ବଲାଙ୍ଗିର ମେଡିକାଲ କଲେଜ ଲୋକାର୍ପଣ ଉତ୍ସବରେ ବି ରାଜନୀତି

ଅାୟୁଷ୍ମାନ ଭାରତକୁ ନେଇ କଟାକ୍ଷ କଲେ ନଡ୍ଡା

ବଲାଙ୍ଗିର : ତମ ଯୋଜନାକୁ ମନା ନାହିଁ, ହେଲେ ଅାମ ଯୋଜନା ବି ଲାଗୁ କର। ଯଦି ପାରୁଛ ଅାୟୁଷ୍ମାନ ଭାରତକୁ କାର୍ଯ୍ୟକାରୀ କରି ତୁମ ବିଧାୟକ ଓ ମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ ବି କରାଅ। ବଲାଙ୍ଗିର ମେଡିକାଲ କଲେଜ ଲୋକାର୍ପଣ ଉତ୍ସବ ଅବସରରରେ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଭାଷଣ ଛଳରେ ଅାଜି ଏମିତି ଢଙ୍ଗରେ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ।

କହିଥିଲେ, ଗରିବ ଲୋକଙ୍କୁ ସର୍ବାଧିକ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବାକୁ ହେଲେ ଅାୟୁଷ୍ମାନ ଭାରତ ଯୋଜନାରେ ପ୍ରଧାନମନ୍ତ୍ରୀ ନ୍ୟାସନାଲ ଡାଏଲସିସ୍ ପ୍ରୋଗ୍ରାମ କାର୍ଯ୍ୟକାରୀ କରାଯିବା ସହ ଏମ୍‌ସ ଭଳି ରାଜ୍ୟର ସମସ୍ତ ୫ଟି ଯାକ ମେଡିକାଲ କଲେଜରେ ଅମ୍ରିତ ଦୀନଦୟାଲ ଔଷଧ ଦୋକାନ ଖୋଲିବା ଦରକାର।

ତାସହ ପ୍ରତି ୩ଟି ସଂସଦୀୟ କ୍ଷେତ୍ରକୁ ନେଇ ଗୋଟିଏ ଲେଖାଏଁ ମେଡିକାଲ କଲେଜ ସ୍ଥାପନ ପାଇଁ କେନ୍ଦ୍ର ସରକାର ଯେଉଁ ଘୋଷଣା କରିଛନ୍ତି, ସେଥିମଧ୍ୟରୁ ଭଦ୍ରକ, ଯାଜପୁର ଓ ଢେଙ୍କାନାଳ ମଧ୍ୟରୁ ଗୋଟିଏ ରହିଥିବା ସୂଚନା ଦେଇଥିଲେ ନଡ୍ଡା । ତେବେ ଏଥିରୁ କେଉଁଠି ହେବ, ରାଜ୍ୟ ସରକାର ସ୍ଥିର କରନ୍ତୁ ବୋଲି ନଡ୍ଡା କହିଥିଲେ।  ବିଜେଡି କହିଛି, କେନ୍ଦ୍ର ସରକାର ଖାଲି ଯୋଜନା କରେ, ଠିକ୍ ସମୟରେ ଅର୍ଥ ଦିଏ ନାହିଁ।

ସେପଟେ ବଲାଙ୍ଗିରରେ  ସନ୍ଥ କବି ଭୀମ ଭୋଇଙ୍କ ନାଁରେ ନିର୍ମିତ ମେଡିକାଲ କଲେଜର ଲୋକାର୍ପଣ ଦ୍ୱାରା ସମଗ୍ର ପଶ୍ଚିମ ଓଡ଼ିଶାବାସୀଙ୍କୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲ୍‌ଖୁଣ୍ଟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ତେଣେ ବଲାଙ୍ଗିର ମେଡିକାଲ କଲେଜ ଉତ୍ସବ ନିମନ୍ତ୍ରଣପତ୍ର ଓ ବିଜ୍ଞାପନରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନାଁ ନରହିବାକୁ ନେଇ ଥମୁନି ରାଜନୀତି। ପୂର୍ବରୁ ଛପା ଯାଇଥିବା ନିମନ୍ତ୍ରଣପତ୍ରରେ ନଡ୍ଡାଙ୍କ ନାଁ ନଥିବାରୁ ଗତକାଲି ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ପରେ ରାତି ଅଧିଅା ନୂଅା ନିମନ୍ତ୍ରଣପତ୍ର ଛପାଯାଇଥିଲା। ହେଲେ ଅାଜି ବିଭିନ୍ନ ଖବରକାଗଜର ପ୍ରଥମ ପୃଷ୍ଠା ମଣ୍ଡନ କରିଥିବା ବିଜ୍ଞାପନ ମଧ୍ୟରୁ କେବଳ ଗୋଟିଏ ଦୁଇଟି ଇଂରାଜୀ ସମ୍ବାଦପତ୍ରକୁ ଛାଡ଼ିଦେଲେ କୌଣସି ଗୋଟିଏ ହେଲେ ଓଡ଼ିଆ ସମ୍ବାଦପତ୍ରରେ ନଡ୍ଡାଙ୍କ ନାଁ ନରହିବାକୁ ନେଇ ପୁଣି ଖପ୍ପା ହୋଇଛି ରାଜ୍ୟ ବିଜେପି।

You might also like