ସମ୍ବଲପୁର/ କୁଚିଣ୍ଡା (ଦେବେନ୍ଦ୍ର ବେହେରା/ସଞ୍ଜୟ ଜେନା): ପୋଖରୀ ଖନନରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ମୋ ପୋଖରୀ ଯୋଜନାରେ ଆବେଦନ କରିଥିବା ହିତାଧିକାରୀଙ୍କ ନାଁରେ ବିଲ୍ ହୋଇଛି ହେଲେ ପୋଖରୀ ମିଳିନି ବୋଲି ଜଣାପଡିଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅଞ୍ଚଳରେ କିଛି ଲୋକଙ୍କ ନାଁରେ ମିଛ ବିଲ୍ ଉଠାଯାଇଥିବା ଅଭିଯୋଗ ହୋଇଛି। କଟମପାଣି ପଞ୍ଚାୟତର ଅନେକ ଗାଁରେ ହିତାଧିକାରୀଙ୍କ ନାଁରେ ମିଛ ବିଲ୍ କରାଯାଇ ଲକ୍ଷ ଲକ୍ଷ ଟଙ୍କା ଚଳୁ କରାଯାଇଛି।

ସ୍ଥାନୀୟ ସାନଭାଲୁଚୁଆଁ ଗାଁର ସୁଶିଲ ଷଣ୍ଢ, ଅନିଲ କିଷାନ, ଅମରୁଷ ତିର୍କି ଭଳି ଅନେକ ଲୋକଙ୍କୁ ଟଙ୍କା ମିଳିନି। ହେଲେ ତାଙ୍କ ନାଁରେ ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି। ଯେଉଁ ଅଞ୍ଚଳରେ ପୋଖରୀ ଥିବା ଦର୍ଶାଯାଇଛି ସେଠି ଖାଲି ପଡ଼ିଛି ଜମି। ଏନେଇ ଅଭିଯୋଗ ହେବା ପରେ ଜଳ ଛାୟା ପ୍ରକଳ୍ପର ନିର୍ଦ୍ଦେଶକ ପିଏସ୍ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ଅଭିଯୋଗ ହୋଇଥିବା ଲୋକଙ୍କୁ ପୋଖରୀ ମିଳିନି କିନ୍ତୁ ଟଙ୍କା ଉଠାଯାଇଛିା ପୁରା ଘଟଣାର ତଦନ୍ତ ହେବ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି।

ସେପଟେ ଲୋକମାନେ ଅଭିଯୋଗ କରିଛନ୍ତି ଯେ, ଆମେ ଅନେକ ଦିନ ହେଲାଣି ଟଙ୍କା ପାଇଁ ଦୌଡ଼ୁଛୁ କିନ୍ତୁ ଟଙ୍କା ପାଉନାହୁଁ। କେବଳ ଆଜିକାଲି କହି କହି ଆମକୁ ଠକୁଛନ୍ତି।

ଏହାସହ ଆଉ ଜଣେ ଗାଁ ଲୋକ ଅଭିଯୋଗ କରିଛନ୍ତି ଯେ, ମରୁଡ଼ି ସବୁବେଳେ ହେଉଛି। ତେଣୁ ସେଠାରୁ ରକ୍ଷା ପାଇବାକୁ ସରକାରୀ ଯୋଜନାରେ ସାମିଲ ହେବାକୁ ବହୁ ଚେଷ୍ଟା କରିଥିଲୁ କିନ୍ତୁ କିଛି ହୋଇ ପାରିନାହିଁ। ଦୌଡି ଦୌଡି ନୟାନ୍ତ ହେଲଣି କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଟଙ୍କା ମିଳିନଥିବା ଗ୍ରାମବାସୀ ଜଣକ ଅଭିଯୋଗ କରିଛନ୍ତି।

ଆଉ ଏ ସମସ୍ତ ଅଭିଯୋଗ ନେଇ ସରକାରୀ ଅଫିସର କହିଛନ୍ତି ଅନେକ ଲୋକଙ୍କୁ ଟଙ୍କା ମିଳିଛି। କେତେଙ୍କ ପାଖକୁ ଟଙ୍କା ଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି କି ସେମାନଙ୍କ ନାଁରେ ଟଙ୍କା ଉଠିଛି କିନ୍ତୁ ସେମାନେ ଟଙ୍କା ପାଇନାହାନ୍ତି। ଏ ଘଟଣାର ତଦନ୍ତ ହେବା ପରେ ପ୍ରକୃତ କଥା ସାମ୍ନାକୁ ଆସିବ ବୋଲି ଅଫିସର କହିଛନ୍ତି।

Other Stories