ରେଳ ବଜେଟକୁ ନେଇ ଚାଲିଛି ରାଜନୀତି

ବଜେଟ ପରେ ବଢୁଛି ରାଜନୀତି

ଭୁବନେଶ୍ୱର: ଚଳିତ ବର୍ଷ ରେଳ ବଜେଟରେ ଓଡ଼ିଶାକୁ ମିଳିଛି ୬, ୯୯୫ କୋଟି ୫୮ ଲକ୍ଷ ଟଙ୍କାର ଅନୁଦାନ, ଯାହାକି ଗତବର୍ଷ ଅପେକ୍ଷା ୬୦ ପ୍ରତିଶତ ଅଧିକ। ପୂର୍ବତଟ ରେଲେୱେ ପକ୍ଷରୁ ଆଜି ଏ ସଂପର୍କରେ ବିସ୍ତୃତ ତଥ୍ୟ ଦିଆଯାଇଛି। ଚଳିତ ଥର ଫୋକସରେ ରହିଛି ଖୋର୍ଦ୍ଧା-ବଲାଙ୍ଗିର ଓ ଅନୁଗୁଳ-ସୁକିନ୍ଦା ରୋଡ୍ ଭଳି ଅଧୁରା ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ସାରିବା ଲକ୍ଷ୍ୟ ରହିଛି। ଆଉ ଏଥିସହ ନୂଆ ଲାଇନ୍, ଦୋହରୀକରଣ ଓ ଯାତ୍ରୀଙ୍କ ସୁବିଧାକୁ ବି ଏଥର ଗୁରୁତ୍ୱ ଦିଆଯାଇଛି। ସେପଟେ ରାଜ୍ୟ ସରକାର କିନ୍ତୁ ରେଳ ବଜେଟ୍ ଅତି ନୈରାଶ୍ୟଜନକ ବୋଲି କହିଛନ୍ତି।

ଏଥର ରେଳ ବଜେଟରେ ଓଡ଼ିଶାକୁ  ଗୁରୁତ୍ୱ ଦେଇଛି କେନ୍ଦ୍ର। ଦେଖିବାକୁ ଗଲେ, ଗତବର୍ଷର ରେଳ ଅନୁଦାନ ତୁଳନାରେ ଏଥର ରାଜ୍ୟକୁ ମିଳିଛି ୬୦ ପ୍ରତିଶତ ଅଧିକ ଅନୁଦାନ। ୨୦୨୦-୨୧ ଆର୍ଥକ ବର୍ଷରେ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ମିଳିଥିଲା ୪ ହଜାର ୩୭୩ କୋଟି। ହେଲେ, ଚଳିତ ବର୍ଷ ପାଇଁ ରାଜ୍ୟ ୭ ହଜାର ୨ଶହ କୋଟି ଦାବି କରିଥିବା ବେଳେ ମିଳିଛି ୬ ହଜାର ୯୯୫ କୋଟି ୫୮ ଲକ୍ଷ। ଓଡ଼ିଶାରେ ରେଳ ଭିତ୍ତଭୂମିକୁ ବିଶ୍ୱସ୍ତରୀୟ କରିବାକୁ ଯୋଜନା କରିଛନ୍ତି କେନ୍ଦ୍ର ସରକାର। ଆଉ ଫୋକସରେ ରହିଛି ଯାତ୍ରୀ ସୁବିଧା ସହ ନୂଆ ରେଳପଥ, ଗଜ୍ ପରିବର୍ତ୍ତନ ଓ ଦୋହରୀକରଣ ପ୍ରକଳ୍ପ।

ସେପଟେ ବଜେଟକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଯେବେଠୁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଲେଣି ସେବେଠୁ ଓଡ଼ିଶାକୁ ଅଧିକ ରେଳ ଅନୁଦାନ ଆସୁଛି। ରେଳବାଇକୁ ଜାଗା ଯୋଗାଇ ଦେଲେ ପ୍ରକଳ୍ପ କାମ ଶୀଘ୍ର ସରିବ। ଟିପ୍ପଣୀ ଦେବା ପୂର୍ବରୁ ବଜେଟକୁ ଭଲ ଭାବରେ ପଢିବାକୁ ପରାମର୍ଶ ଦେଲେ ଧର୍ମେନ୍ଦ୍ର।

ଏପଟେ, ରାଜ୍ୟର ଦାବି ତୁଳନାରେ ଟଙ୍କା ବ୍ୟୟବରାଦ ହୋଇନାହିଁ ବୋଲି ପରିବହନ ମନ୍ତ୍ରୀ କହିବା ସହ, ରେଳ ବଜେଟ ରାଜ୍ୟ ଲାଗି ନୈରାଶ୍ୟଜନକ ବୋଲି କହିଛନ୍ତି। ଆଉ ଏହାର ଜବାବରେ ବିଜେପି ନେତା ଗୋଲକ ମହପାତ୍ର କହିଛନ୍ତି ଯେ, ଅପେକ୍ଷାଠାରୁ ବହୁ ଅଧିକ ଟଙ୍କା ବ୍ୟୟବରାଦ ହୋଇଛି, ଉପେକ୍ଷା ହେଲା କେଉଁଠି? ୧୦ ବର୍ଷ ହେଲା କୁଆଡେ ଯାଇଥିଲେ ବୋଲି ଓଲଟି ପ୍ରଶ୍ନ କରିଛନ୍ତି। ଆଉ ଉଭୟଙ୍କୁ ସମାଲୋଚନା କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, କେନ୍ଦ୍ର ସରକାର ଏଥର ବେଶି ୱେଷ୍ଟ ବେଙ୍ଗଲ ଓ ଚେନ୍ନାଇକୁ ହିଁ ଟାର୍ଗେଟ କରିଛନ୍ତି। ଆଉ ରାଜ୍ୟ ସରକାରଙ୍କ ଉପରେ ପୂରା ସନ୍ଦେହ ହେଉଛି କି ସେମାନଙ୍କର ଭିତିରି ବୁଝାମଣା ଅଛି। ଯାହା କରିବା କଥା ରାଜ୍ୟ ସରକାର ତାହା କରୁନାହାନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। 

ଜାଣନ୍ତୁ କେଉଁ ପ୍ରକଳ୍ପ ବାବଦରେ କେତେ ବ୍ୟୟବରା ହୋଇଛି?

ନୂଆ ଲାଇନ୍ ବିଛାଇବା ପାଇଁ ୧୫୫୩ କୋଟି, ଦୋହରୀକରଣ ପାଇଁ ୧୭୦୨ କୋଟି, ଲିଜ୍ ଚାର୍ଜେସ୍ ବାବଦରେ ୬୫୧ କୋଟି, ରେଲ୍ ଓଭରବ୍ରିଜ୍ ପାଇଁ ୨୮୦ କୋଟି, ଟ୍ରାକ୍ ରିନ୍ୟୁଆଲ୍ ପାଇଁ ୪୦୨ କୋଟି, ବିଦ୍ୟୁତକରଣ ପାଇଁ ୧୭୩ କୋଟି, ଯାତ୍ରୀଙ୍କ ସୁବିଧା ପାଇଁ ୩ଶହ କୋଟି ଓ ଷ୍ଟୋର ସସ୍ପେନସ୍ ବାବଦରେ ୫୪୨ କୋଟି ରଖାଯାଇଛି। ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟରୁ ୨୮୯ କିଲୋମିଟର ଦୀର୍ଘ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ପ୍ରୋଜେକ୍ଟ ପାଇଁ ହଜାରେ କୋଟି, ଅନୁଗୁଳ -ସୁକିନ୍ଦା ରୋଡ୍ ପାଇଁ ୪ଶହ କୋଟି ଏବଂ ହରିଦାସପୁର-ପାରଦୀପ ପାଇଁ ୧୦୦ କୋଟିର ବ୍ୟୟବରାଦ କରାଯାଇଛି।

ସେହିପରି ଟିଟିଲାଗଡ଼-ବିଜୟନଗରମ୍ ମଧ୍ୟରେ ଥାର୍ଡ ଲାଇନ୍ ପାଇଁ ୩ଶହ କୋଟି, ରାଉରକେଲା-ଝାରସୁଗୁଡ଼ା ପାଇଁ ୨୩୦ କୋଟି ଓ ଭଦ୍ରକ-ନିର୍ଗୁଣ୍ଡି ଥାର୍ଡ ଲେନ୍ ପାଇଁ ୨୨୯ କୋଟିି ଟଙ୍କା ବ୍ୟୟବରାଦ ମଧ୍ୟ କରାଯାଇଛି। ରେଳ ଅନୁଦାନ ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ୨୦୦୯ରୁ ୧୪ମସିହା ଯାଏଁ ହାରାହାରି ବର୍ଷରୁ ରେଳ ଅନୁଦାନ ୮୩୮ କୋଟି ଥିବା ବେଳେ ୨୦୦୧୪ରୁ ୧୯ ମଧ୍ୟରେ ଏହାକୁ ୪ ଶହ ଗୁଣା ବଢ଼ି ୪୧୨୬ କୋଟିରେ ପହଞ୍ଚିଛି। ତେବେ ରାଜ୍ୟ ସରକାର ଜମି ଅଧିଗ୍ରହଣ ସମସ୍ୟାର ତୁରନ୍ତ ସମାଧାନ କଲେ ଅଧୁରା ପ୍ରକଳ୍ପ ଶୀଘ୍ର ସରିବ।

କିନ୍ତୁ ସେପଟେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଓ଼ଡ଼ିଶା ୭ ହଜାର ୨ଶହ କୋଟି ଦାବି କରିଥିବାବେଳେ ମାତ୍ର ୪ ହଜାର ୫ଶହ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଏଥର କୌଣସି ନୂଆ ପ୍ରକଳ୍ପ କିମ୍ବା ନୂଆ ଲାଇନ୍ ପାଇଁ ଅନୁଦାନ ମିଳିନଥିବା ବେଳେ ଅନେକ ପ୍ରକଳ୍ପକୁ ଯେତେ ଅର୍ଥ ମିଳିଛି ତାହା ପର୍ଯ୍ୟାପ୍ତ ପରିମାଣର ଅର୍ଥ ନୁହେଁ। ଓଡ଼ିଶା ପାଇଁ ରେଳ ବଜେଟ୍ ନୈରାଶଜନକ ବୋଲି ମନ୍ତ୍ରୀ କହିବା ପରେ ଆରମ୍ଭ ହୋଇଯାଇଛି ରାଜନୈତିକ ଆରୋପ-ପ୍ରତ୍ୟାରୋପ।

ବହୁ ପ୍ରତିକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପକୁ ପୂର୍ବ ବର୍ଷ ଅପେକ୍ଷା ୯୨.୪ ପ୍ରତିଶତ ଅଧିକ ଅନୁଦାନ ମିଳିଛି। ଏବେ ଅପେକ୍ଷା ଏଥର ବଜେଟ୍ ଅନୁଦାନ ପରେ ଏସବୁ ପ୍ରକଳ୍ପ କାମ କେତେ ଗତି ଧରୁଛି।

ନୂଆଦିଲ୍ଲୀରୁ ଶିବାନନ୍ଦ ରାଉତ, ଭୁବନେଶ୍ୱରରୁ ଜଗଦୀଶ ଦାସଙ୍କ ସହ ହରିହର ଚାନ୍ଦଙ୍କ ରିପୋର୍ଟ

You might also like