ଆଦର୍ଶ ପୋଖରୀ ଖୋଳାରେ ମହାଘୋଟାଲା ; ୧୦ ଲକ୍ଷ ଟଙ୍କା ଆତ୍ମସାତ୍‌ ଅଭିଯୋଗ

କେନ୍ଦ୍ରାପଡ଼ା ( ମନୋଜ ସ୍ୱାଇଁ)  : ପୋଖରୀ ଖୋଳାରେ ଦୁର୍ନୀତି ଅଭିଯୋଗ। କେନ୍ଦ୍ରାପଡ଼ା ବ୍ଲକ୍‌ ଆଏବା ପଂଚାୟତର ନରଣପୁର ଗ୍ରାମରେ ଆଦର୍ଶ ପୋଖରୀ ଖୋଲିବା ଯୋଜନା ଲାଗି ଆସିଥିବା ୧୦ ଲକ୍ଷ ଟଙ୍କା ଆତ୍ମସାତ୍‌ ହୋଇଥିବା ଅଭିଯୋଗ ଆସିଛି।

ଯୋଜନାରେ ଦେଢ଼ ଏକର ଜମି ଉପରେ ଏକ ନୂତନ ପୋଖରୀ ଖୋଳିବା ଲାଗି ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ନରଣପୁର ଗାଁରେ ଏକ ନୂତନ ପୋଖରୀ ଖୋଳିବା ବଦଳରେ ପୂର୍ବରୁ ଥିବା ପୁରୁଣା ପୋଖରୀ ଖୋଳି ଅର୍ଥ ଆତ୍ମସାତ୍‌ କରିବା ଲାଗି ଯୋଜନା ହେଉଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଦୁର୍ନୀତିର ଗନ୍ଧ ବାରିବା ପରେ ଗ୍ରାମବାସୀ ପୋଖରୀ ଖୋଳା କାମ ବନ୍ଦ କରି ଦେଇଛନ୍ତି।

ଆଦର୍ଶ ପୋଖରୀ ଖୋଳା ଦୁର୍ନୀତି ସମ୍ପର୍କରେ ନରଣପୁର ଗ୍ରାମବାସୀଙ୍କ ପକ୍ଷରୁ ଜୁନ ୧୯ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା।     ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ହେବା ପୂର୍ବରୁ ଜିଲ୍ଲାପାଳଙ୍କ ବଦଳି ହୋଇଛି।  ଦୁର୍ନୀତିର ଏକ ଉଚ୍ଚସ୍ତରୀୟ ତଦନ୍ତ ସହିତ ଭିଜିଲାନ୍ସ ତଦନ୍ତ କରିବା ଲାଗି ଗ୍ରାମବାସୀ ଦାବି ରଖିଛନ୍ତି।

ଅନ୍ୟ ପକ୍ଷରେ ନୂତନ ଜିଲ୍ଲାପାଳ ଗ୍ରାମବାସୀଙ୍କ ଅଭିଯୋଗ ଉପରେ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ନରଣପୁର ଗ୍ରାମରେ ଆଦର୍ଶ ପୋଖରୀ ଖୋଳା ଦୁର୍ନୀତି ଉପରେ କେବେ ପଦକ୍ଷେପ ନିଆଯାଉଛି ତାକୁ ଗ୍ରାମବାସୀଙ୍କ ଅପେକ୍ଷା।

You might also like