ପାଠପଢ଼ା ବୟସରେ ପରିବାର ପ୍ରତିପୋଷଣ ଚିନ୍ତା

ସରକାରୀ ସୁବିଧା ନଥିବାରୁ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ୩ ଭାଇ ଭଉଣୀ

ରାୟଗଡ଼ା: ହସିଖେଳି ପାଠପଢ଼ିବା ବୟସରେ କରୁଛନ୍ତି ମଜୁରୀ କାମ। ନିଜ ଭବିଷ୍ୟତ ଗଢ଼ିବା ସମୟରେ ପରିବାରର ପ୍ରତିପୋଷଣ ଚିନ୍ତା। ପୁଣି ତାଙ୍କ ଉପରେ ନିର୍ଭର ଦୁଇ କୁନି ଭଉଣୀ। ରାୟଗଡ଼ା ଜିଲ୍ଲା ତାଡମା ପଞ୍ଚାୟତ ରଘୁବଟାଗୁଡା ଗାଁର ନାରାୟଣ ମିଣିକା।ଅଜଣା ରୋଗରେ ହାତ ଛାଡି ଆରପାରିକି ଚାଲିଗଲେ ତାଙ୍କ ବାପାମାଆ। ଆଉ ଏବେ ଭଙ୍ଗାଦଦରା ଛପର ଘରେ ବିତୁଛି ତିନି ଭାଇଭଉଣୀଙ୍କ ଜୀବନ।

କୁଲି ମଜୁରି କରି ନାରାୟଣ ଯାହା ଦୁଇପଇସା ରୋଜଗାର କରୁଛନ୍ତି, ତାହା ଏମାନଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ। ସେଥିରେ ସରକାରୀ ସାହାଯ୍ୟ କହିଲେ ମିଳୁଛି ମାତ୍ର ୧୫  କେଜି ଚାଉଳ।  ଅନ୍ୟାନ୍ୟ ସରକାରୀ ସୁବିଧା ପାଇଁ ଗ୍ରାମବାସୀ ବାରମ୍ବାର ଜଣାଉଥିଲେ ମଧ୍ୟ କିଛି ମିଳୁନଥିବା ଅଭିଯୋଗ ହୋଇଛି।

ପିଲା ଦିନରୁ ନିଜ ବାପା ମାଆଙ୍କୁ ହରାଇବା ପରେ ଏବେ ଅସହାୟରେ ଦିନ କାଟୁଛନ୍ତି ନାରାୟଣ ଓ ତାଙ୍କ ୨ ଭଉଣୀ। ଅନ୍ୟପଟେ, ତଦନ୍ତ କରି ନାରାୟଣ ଓ ତାଙ୍କ ଭଉଣୀମାନଙ୍କୁ ସରକାରୀ ନିୟମ ଅନୁଯାୟୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ।  ଆଉ ଏବେ ବାପାମାଆ ଛେଉଣ୍ଡ ୩ ପିଲାଙ୍କୁ ସରକାରୀ ସହଯୋଗ ଦେବା ପାଇଁ ସାଧାରଣରେ ଦାବି ହେଉଛି।

You might also like