ଗଜପତିଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ନେଇ ଜୋର୍‌ଦାର୍‌ ଚର୍ଚ୍ଚା

ପୁରୀ: ୨୭-୦୨-୨୦୨୧ ଶ୍ରୀକ୍ଷେତ୍ରର ବିକାଶ ଲାଗି ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ବିଧାନସଭାରେ ତିନି ତିନିଟି ସଂକଳ୍ପ ପାରିତ ହୋଇଥିଲା। ସେ ଭିତରୁ ଗୋଟିଏ ସଂକଳ୍ପ ଶ୍ରୀମନ୍ଦିର ପାଇଁ ପାଣ୍ଠି ସଂଗ୍ରହ ପାଇଁ ଥିଲା। ଆଉ ଏହାର ଠିକ୍ ପର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲକ୍ଷେ ଟଙ୍କା ଦାନ କରି ମହାପ୍ରଭୁଙ୍କ ବିକାଶ ପ୍ରକ୍ରିୟାରେ ଯୋଡ଼ି ହୋଇଥିଲେ ଓ ଅନ୍ୟମାନଙ୍କୁ ଏଥିରେ ସାମିଲ ହେବାକୁ ଆହ୍ୱାନ ବି ଦେଇଥିଲେ।

ହେଲେ ଗତକାଲି ଶ୍ରୀମନ୍ଦିର ବିକାଶ ପାଇଁ ଗଜପତିଙ୍କୁ ସମର୍ପଣ ନିଧି ସଂଗ୍ରହ ଅଭିଯାନର ନେତୃତ୍ୱ ନେବାକୁ ଅନୁରୋଧ କରି ଧର୍ମେନ୍ଦ୍ର ଯେଉଁ ଚିଠି ଲେଖିଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ଚିଠିରେ ଶ୍ରୀମନ୍ଦିର ଲାଗି ଅନୁଦାନ ପାଇଁ ବିଶାଳ ସମର୍ପଣ ନିଧି ଅଭିଯାନକୁ ସ୍ୱେଚ୍ଛାକୃତ ଜନ ଆନ୍ଦୋଳନରେ ପରିଣତ କରିବାକୁ ଅନୁରୋଧ ଗଜପତିଙ୍କୁ କରିଛନ୍ତି ଧର୍ମେନ୍ଦ୍ର। ତା ସହ ଭାରତ ସରକାର ବି ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ଆଇନଗତ ଓ ନୀତିଗତ ସହାୟତା ଯୋଗାଇବାକୁ ଉଚ୍ଛୁକ ବୋଲି ଲେଖିଛନ୍ତି।

ଆଉ ଧର୍ମେନ୍ଦ୍ରଙ୍କ ଏହି ଚିଠି ପରେ ଆଇନ୍ ମନ୍ତ୍ରୀ ପ୍ରତାପ ଯେନା ବି ଏକ ଭିଡିଓ ଜରିଆରେ ତୁରନ୍ତ ମତ ରଖି ମୁଖ୍ୟମନ୍ତ୍ରୀଙ୍କ ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସଫଳ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ହେଲେ ଧର୍ମେନ୍ଦ୍ରଙ୍କ ଚିଠି ନେଇ ଏଯାଏଁ ଖୋଦ୍ ଗଜପତି ମହାରାଜ ମୁହଁ ଖୋଲି ନଥିଲା ବେଳେ ସେବାୟତ କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି।

ଏନେଇ ବରିଷ୍ଠ ସେବାୟତ ପ୍ରଫେସର ସୌମେନ୍ଦ୍ର ମୁଦୁଲି କହିଛନ୍ତି ଯେ ଏହା କେବଳ ଗଜପତି ମହାରାଜାଙ୍କ ଦାୟିତ୍ୱ ନୁହେଁ ଏହା ସମସ୍ତଙ୍କ ଦାୟିତ୍ୱ, ୭୫ ମିଟର ଉଚ୍ଛେଦ ପରେ ଆମେ ବାସ ଓ ଜୀବିକା ହରାଇଛୁ। ତେଣୁ ଏହାକୁ ଆମେ ସମର୍ଥନ କରୁଛୁ ଏହାର ବିକାଶ ହେଉ ବୋଲି ସୌମେନ୍ଦ୍ର ମୁଦୁଲି କହିଛନ୍ତି। ସେହିପରି ଶ୍ରୀମନ୍ଦୀର ପରିକ୍ରମାର ଡୋନେସନ୍‌ ପାଇଁ କୌଣସି ପ୍ଲାନ୍‌ ଏପର୍ଯ୍ୟନ୍ତ ଫାଇଲାନ୍‌ ନାହିଁ। ନିଷ୍ପତ୍ତି ନିଆଗଲା ଆମେ ଲୋକଙ୍କ ସାମ୍ନାକୁ ଆଣିବୁ ବୋଲି ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି।

ଏପଟେ ଗଜପତିଙ୍କୁ ଧର୍ମେନ୍ଦ୍ରଙ୍କ ଏଚିଠିକୁ ନେଇ ରାଜନୈତିକ ଚର୍ଚ୍ଚା ବି ଆରମ୍ଭ ହୋଇଯାଇଛି। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ସବୁ କଥାକୁ ରାଜନୀତିକରଣ କରାଯାଉଛି। ଏହା ଦୁର୍ଭାଗ୍ୟଜନକ, ତେବେ ପ୍ରସ୍ତାବ ମନ୍ଦ ନୁହେଁ ବୋଲି ନିରଞ୍ଜନ କହିଛନ୍ତି। ବିଜେଡି ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ ମହାରାପ୍ରଭୁଙ୍କ କଥାକୁ ନେଇ ରାଜନୀତି କରିବା କଥା ନୁହେଁ କି ହବ ନାହିଁ। କାରଣ ଏହା ଓଡ଼ିଶାର ଆତ୍ମାର କଥା। ସମସ୍ତେ ମିଶି କାମ କରିବା ବୋଲି ପିନାକୀ କହିଛନ୍ତି।

ରାଜନୀତି ପ୍ରସଙ୍ଗରେ ଉତ୍ତର ରଖି ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି “ସାରା ବିଶ୍ୱରେ ଗନ୍ନାଥଙ୍କ ଭକ୍ତମାନେ ଚାହୁଁଛନ୍ତି ଯେ ଶ୍ରୀକ୍ଷେତ୍ରର ଉନ୍ନତୀ ହେଉ। ଏଥିପାଇଁ ସମସ୍ତେ ହାତବଢ଼ାଇବା ପାଇଁ ଚାହୁଁଛନ୍ତି। ସେଥିରେ କୌଣସି ରାଜନୀତି ନାହିଁ କି ଜଗନ୍ନାଥଙ୍କର କଳେର ହେଲେ ଯେ ତାହା ଭୋଟ୍‌ରେ ପରିଣତ ହେବ ସେମିତି କିଛି ନାହିଁ। ”

ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପାଇଁ ଦେଶବ୍ୟାପୀ ସଫଳତାର ସହ ଅନୁଦାନ ସଂଗ୍ରହ ପରେ ଶ୍ରୀମନ୍ଦିର ବିକାଶ ପାଇଁ ବି ଅନୁରୂପ ପାଣ୍ଠି ସଂଗ୍ରହ ଉପରେ ଗୁରୁତ୍ୱ ବଢ଼ିଛି। ଆଉ ଏତିକି ବେଳେ ଅନ୍ୟ ପ୍ରସଙ୍ଗ ଭଳି ଶ୍ରୀମନ୍ଦିର ବିକାଶର ଶ୍ରେୟ ରାଜନୀତି ବି ଜୋର୍ ଧରିବାକୁ ଯାଉଛି।

You might also like