ନୂଆ ଯୋଜନା କାଳିଆକୁ ନେଇ ଥମୁନି ରାଜନୀତି

ଭୁବନେଶ୍ୱର : କିଭଳି କାର୍ଯ୍ୟକାରୀ ହେବ ଚାଷୀଙ୍କ ପାଇଁ ଘୋଷଣା ହୋଇଥିବା କାଳିଆ ଯୋଜନା ? ଚାଷୀ କେମିତି ପାଇବେ ସହାୟତା ? ଏ ନେଇ ସରକାର ନିୟମାବଳୀ ପ୍ରସ୍ତୁତ କରିଛନ୍ତି। ମୋଡାଲିଟିଜ୍‌ର ବିଜ୍ଞପ୍ତିରେ ଅଛି ଯୋଜନାକୁ ରାଜ୍ୟ ସ୍ତରରେ ମୁଖ୍ୟ ଶାସନ ସଚିବ ଏବଂ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ସମବାୟ ସଚିବ ତଦାରଖ କରିବେ।

ତା ସହ ଜିଲ୍ଲାସ୍ତରରେ ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ କମିଟି ଏହାକୁ କାର୍ଯ୍ୟକାରୀ କରିବ। ତେବେ ଏହି ଯୋଜନାରୁ କିଭଳି ରାଜନୈତିକ ମାଇଲେଜ୍ ମିଳିବ ସେଥିପାଇଁ ବି ରଖାଯାଇଛି ବାଟ। ଯେମିତିକି ସହାୟତା ରାଶି ଚାଷୀ ଆକାଉଣ୍ଟଙ୍କୁ ସିଧାସଳଖ ଯିବାକୁ ବ୍ୟବସ୍ଥା ଥିଲେ ବି ପ୍ରଥମ ଦଫାର ଅର୍ଥ ଶିବିର ମାଧ୍ୟମରେ ପ୍ରଦାନ କରାଯିବ। ସେପଟେ ଏହି ଯୋଜନାର ବାସ୍ତବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଚାଷୀ ଓ ଚାଷୀ ସଂଗଠନ।

ଏପଟେ କୃଷି ଋଣ ଛାଡ଼ ଦାବିରେ ଅଟଳ ଥିବା ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନି ନୂଆ ଯୋଜନା କାଳିଆ। ଯୋଜନା ଘୋଷଣା ବେଳେ ମୁଖ୍ୟମନ୍ତ୍ରୀଙ୍କ ଯୁକ୍ତି ଥିଲା, କୃଷି ରଣ ଛାଡ଼ କରି କଂଗ୍ରେସ ଭଳି ଦେବାଳିଆ ହେବାକୁ ଚାହୁଁନାହାନ୍ତି ସରକାର। ବିଜେପିକୁ ମଧ୍ୟ ସମାଲୋଚନା କରିଥିଲେ ନବୀନ। ନବୀନଙ୍କ ଏଭଳି ଆଭିମୁଖ୍ୟକୁ ନେଇ ବର୍ଷିଛନ୍ତି ବିରୋଧୀ।

କାଳିଆ ଯୋଜନା ଘୋଷଣା ପରେ ବିଜେଡି ସବୁ ଜିଲ୍ଲାରେ ଏ ନେଇ ସାମ୍ବାଦିକ ସମ୍ମିଳନୀ କରିବ ବୋଲି ପ୍ରେସ ରିଲିଜ୍ ଜାରି କରିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଏହାକୁ କାହିଁକି ବାତିଲ କରାଗଲା। ପ୍ରଶ୍ନ ଉଠୁଛି କୃଷି ଋଣ ଛାଡ଼ ହୋଇନଥିବାରୁ ଚାଷୀଙ୍କ ମଧ୍ୟରେ ଥିବା ଅସନ୍ତୋଷକୁ ନେଇ ସାମ୍ବାଦିକ ସମ୍ମିଳନୀକୁ ବାତିଲ କରାଯାଇ ନାହିଁ ତ?

You might also like