ରାଉରକେଲାରେ କମୁଛି ପ୍ରଦୂଷଣ; କୋହଳ ହେଲା କଟକଣା

ରାଉରକେଲା: ରାଉରକେଲାରେ ପ୍ରଦୂଷଣ ମାତ୍ରା କମିଛି। ଫଳରେ ରାଉରକେଲା ପାଇଁ ଜାରି କରାଯାଇଥିବା କଟକଣାକୁ କୋହଳ କରାଯାଇଛି। କଟକଣା କୋହଳ କରିବାକୁ ଜିଲ୍ଲାପାଳଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚିଠି ଲେଖିଛି। ପ୍ରଦୂଷଣ ଯୋଗୁ ସ୍କୁଲ କଲେଜ ବନ୍ଦ କରାଯିବା ପରି ସ୍ଥିତି ସୃଷ୍ଟି ହୋଇଥିଲା। ଏହି ଆଶଙ୍କା ଏବେ ଟଳି ଯାଇଛି।

ଷ୍ଟିଲ୍‌ସିଟି ରାଉରକେଲାର ପରିବେଶ ପ୍ରଦୂଷଣ ସାଂଘାତିକ ଭାବେ ବଢିଯାଇଛି। ଫଳରେ ଗତ ୩ ଦିନ ହେଲା ସହରବାସୀଙ୍କ ଜୀବନଯାତ୍ରା  ବିଗିଡ଼ି ଯାଇଛି। ଏଠାରେ ଲୋକଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହେଉଛି । ଅଳ୍ପ ଦୂରରୁ କିଛି ଦେଖାଯାଉନି। ଆଖି  ସମସ୍ୟା ଦେଖାଦେଉଛି। ନାକ ପୁଡା ପୋଡୁଛି। ତେବେ ହଠାତ୍‌ କାହିଁକି ଏମିତି ହେଲା ତାହାର କାରଣ ସ୍ପଷ୍ଟ ଜଣାପଡ଼ିନି।

ପରିସ୍ଥିତିକୁ ଦେଖି ପ୍ରଦୂଷଣକୁ ନିୟନ୍ତ୍ରଣ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚିଠି ଲେଖିଥିଲେ । ଏପରିକି ସହର ଭିତରେ କଟକଣା ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ।  ସହର ଭିତରକୁ ଭାରିଯାନ ଚଳାଚଳ ବନ୍ଦ କରିବା, ରେଳ ଷ୍ଟେସନ ଲୋଡିଂ ଅନଲୋଡିଂ ପଏଣ୍ଟ ବନ୍ଦ କରିବା ଏପରକି ସ୍ଥିତି ନସୁଧୁରିବା ଯାଏ ସ୍କୁଲ, କଲେଜ ବନ୍ଦ ରହିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା।

ହେଲେ ଏବ ସହରରେ ପ୍ରଦୂଷଣମାତ୍ରା କମୁଥିବା ଦେଖିବାକୁ ମିଳିଛି। ୮ ତାରିଖରେ ସହରରେ  ଏୟାର କ୍ୱାଲିଟି ଇଣ୍ଡେକ୍ସ ୫୨୬ ଥିଲାବେଳେ ଗତକାଲି ଥିଲା ୩୪୨। AQIରେ ସୁଧାର ଆସିଥିବାରୁ କାଲି ଲାଗିଥିବା କଟକଣା କୋହଳ ନିର୍ଦ୍ଦେଶ ଦିଆଯାଇଛି। ଏବେ ସହରକୁ ଭାରୀଯାନ ପ୍ରବେଶ କରିପାରିବ ବୋଲି କୁହାଯାଇଛି।

ତେବେ ରାସ୍ତାରେ ଜଳ ସିଞ୍ଚନ ପରାମର୍ଶ ଦିଆଯାଇଛି। ଆପ୍ରୋଚ୍ ରୋଡ଼୍‌ରେ ଜଳ ସିଞ୍ଚନ କରାଯାଇ ରେଲ୍‌ୱେ ଲୋଡିଂ ହୋଇ ପାରିବ।  ପ୍ରଦୂଷଣ ସୃଷ୍ଟିକାରୀ ଗାଡ଼ି ପ୍ରତି ନଜର ରଖାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଉରକେଲା ସହରକୁ ପଶୁଥିବା ସବୁ ମାଲଗାଡ଼ି ଡାଲାରେ ପାଲ ଘୋଡ଼ାଯିବ।  ଗହଳି ଥିବା ରାସ୍ତା ଓ ନିର୍ମାଣ ସ୍ଥଳରେ ପର୍ଯ୍ୟାପ୍ତ ଜଳ ସିଞ୍ଚନ କରାଯିବ। ସେହପରି ସ୍କୁଲ ଚାଲିପାରିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି।  ମାତ୍ର କ୍ରୀଡ଼ା ପ୍ରତିଯୋଗିତା ନ କରିବାକୁ ପରାମର୍ଶ ଦିଆଯାଇଛି। ସ୍ଥିତି ନସୁଧୁରିବା ଯାଏ ପ୍ରଦୂଷଣକାରୀ ଶିଳ୍ପ ପ୍ରତି କଟକଣା ଜାରି ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଥାଉ କି, ରାଉରକେଲାରେ ପ୍ରଦୂଷଣ ମାତ୍ରା ଏତେ ବଢ଼ି ଯାଇଛି ଯେ,  ୧୦୦ ମିଟର ଦୂରତାରୁ ରାସ୍ତା ଦେଖାଯାଉନାହିଁ।  ଛେଣ୍ଡ କଲୋନୀଠାରୁ ଝିରପାଣି, କୋଏଲ ନଗରଠାରୁ ବନ୍ଧମୁଣ୍ଡା, ବିର୍ଷାମୁଣ୍ଡା ଛକଠାରୁ ପାନପୋଷ ଛକ ସବୁଠି ପ୍ରଦୂଷଣକୁ ନେଇ ଚିନ୍ତାରେ ଲୋକେ।

You might also like