କାଳିଆ ଟଙ୍କା ବାଣ୍ଟିବାକୁ ଉତ୍ସାହ, ହେଲେ ପିଏମ କିଷାନରେ କେଁ

ତାଲିକାରେ କେଁ

ଭୁବନେଶ୍ୱର: କାଳିଆରେ ସୁରୁଖୁରୁରେ ଚାଷୀଙ୍କୁ ସହାୟତା ଦିଆଯାଇଥିବା ବେଳେ ପିଏମ୍-କିଷାନ ବେଳକୁ କିନ୍ତୁ ହତାଦର କରାଯାଉଥିବା ନେଇ ଆସିଛି ଅଭିଯୋଗ। କେନ୍ଦ୍ରର ପିଏମ୍-କିଷାନ ଯୋଜନାରେ ରାଜ୍ୟର ୪୦ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଥିଲେ ମଧ୍ୟ ସହାୟତା ରାଶି ପାଉଛନ୍ତି ଯଥେଷ୍ଟ କମ୍ ସଂଖ୍ୟକ ଚାଷୀ। ଯାହାକୁ ନେଇ ଦେଖାଦେଇଛି ବିବାଦ। ଏଥିରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଗତକାଲି ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚାଷୀଙ୍କ ତାଲିକା କାହିଁକି ବ୍ଳକ୍ କରାଯାଉଛି କହି ବିରୋଧୀ ବର୍ଷି ଥିବା ବେଳେ ବିଜେଡି କହିଛି, ଯାଞ୍ଚ ପରେ ତାଲିକା ଦିଆଯାଉଛି।

ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍ ମଦନପାଳର ଚାଷୀ ଗଙ୍ଗାଧର ଦେହୁରୀ ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ପାଇଛନ୍ତି ଗୋଟିଏ କିସ୍ତି ଟଙ୍କା। ହେଲେ ପିଏମ-କିଷାନରେ ତାଙ୍କୁ ଟଙ୍କାଟିଏ ବି ମିଳିନି। ବାରମ୍ବାର ଅଫିସକୁ ଯାଇ ପଚାରିଲେ ବି କାହିଁକି ସହାୟତା ମିଳୁନି ଜାଣିପାରୁ ନଥିବା କହିଛନ୍ତି ଗଙ୍ଗାଧର। କେବଳ ଗଙ୍ଗାଧର ନୁହନ୍ତି, ରାଜ୍ୟର ଏମିତି ଅନେକ ଯୋଗ୍ୟ ଚାଷୀ ପିଏମ୍ କିଷାନ ସହାୟତାରୁ ବଞ୍ଚିତ ହୋଇଥିବା କଥା ସାମ୍ନାକୁ ଆସିଛି।

୨୦୧୮ରୁ ପିଏମ୍-କିଷାନ ଯୋଜନା ଆରମ୍ଭ ହୋଇଥିଲେ ବି ଓଡିଶାର ସବୁ ଚାଷୀଙ୍କୁ ଏହାର ସୁଫଳ ମିଳୁନଥିବା ଦେଖାଯାଇଛି। ଗୋଟିଏ କି ଦୁଇଟି କିସ୍ତି ନୁହେଁ ଏହା ଭିତରେ ସାତ ସାତଟି କିସ୍ତି ଦିଆଯାଇଥିଲେ ବି ରାଜ୍ୟର ଖୁବ୍ କମ୍ ଚାଷୀ ଏହି ସହାୟତା ପାଇଛନ୍ତି। ଯୋଜନାର ନିୟମ ଅନୁସାରେ ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ପିଏମ୍‌ କିଷାନ ୱେବସାଇଟ୍‌ରେ ଅପଲୋଡ୍‌ କରିବେ। ଆଉ ତାପରେ କେନ୍ଦ୍ର ସରକାର ଚାଷୀଙ୍କ ଆକାଉଣ୍ଟରେ ସିଧାସଳଖ କିସ୍ତି ପିଛା ଦୁଇ ହଜାର ଟଙ୍କା ଲେଖାଏଁ ଡିପୋଜିଟ୍ କରିବେ। ଏବେ ରାଜ୍ୟରେ ୪୦ ଲକ୍ଷ ୫୦ ହଜାର ଚାଷୀ ପିଏମ୍-କିଷାନ ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି। ହେଲେ ସମସ୍ତଙ୍କୁ ମିଳୁନି ସହାୟତା।

ତେବେ ଏହାକୁ ନେଇ କଂଗ୍ରେସ ନେତା ସୁର ରାଉତ କହିଛନ୍ତି ଯେ, ପିଏମ କିଷାନ ଯୋଜନା ଯଥେଷ୍ଟ ଭଲ । ପ୍ରଧାନମନ୍ତ୍ରୀଙ୍କୁ ମାନିବାକୁ ପଡ଼ିବ। ଏହାଦ୍ୱାରା ଗରିବ ଚାଷୀମାନେ ସିଧାସଳଖ ଭାବରେ ଟଙ୍କା ପାଇବେ। କିନ୍ତୁ ରାଜ୍ୟ ସରକାର ୩ ବର୍ଷ ହେଲାଣି ଲିଷ୍ଟ ଦେଇ ପାରୁନାହାନ୍ତି। ଏମାନେ କେବଳ ନିଜ ଲୋକଙ୍କୁ ଟଙ୍କା ଦେବେ ବରଂ କେଉଁ ଚାଷୀଙ୍କୁ ଟଙ୍କା ଦେବେ ନାହିଁ। ଚାଷୀଙ୍କୁ ଟଙ୍କା ଦେଇଥିଲେ ତାହାର ଲିଷ୍ଟ ଦେଇଥାଆନ୍ତେ ବୋଲି ସୁର କହିଛନ୍ତି।

ସେପଟେ ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର କହିଛନ୍ତି, କାହିଁକି ଟଙ୍କା ବ୍ଲକ କରି ରଖିଛନ୍ତି? ରାଜ୍ୟରେ କୃଷକଙ୍କର ଉନ୍ନତି ହେଉ ବୋଲି ଆମେ ସମସ୍ତେ ଚାହୁଁ। କିନ୍ତୁ ଏହା କଣ ବିଜେଡି ସରକାର ଚାହୁଁନାହିଁ? ଏହି ଟଙ୍କାକୁ ଅଟାକାଇବା ଅତ୍ୟନ୍ତ ନିନ୍ଦନୀୟ। ସରକାର ତାଲିକା ଖୋଲନ୍ତୁ ଆଉ ସମସ୍ତେ କେନ୍ଦ୍ର ସରକାର ଦେଉଥିବା ଅର୍ଥ ପାଆନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଆଉ ଏହାର ଜବାବ ରଖିଛି ବିଜେଡି। ଦଳର ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ, କୃଷି ବିଭାଗ ଏ ସଂକ୍ରାନ୍ତରେ ୱେବସାଇଟ୍‌ରେ ତଥ୍ୟ ପ୍ରକାଶ କରୁଛନ୍ତି। ଯଦି କୌଣସି ସ୍ଥାନରେ ତ୍ରୁଟିବିଚ୍ୟୁତି ରହିଛି ତାହାର ଅନୁସନ୍ଧାନ ହେଉଛି। ଯଦି ତାଲିକା ଦିଆଯାଇ ନାହିଁ ତେବେ ସମସ୍ତେ ଟଙ୍କା କେମିତି ପାଇଲେ ବୋଲି ପ୍ରଶ୍ନ କରିଛନ୍ତି ଅମର।

ପ୍ରଥମ କିସ୍ତିରେ ୯ ଲକ୍ଷ ୭୩ ହଜାର, ଦ୍ୱିତୀୟରେ ୨୯ ଲକ୍ଷ ୨୯ ହଜାର, ତୃତୀୟରେ ୨୮ ଲକ୍ଷ ୭୭ ହଜାର, ଚତୁର୍ଥରେ ୨୫ ଲକ୍ଷ ୬୧ ହଜାର, ପଂଚମରେ ୨୧ ଲକ୍ଷ ୫୫ ହଜାର, ଷଷ୍ଠରେ ୨୩ ଲକ୍ଷ ୩୮ ହଜାର ଏବଂ ସପ୍ତମ କିସ୍ତିରେ ୨୪ ଲକ୍ଷ ୭୦ ହଜାର ଚାଷୀଙ୍କୁ ସହାୟତା ମିଳିଛି।  ଅନ୍ୟପଟେ କାଳିଆ ଯୋଜନାରେ କିନ୍ତୁ ୩୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଶାଇ ମୋଟ୍ ୫୩ ଲକ୍ଷ ଚାଷୀଙ୍କୁ ସହାୟତା ମିଳୁଛି। ଏଠି ପ୍ରଶ୍ନ, ପିଏମ୍-କିଷାନରେ କାହିଁକି ସମସ୍ତ ୪୦ ଲକ୍ଷ ଚାଷୀଙ୍କୁ ମିଳୁନି ସହାୟତା? ଅସୁବିଧା କେଉଁଠି ରହିଛି? ଏସବୁ ନେଇ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି, ଏଥିରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ସେ ଦାବି କରିଛନ୍ତି। ତେବେ ପିଏମ୍-କିଷାନ ରାଶିକୁ ରାଜ୍ୟ ସରକାର ବ୍ଲକ୍ କରିଥିବାରୁ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ । ଆଉ ବିଜେଡି ମଧ୍ୟ ଏହାର ଜବାବ ରଖିଛି।

ଗୋଟିଏ ପଟେ କାଳିଆ ଯୋଜନାରେ ୧ଲକ୍ଷ ୪୦୭୬ ଜଣ ଅଯୋଗ୍ୟ ହିତାଧିକାରୀ ସହାୟତା ପାଇଛନ୍ତି। ପିଏମ୍ କିଷାଜ୍ୟ ସରକାରଙ୍କର। ଏବେ କିଭଳି ଅଯୋଗ୍ୟଙ୍କଠାରୁ ଅର୍ଥ ଫେରସ୍ତ ହେବ ଏବେ ତା ନରେ ମଧ୍ୟ ୮ ହଜାର ୭୯୦ ଜଣ ଅଯୋଗ୍ୟଙ୍କୁ ସହାୟତା ମିଳିଛି। ଉଭୟ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚିହ୍ନଟ ଦାୟିତ୍ୱ ରାଜ୍ୟ ଉପରେ ରହିଥିବା ଜଣାଯାଇଛି।

ଉଦଳାରୁ ମାନସ ପାଣି ଓ ଭୁବନେଶ୍ୱରରୁ ଜଗଦୀଶ ଦାଶ ଓ ହରିହର ଚାନ୍ଦଙ୍କ ରିପୋର୍ଟ 

You might also like