୧୫ କିମି ଚାଲି ଚାଲି ଫେରିଲେ ପୋଲିଂ ପାର୍ଟି

କନ୍ଧମାଳ: ଛାତିରେ ମାଓ ଆକ୍ରମଣର ଛାତିଏ ଛନକା ଥିଲା। କିନ୍ତୁ ତଥାପି ଇଭିଏମ୍‌ ମେସିନ୍‌କୁ ଧରି ଜଙ୍ଗଲ ଭିତରେ ୧୫ କିମି ଚାଲି ଚାଲି ଆସିଲେ ପୁଲିଂ ପାର୍ଟି। ଏହି ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ। ବାଲିଗୁଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସିର୍ଲା ପଞ୍ଚାୟତର ୧୩୭ ଏବଂ ୧୩୮ ନମ୍ବର ବୁଥ୍‌ରେ ନିୟୋଜିତ ପୋଲିଂ ପାର୍ଟି ୧୫ କିମି ଚାଲି ଚାଲି ଆସି ବାଲିଗୁଢ଼ାରେ ପହଞ୍ଚିଛନ୍ତି।

ନିର୍ବାଚନରେ ନିୟୋଜିତ ଏହି କର୍ମଚାରୀମାନେ ମତଦାନ ପରେ ମାଓ ଅଧ୍ୟୁଷିତ ଅଞ୍ଚଳରେ ଫସି ରହିଥିଲେ। ସେମାନଙ୍କୁ ସିଆରପିଏଫ୍‌ ଯବାନମାନେ ସୁରକ୍ଷା ଦେଇ ତୁମୁଡ଼ିବନ୍ଧକୁ ଆଣିଥିଲେ। ସେଠାରେ ରାତିରେ ରହିବା ପରେ ଆଜି ସକାଳେ ଇଭିଏମ୍ ଓ ଭିବିପାଟ୍ ମେସିନ୍ ଧରି ସୁରକ୍ଷିତ ପହଞ୍ଚିଛନ୍ତି ପୋଲିଂ ପାର୍ଟି।

ଅନ୍ୟପଟେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ନିର୍ବାଚନମଣ୍ଡଳୀର ମାଓପ୍ରବଣ ଅଞ୍ଚଳରୁ କଡ଼ା ସୁରକ୍ଷା ମଧ୍ୟରେ ଇଭିଏମ୍‌କୁ ଅଣାଯାଇଛି।  ଲାଲବାହିନୀର ଭୟ ସତ୍ତ୍ୱେ ସୁନାମୁଦି, ବରତିଆ,ରେଙ୍ଗାଲି, ବ୍ରାହ୍ମଣି ଗାଁରେ ଭୋଟ ଦାନ କରାଯାଇଥିଲା। ଭୋଟ ଦାନ ପରେ ସିଆରପିଏଫ୍ ଯବାନମାନେ ବଡ଼ ସୁରକ୍ଷା ମଧ୍ୟରେ ମାଓ ଅଞ୍ଚଳକୁ ଯାଇଥିବା ପୋଲିଂ ପାର୍ଟିକୁ ଏକାଠି କରି ପାଟଣାଗଡ଼ସ୍ଥିତ ଜବାହର ଲାଲ ମହାବିଦ୍ୟାଳୟକୁ ଆଣିଥିଲେ। ସେଠାରେ ଷ୍ଟ୍ରଙ୍ଗରୁମ୍‌ରେ ଇଭିଏମ୍‌ଗୁଡ଼ିକୁ ରକ୍ଷାଯାଇଛି।

You might also like