ଭୋଟ୍‌ ଗ୍ରହଣ ପାଇଁ ମାଲକାନଗିରି ଓ କୋରାପୁଟ୍‌ରେ ପ୍ରସ୍ତୁତି କଡ଼ାକଡ଼ି

ଭୁବନେଶ୍ୱର: ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ନିର୍ବାଚନ ହେବ। ଏହି ଅଞ୍ଚଳ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଏଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ବିଚ୍ଛିନ୍ନାଞ୍ଚଳ ଓ ମାଓ ଉପଦ୍ରୁତ ଅଞ୍ଚଳକୁ ହେଲିକପ୍ଟର୍ ଯୋଗେ ପୋଲିଂ ପାର୍ଟି ଓ ସୁରକ୍ଷା କର୍ମୀଙ୍କୁ ପଠାଯାଇଛି। ନିର୍ବାଚନ କାର୍ଯ୍ୟରେ ବାୟୁସେନାର ହେଲିକପ୍ଟର୍ ନିୟୋଜିତ କରାଯାଇଛି।

ଚିତ୍ରକୋଣ୍ଡାର କୁନ୍ତରପଦରରେ ୧୦ଟି ବୁଥ ଥିବାରୁ ଥରକେ ୨ରୁ ୩ଟି ପୋଲିଂ ପାର୍ଟିକୁ  ହେଲିକପ୍ଟର୍‌ରେ ନିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ୧୦ଟି ବୁଥକୁ ଗୋଟିଏ ସ୍ଥାନରେ କରାଯାଇଛି। ସ୍ଥାନୀୟ ଲୋକେ ତୁନ୍ତଲ ପଦର କ୍ୟାମ୍ପରେ ପହଞ୍ଚି ଭୋଟ ଦେବେ।

ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ସହିତ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମତଦାନ ହେବ। କେତେକ ସ୍ଥାନରେ ସୁରକ୍ଷା ଦୃଷ୍ଟିରୁ ବୁଥ୍‌ର ସ୍ଥାନ ମଧ୍ୟ ପରିବର୍ତ୍ତନ କରାଯାଇଛି। ମାଲକାନଗିରି ଜିଲ୍ଲାରେ ମୋଟ ୫୪୦ଟି ବୁଥ ମଧ୍ୟରୁ ୧୨୮ଟି ଅତି ସମ୍ବେଦନଶୀଳ।

ସେହିଭଳି କୋରାପୁଟ ଲୋକସଭା ଆସନ ଲାଗି ଆସନ୍ତାକାଲି ଭୋଟ ଗ୍ରହଣ ହେବାକୁ ଥିବାରୁ ସେଠାରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୋଲିଂ ପାର୍ଟି ବିଭିନ୍ନ ବୁଥ୍‌କୁ ପହଞ୍ଚିବାରେ ଲାଗିଛନ୍ତି।

ଛତିଶଗଡ଼ ଦନ୍ତେଓ୍ୱାଡ଼ାରେ ନକ୍ସଲ ଆକ୍ରମଣରେ ବିଧାୟକ ଏବଂ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ପରେ ଓଡ଼ିଶାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାୟଗଡ଼ା ଜିଲ୍ଲାରେ ରାତିରେ ସଜାଗ ରହି ସୁରକ୍ଷାକର୍ମୀଙ୍କ ପକ୍ଷରୁ ଯାନବାହାନ ଯାଞ୍ଚ କରାଯାଇଛି। ସହରର ପ୍ରବେଶ ଓ ପ୍ରସ୍ଥାନ ପଥରେ ଯବାନମାନେ ଗାଡ଼ି ଅଟକାଇ ଯାଞ୍ଚ କରିଛନ୍ତି।

You might also like