ଲକ୍ଷ୍ମୀଧର ବେହେରାଙ୍କ ମୃତ୍ୟୁ ପଛର କାରଣକୁ ନେଇ ରାଜନୀତି ଆରମ୍ଭ

ଗ୍ରାମୀଣ ଆବାସରୁ ବଞ୍ଚିତ ଲକ୍ଷ୍ମୀଧର ବେହେରାଙ୍କ ଆତ୍ମହତ୍ୟା ମାମଲା

ଖୋର୍ଦ୍ଧା  : ଗ୍ରାମୀଣ ଆବାସରୁ ବଞ୍ଚିତ ଖୋର୍ଦ୍ଧା ନିରାକାରପୁର ଅଞ୍ଚଳର ଲକ୍ଷ୍ମୀଧର ବେହେରାଙ୍କ ମୃତ୍ୟୁ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ମୃତ୍ୟୁ ପଛର ଅସଲ କାରଣକୁ ଏଡାଇ ଯାଇ ସ୍ଥାନୀୟ ବିଧାୟକ ଦାୟିତ୍ୱହୀନ ମନ୍ତବ୍ୟ ଦେବା ସାମ୍ନାକୁ ଆସିଛି।

ଲକ୍ଷ୍ମୀଧରଙ୍କୁ ମଦ ପିଆଇବା ସହ ଭିଡ଼ିଓ ରେକର୍ଡିଂ କରି ଭାଇରାଲ୍ କରାଯାଇଛି। ସରକାରଙ୍କୁ ବଦ୍‌ନାମ କରିବାକୁ ଏହା ଏକ ନାଟକବାଜି ବୋଲି କହିଛନ୍ତି ଖୋର୍ଦ୍ଧା ବିଜେଡି ବିଧାୟକ ରାଜେନ୍ଦ୍ର ସାହୁ।

ତିତ୍‌ଲି ବାତ୍ୟାରେ ଘରଭଙ୍ଗା ସହାୟତା ପାଇଁ ତାଙ୍କ ନାଁ ତାଲିକାରେ ଚଢ଼ାଯାଇଛି। ଏ ସମ୍ପର୍କରେ ସଂପୃକ୍ତ ବ୍ୟକ୍ତି ଜାଣିଥିଲେ ମଧ୍ୟ ସେ କାହିଁକି ଆତ୍ମହତ୍ୟା କରିବେ ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ। ତାସହ କହିଛନ୍ତି, ଖାଲି କହିଦେଲେ ହେବନି ଲକ୍ଷ୍ମୀଧରଙ୍କୁ କିଏ ୨୦ ହଜାର ଟଙ୍କା ଲାଞ୍ଚ ମାଗିଲେ, ସେନେଇ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ଆସିଲେ ରାଜ୍ୟ ସରକାର ପଦକ୍ଷେପ ନେବେ। ମୃତ୍ୟୁ ପୂର୍ବରୁ ଲକ୍ଷ୍ମୀଧର ବେହେରା ଦେଇଥିବା ବୟାନର ଏକ ଭିଡିଓ ଭାଇରାଲ୍ ହୋଇଥିଲା।

ସରକାରୀ ଯୋଜନାରେ ଘର ଖଣ୍ଡେ ପାଇଁ ତାଙ୍କୁ ଲାଞ୍ଚ ମଗାଯାଇଥିଲା ବୋଲି ଭିଡ଼ିଓରେ କହିଥିଲେ ଲକ୍ଷ୍ମୀଧର।  ସରପଞ୍ଚଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପର୍ଯ୍ୟନ୍ତ, କେହି ମୋ ପାଇଁ କିଛି କରିନାହାନ୍ତି ସେ ଅଭିଯୋଗ କରିଥିଲେ। ଏଥିରେ ହତାଶ ହୋଇ ସେ ଆତ୍ମହତ୍ୟା କରାଯାଇଥିବା କୁହାଯାଉଛି। ଏହି ଘଟଣା ପରେ ଏବେ ଲକ୍ଷ୍ମୀଧରଙ୍କ ଘରକୁ ପ୍ରଶାସନିକ ଅଧିକାରୀ ଓ ନେତାଙ୍କ ସୁଅ ଛୁଟୁଛି ।

You might also like