ହାତର ଯାଦୁ ହିଁ ନିଆରା । ଠିକ୍ ଭାଗମାପରେ ସେ ତିଆରିଥିବା ଆଳୁଦମ୍ ଓ ଚଟଣୀର ସ୍ୱାଦ ଯିଏ ପାଇଛି, ତାର ମଜା ସିଏ ଜାଣିଛି । ଆଜି କି କାଲି ନୁହେଁ, ଗତ ୩୦ ବର୍ଷ ଧରି କଟକ ସେଲ୍‌ଟର ଛକରେ ଫୁଲ୍ ଦମ୍‌ରେ ଚାଲିଛି ତାଙ୍କ ଦହିବରା ଆଳୁଦମ ବ୍ୟବସାୟ।  ଏଥିସହ ବାହାର ରାଜ୍ୟରେ ବି ସେ ଅନେକଙ୍କୁ ଏହାର ତିଆରି କୌଶଳ ଶିଖାଇଛନ୍ତି । ଆଉ ଏବେ ଦିଲ୍ଲୀରେ ପୁରସ୍କାର ଜିତିବା ପରେ ତାଙ୍କର କ୍ରେଜ୍ କାହିଁରେ କେତେ ।

 

You might also like