ତଳକୁ ଖସୁଛି ରାଜ୍ୟରେ ପ୍ରାଥମିକ ଶିକ୍ଷାର ମାନ

୫ମ ଶ୍ରେଣୀର ୫୮% ପିଲା ଦ୍ୱିତୀୟ ଶ୍ରେଣୀ ପାଇଁ ଯୋଗ୍ୟ

ଭୁବନେଶ୍ୱର: ରାଜ୍ୟରେ ପ୍ରାଥମିକ ଶିକ୍ଷାର ମାନ ନିମ୍ନଗାମୀ ହେବାରେ ଲାଗିଛି। ରାଜ୍ୟରେ ପ୍ରାଥମିକ ଶିକ୍ଷାର ସ୍ଥିତି ନେଇ ଆନୁଆଲ୍‌ ଷ୍ଟାଟସ ଅଫ୍ ଏଜୁକେସନ ବା ଆସ୍‌ର ରିପୋର୍ଟରେ ଏଭଳି କିଛି ତଥ୍ୟ ପଦାକୁ ଆସିଛି। ଯାହା ସମସ୍ତଙ୍କୁ ଚକିତ କରିଛି। ପିଲାମାନଙ୍କ ଜ୍ଞାନର ସ୍ତର ଏତେ କମ୍ ଯେ ପଞ୍ଚମ ଶ୍ରେଣୀରେ ପଢୁଥିବା କିଛି ପିଲା ୧ରୁ ୯ ଯାଏ ସଂଖ୍ୟା ଚିହ୍ନିବାରେ ବି ସମର୍ଥ ନଥିବା ଜଣାପଡ଼ିଛି। ଏମିତିକି ୫ମ ଶ୍ରେଣୀରେ ପଢ଼ୁଥିବା ପ୍ରାୟ ୫୮ ପ୍ରତିଶତ ପିଲା ଦ୍ୱିତୀୟ ଶ୍ରେଣୀ ପାଇଁ ଯୋଗ୍ୟ ବୋଲି ରିପୋର୍ଟରେ କୁହାଯାଇଛି।

ଢେଙ୍କାନାଳ ଓଡ଼ପଡ଼ା ବ୍ଲକର ଗୁଣ୍ଡିଚାପଡ଼ା ପ୍ରାଥମିକ ବିଦ୍ୟାଳୟ ପ୍ରଥମରୁ ପଞ୍ଚମ ଏହି ୫ଟି ଶ୍ରେଣୀରେ ମୋଟ ୫୬ ଜଣ ପିଲା ପାଠ ପଢୁଛନ୍ତି। ଏହି ଛାତ୍ରମାନଙ୍କ ପାଇଁ ଏଠି ମାତ୍ର ଜଣେ ଶିକ୍ଷୟିତ୍ରୀ ଅଛନ୍ତି। ଗୋଟିଏ କ୍ଲାସରେ ପଢ଼ାଇବା ବେଳେ ଅନ୍ୟ କ୍ଲାସର ପିଲା ପାଟିତୁଣ୍ଡ କରୁଛନ୍ତି। ତେଣୁ ସମସ୍ତଙ୍କୁ ଏକାଠି ବସାଇବାକୁ ଉଦ୍ୟମ କରୁଛନ୍ତି ଶିକ୍ଷୟିତ୍ରୀ। ଏହାସତ୍ତ୍ୱେ ପିଲାଙ୍କୁ ନିୟନ୍ତ୍ରଣ କରିବା ସମ୍ଭବ ହେଉନି। ଏଭଳି ସ୍ଥିତିରେ କେମିତି ପାଠପଢ଼ା ହେଉଥିବ ଓ ପିଲା କି ପାଠ ପଢ଼ୁଥିବେ ତାହା ସହଜେ ଅନୁମେୟ।

ଇଏତ ଥିଲା ସ୍କୁଲ୍‌ର ଅବସ୍ଥା। ରାଜ୍ୟରେ ପ୍ରାଥମିକ ଶିକ୍ଷାର ଅବସ୍ଥା ଆହୁରି ଦୁର୍ବଳ। ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ୩.୨ ପ୍ରତିଶତ ପିଲା ୧ରୁ ୯ ଏବଂ ୧୩.୮ ପ୍ରତିଶତ ପିଲା ୯ରୁ ବଡ଼ ସଂଖ୍ୟା ଚିହ୍ନିବାରେ ଅସମର୍ଥ। ୩୩.୧ ପ୍ରତିଶତ ପିଲା ଫେଡ଼ାଣ ଜାଣନ୍ତି ନାହିଁ। ଫେଡ଼ାଣ କରିପାରୁଥିବା ୨୪. ୫ ପ୍ରତିଶତ ପିଲା ଗଣିତରେ ଦୁର୍ବଳ।

ଏକଥା ଆମେ କହୁନୁ, ରାଜ୍ୟରେ ପ୍ରାଥମିକ ଶିକ୍ଷାର ସ୍ଥିତି ଉପରେ ପ୍ରସ୍ତୁତ ବାର୍ଷିକ ରିପୋର୍ଟରେ ଏଭଳି କଥା ଦର୍ଶା ଯାଇଛି। କେବଳ ଏତିକି ନୁହେଁ, ପିଲାଙ୍କ ଜ୍ଞାନର ସ୍ତର ଏତେ କମ୍ ଯେ, ପଞ୍ଚମ ଶ୍ରେଣୀରେ ପଢୁଥିବା ୫୮ ପ୍ରତିଶତ ପିଲା ଦ୍ୱିତୀୟ ଶ୍ରେଣୀ ପାଇଁ ଯୋଗ୍ୟ ବୋଲି ରିପୋର୍ଟରେ କୁହାଯାଇଛି।

ରିପୋର୍ଟର ସତ୍ୟତା ପରଖିବା ଲାଗି ଆମ ପ୍ରତିନିଧି ପହଞ୍ଚିଥିଲେ ମାଲକାନ୍‌ଗିରି ଟାଉନ୍‌ଠାରୁ ୧୫ କିଲୋମିଟର ଦୂରରେ ଥିବା ମାସାଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ। ଏଠି ଗୋଟିଏ କ୍ଲାସରେ ବସି ପଢ଼ୁଛନ୍ତି ୧ରୁ ୫ ସମସ୍ତ ୫ଟି ଶ୍ରେଣୀର ପିଲା। ଏମାନଙ୍କ ଜ୍ଞାନ କଥା ନକହିବା ଭଲ। ଏମିତିକି ରିପୋର୍ଟରେ ଆସିଥିବା ତଥ୍ୟଠାରୁ ପିଲାଙ୍କ ଜ୍ଞାନ ଆହୁରି ଖରାପ ବୋଲି କୁହାଯାଇପାରିବ।

ପ୍ରଥମ ସଂସ୍ଥା ପକ୍ଷରୁ ୩ରୁ ୧୬ ବର୍ଷ ପିଲାଙ୍କ ସାଧାରଣ ପଠନ ଓ ଗଣିତ ଜ୍ଞାନ ଉପରେ ଏହି ସର୍ଭେ କରାଯାଇଥିଲା। ଏହା ଅନୁଯାୟୀ ୯.୬ ପ୍ରତିଶତ ସ୍କୁଲରେ ଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଟଏଲେଟ୍ ନାହିଁ। ୫୬.୭ ପ୍ରତିଶତ ସ୍କୁଲରରେ ବିଦ୍ୟୁତ୍ ସଂଯୋଗ ନଥିବା ବେଳେ ୮୧.୩ ପ୍ରତିଶତ ସ୍କୁଲରେ କମ୍ପ୍ୟୁଟର୍ ନାହିଁ। ଏଥିରୁ ଦେଶର ଭବିଷ୍ୟତ କିଭଳି ଗଢ଼ି ହେଉଛନ୍ତି, ବୋଧହୁଏ ଆଉ କାହାରି ସନ୍ଦେହ ନଥିବ।

You might also like