ବିଷ ବଳୟରେ ଷ୍ଟିଲ୍ ସିଟି: କଠୋର ନିଷ୍ପତ୍ତି ନେବେ ସରକାର !

ରାଉରକେଲା: ରାଉରକେଲାରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କଠୋର ନିଷ୍ପତ୍ତି ହୋଇପାରେ। କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚିଠି ଲେଖିଛନ୍ତି। ଚିଠି ସଂପର୍କରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ସୂଚନା ଦେଇଛନ୍ତି। ପ୍ରଦୂଷଣ ସୃଷ୍ଟିକାରୀ କାରଖାନା ନସୁଧୁରିଲେ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯିବ। ସହର ଭିତରକୁ ଭାରିଯାନ ଚଳାଚଳ ବନ୍ଦ କରିବାକୁ ପଡ଼ିପାରେ। ରେଳ ଷ୍ଟେସନ ଲୋଡିଂ ଅନଲୋଡିଂ ପଏଣ୍ଟ ବନ୍ଦ କରିବାକୁ ପଡ଼ିପାରେ। ଆବଶ୍ୟକ ପଡ଼ିଲେ ସ୍ଥିତି ନସୁଧୁରିବା ଯାଏ ସ୍କୁଲ, କଲେଜ ବନ୍ଦ ହୋଇପାରେ। ଆବଶ୍ୟକ ହେଲେ ନିର୍ମାଣ କାର୍ଯ୍ୟ, ଆବର୍ଜନା ପୋଡ଼ି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଷ୍ଟିଲ୍‌ସିଟି ରାଉରକେଲାର ପରିବେଶ ବିଗିଡ଼ି ଯାଇଛି। ସହରବାସୀଙ୍କୁ ନିଃଶ୍ୱାସ ନେବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଅଳ୍ପ ଦୂରରୁ କିଛି ଦେଖାଯାଉନି। ଆଖିରେ ସମସ୍ୟା ଦେଖାଦେଉଛି। ନାକ ପୁଡା ପୋଡୁଛି। ଗତ ୩ ଦିନ ହେଲା ଏପରି ସମସ୍ୟା ଦେଇ ଗତି କରୁଛନ୍ତି ସହରବାସୀ। ଏହାର ପ୍ରକୃତ କାରଣ କଣ ଜଣାପଡ଼ି ନାହିଁ।

ରାଉରକେଲା ବାୟୁମଣ୍ଡର ପ୍ରଦୂଷଣ ମାତ୍ରା ବଢ଼ି ଯାଇଥିବାରୁ ୧୦୦ ମିଟର ଦୂରତାରେ ଥିବା ରାସ୍ତା ଦେଖାଯାଉନାହିଁ। ସକାଳ ହେବା ମାତ୍ରେ ଚାରିଆଡେ କେବଳ ଧୂଆଁମୟ ପରିବେଶ। ଛେଣ୍ଡ କଲୋନୀଠାରୁ ଝିରପାଣି, କୋଏଲ ନଗରଠାରୁ ବନ୍ଧମୁଣ୍ଡା, ବିର୍ଷାମୁଣ୍ଡା ଛକଠାରୁ ପାନପୋଷ ଛକ ସବୁଠି ଏବେ ଭୟଙ୍କର ସ୍ଥିତି। ଲୋକେ ନା ଘରେ ରହିପାରୁଛନ୍ତି ନା ବାହାରେ ବୁଲି ପାରୁଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଏମିତି ପରିସ୍ଥିତି କେବେ ହୋଇ ନ ଥିବା ସ୍ଥାନୀୟ ଲୋକେ କହୁଛନ୍ତି। ପ୍ରଦୂଷଣ ମାତ୍ରା ଏତେ ବଢ଼ିଛି ଯେ ଲୋକେ ତ୍ରାହି ତ୍ରାହି ଡାକିଲେଣି।

ସେପଟେ ଗତ ୪ ଦିନ ହେଲା ରାଉରକେଲା ସରକାରୀ ହସ୍ପିଟାଲର ଆଖି ବିଭାଗରେ ଦେଖାଦେଇଛି ଅସମ୍ଭାଳ ଭିଡ଼। ଏଠାରେ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ଭିଡକୁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଯେଉଁ ରୋଗୀ ଚିକିତ୍ସା ହେବା ପାଇଁ ଆସୁଛନ୍ତି, ସେମାନେ କେବଳ ଏହି ଧୂଆଁ ଓ ପ୍ରଦୂଷଣରେ ପୀଡିତ ହୋଇ ଆସୁଥିବା ଡାକ୍ତର କହିଛନ୍ତି। ଏ ପ୍ରଦୂଷଣରେ କେବଳ ଆଖି ନୁହେଁ, ଶରୀରର ଅନ୍ୟ ଅଂଶକୁ ମଧ୍ୟ କ୍ଷତି ପହଞ୍ଚାଇବ ବୋଲି ବିଶେଷଜ୍ଞ କହିଛନ୍ତି।

You might also like